ପ୍ରେମିକକୁ ପାଇବାକୁ ବାଲେଶ୍ୱର ଆସିଲେ ବାଂଲାଦେଶୀ ଯୁବତୀ । ହେଲେ ପ୍ରେମିକ କରିସାରିଲେଣି ଦ୍ୱିତୀୟ ବିବାହ । ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ।

1,447

କନକ ବ୍ୟୁରୋ: ସ୍ୱାମୀକୁ ଖୋଜି ଖୋଜି ବାଲେଶ୍ୱରରେ ପହଞ୍ଚିଛନ୍ତି ବାଂଲାଦେଶୀ ଝିଅ । ଫେସବୁକରେ ବନ୍ଧୁତା, ବନ୍ଧୁତାରୁ ସଂପର୍କ ଆଗକୁ ବଢି ପ୍ରେମ ଓ ପରେ ବିବାହ । ହେଲେ ବାଂଲାଦେଶରୁ ବାଲେଶ୍ୱର ଫେରିଆସି ସ୍ୱାମୀ ଏବେ ଦ୍ୱିତୀୟ ବିବାହ କରି ଚିହ୍ନିବାକୁ ରାଜି ନୁହଁନ୍ତି । ଏଭଳି ପ୍ରତାରଣାର ଶିକାର ହୋଇଥିବା କହିଛନ୍ତି ବାଂଲାଦେଶ କୁଆକଟା ଅଂଚଳର ଝିଅ ରୁମା ମାରିଆମ୍ । ବାଲେଶ୍ୱରର କମରଦା ଥାନା ଅଂଚଳର ଭୁଦକୁସମୀ ଗାଁର ରାଜ ଓରଫ ପ୍ରତାପ ଭଞ୍ଜ ତାଙ୍କୁ ବିବାହ କରି ପ୍ରତାରଣା କରିଥିବା ସେ ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ପ୍ରତାପଙ୍କ ପରିବାର ଲୋକେ ତାଙ୍କୁ ଘରୁ ତଡି ଦେଇଥିବାରୁ ସେ ଏବେ ଆଇନର ଆଶ୍ରୟ ନେଇଛନ୍ତି । ପ୍ରତାପଙ୍କ ଅନ୍ତରଙ୍ଗ ମୂହୂର୍ତର ଫୋଟ, ଭିଡିଓ ଦେଖାଇ ସ୍ତ୍ରୀ ଅଧିକାର ପାଇବାକୁ ସେ ଦାବି କରୁଛନ୍ତି ।

ପୁରା କାହାଣୀ ଏହି ପରି ଫେସବୁକରେ ଭୁଦକୁସମୀ ଗାଁର ପ୍ରତାପ ଭଞ୍ଜଙ୍କ ସହ ୨୦୧୮ରେ ରୁମାଙ୍କ ବନ୍ଧୁତା ହୋଇଥିଲା । କିଛି ଦିନର ବନ୍ଧୁତା ପରେ ଦୁହେଁ ପ୍ରେମରେ ପଡିଥିଲେ । ଏହାପରେ ପ୍ରତାପ ବାଂଲାଦେଶ ଯାଇ ସେଠାକାର ଏକ ମସଜିଦରେ ମୌଲାନଙ୍କ ଉପସ୍ଥିତିରେ ରୁମାଙ୍କୁ ବିବାହ କରିଥିଲେ । କିଛି ଦିନ ବାଂଲାଦେଶରେ ରହି ପ୍ରତାପ ପୁଣି ବାଲେଶ୍ୱର ଫେରି ଆସିଥିଲେ । ଏପଟେ ପ୍ରତାପ ଘରକୁ ଫେରି ଦ୍ୱିତୀୟ ବିବାହ କରିଥିଲେ । ଏହି ଖବର ପାଇବା ପରେ ଭିସା ନଥିବାରୁ ତୁରନ୍ତ ଆସିନପାରିନଥିଲେ ରୁମା । ଏପଟେ ପୁଣି ପ୍ରତାପ ରୁମାଙ୍କୁ ଦୀଘାକୁ ଡାକିବାରୁ ୬ ମାସର ଭିସା ନେଇ ଆସିଥିଲେ । ଦୀଘାର ଏକ ହୋଟେଲ ରୁମାଙ୍କୁ ସ୍ତ୍ରୀର ପରିଚୟ ଦେଇ ପ୍ରତାପ କିଛି ଦିନ ରଖି ଘରକୁ ଫେରିଯିବାକୁ କହିଥିବା ଅଭିଯୋଗ ହୋଇଛି ।