ଦେଶର ସିଏଜି ଭାବେ ଶପଥ ନେଲେ ଗିରିଶ ମୁର୍ମୁ : ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ରାଷ୍ଟ୍ରପତି କରାଇଲେ ପଦ ଓ ଗୋପନୀୟତାର ଶପଥ ପାଠ; କାଶ୍ମୀର ଉପରାଜ୍ୟପାଳ ପଦରୁ ଅବ୍ୟାହିତ ପରେ ଦିଆଯାଇଛି ବଡ ଦାୟିତ୍ୱ

761
କନକ ବ୍ୟୁରୋ : ଦେଶର ନୂଆ ସିଏଜି ଭାବେ ଦାୟିତ୍ୱଗ୍ରହଣ କରିଛନ୍ତି ଗିରିଶ ଚନ୍ଦ୍ର ମୁର୍ମୁ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ଦେଇଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବରେ ପୁରା କୋଭିଡ୍ ନିୟମ ପାଳନ ହୋଇଥିଲା । ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ରହି, ନୂଆ ଦାୟିତ୍ୱ ପାଇଁ ଶ୍ରୀଯୁକ୍ତ ମୁର୍ମୁଙ୍କୁ ଶୁଭେଛା ଜଣାଇଛନ୍ତି । ଜମ୍ମୁକାଶ୍ମୀର ଉପରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ମିଳିଛି ଏହି ଗୁରୁଦାୟିତ୍ୱ ।
୧୯୭୮ ବ୍ୟାଚ୍ ରାଜସ୍ଥାନ କ୍ୟାଡରର ଆଇଏଏସ ରାଜୀବ ମହର୍ଷିଙ୍କ ସ୍ଥାନରେ ମୁର୍ମୁ ଏହି ପଦ ସଂଭାଳିଛନ୍ତି । ଜମ୍ମୁକାଶ୍ମୀର କେନ୍ଦ୍ରଶାସିତ ଅଂଚଳ ହେବା ପରେ ଏହାର ପ୍ରଥମ ଉପରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଗିରୀଶ ମୁର୍ମୁ । ୨୦୧୯ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ୩୭୦ ଧାରା ହଟାଇ ଜମ୍ମୁ – କାଶ୍ମୀର ରାଜ୍ୟକୁ ୨ଟି କେନ୍ଦ୍ର ଶାସିତ ଅଂଚଳରେ ପରିଣତ କରିଥିଲେ । ଫଳରେ ଜମ୍ମୁ କାଶ୍ମୀର ଗୋଟିଏ କେନ୍ଦ୍ର ଶାସିତ ଅଂଚଳ ପାଲଟିଥିବା ବେଳେ ଲଦାଖ ଅନ୍ୟ ଏକ କେନ୍ଦ୍ର ଶାସିତ ଅଂଚଳ ହୋଇଥିଲା । ଏହାପରେ ଜମ୍ମୁକାଶ୍ମୀରର ପ୍ରଥମ ଉପରାଜ୍ୟପାଳ ହୋଇଥିଲେ ମୁର୍ମୁ । ୧୯୮୫ ବ୍ୟାଚର ଗୁଜୁରାଟ କ୍ୟାଡରର ଆଇଏଏସ୍ ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ଘର ମୟୁରଭଂଜ ଜିଲ୍ଲାରେ ।