ଚଢେଇ ପ୍ରେମରେ ଯୁବ ଇଂଜିନିୟର: ପକ୍ଷୀଙ୍କ ପ୍ରତି ଥିବା ଅହେତୁକ ପୀରତି ତାଙ୍କୁ ମୁମ୍ବାଇରୁ ଟାଣି ଆଣିଲା ଗାଁକୁ…ବିଭିନ୍ନ ପ୍ରଜାତିର ବିଦେଶୀ ପକ୍ଷୀଙ୍କ କରୁଛନ୍ତି ବ୍ରିଡିଂ…୬୦ ହଜାରରୁ ୩୨ ଲକ୍ଷ ଟଙ୍କାରେ ପହଂଚିଛି ଗିରିଜାଙ୍କ ଫାର୍ମ

402

କନକ ବ୍ୟୁରୋ: ବଡ ସହରର ଚାକଚକ୍ୟ ଏବଂ ମୋଟା ଅଙ୍କର ଦରମା ଦିଆ ଚାକିରି ତାଙ୍କୁ ବେଶି ଦିନ ବାନ୍ଧି ପାରିଲାନି । ପକ୍ଷୀଙ୍କ ପ୍ରତି ଥିବା ଅହେତୁକ ପୀରତି ତାଙ୍କୁ ସୁଦୂର ମୁମ୍ବାଇରୁ ଟାଣି ଆଣିଲା ଗାଁକୁ । ନିଜ ଛାତ ଉପରେ କଲେ ଏକ ପକ୍ଷୀ ବିହାର ଆଉ ଚଢେଇଙ୍କ ସହ ମନ ଦେଇ ବସିଗଲେ ମିତ । ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଆମେରିକା ଏବଂ ସୁଦୂର ଆମାଜନ ଜଙ୍ଗଲରେ ରହୁଥିବା ବିଦେଶୀ ପକ୍ଷୀଙ୍କୁ ପାଳି ସେ କେବଳ ଆତ୍ମସନ୍ତୋଷ ଲାଭ କରୁନାହାନ୍ତି ବରଂ ଇଂଜିନିୟରିଂ ପଢୁଆ ଗିରିଜା ପ୍ରସାଦ ମିଶ୍ର ଏହି ପକ୍ଷୀ ବିହାରରୁ ବାର୍ଷିକ ଭଲ କମାଣି ମଧ୍ୟ କରୁଛନ୍ତି । ଇଂଜିନିୟରିଂ ବୃତିକୁ ତୁଚ୍ଛ କରି ପକ୍ଷୀ ନିଶାକୁ ଏବେ ନିଜର ଏକ ବଡ ବେଉସା ଭାବେ ବାଛି ନେଇଛନ୍ତି ଗିରିଜା ।

ଢେଙ୍କାନାଲ ଜିଲ୍ଲା ଭୁବନ ବ୍ଲକ ମାର୍ଥାପୁର ବ୍ରାହ୍ଣଣ ଶାସନ ଗାଁରେ ଗିରିଜା ମିଶ୍ରଙ୍କ ଘର । ପେସାରେ ସେ ଜଣେ ଯନ୍ତ୍ରୀ । ଚାକିରି କାଳ ଭିତରେ ବି ସେ ପକ୍ଷୀଙ୍କୁ ରଖି ସେମାନଙ୍କର ଲାଳନ ପାଳନ କରୁଥିଲେ । ଶାରୀରିକ ଅସୁସ୍ଥତା ଯୋଗୁଁ ଚାକିରି ଛାଡି ସେ ଘରକୁ ଚାଲିଆସିଲେ ଆଉ ପକ୍ଷୀ ପାଳନ କରିବାକୁ ନିଷ୍ପତି ନେଲେ । ହେଲେ ଶୁଆ, ଶାରୀ ଭଳି ବନ୍ୟପକ୍ଷୀମାନଙ୍କୁ ପାଳନରେ ଆଇନଗତ ବାଧକ ଯୋଗୁଁ ଗିରିଜା ବିଦେଶୀ ପକ୍ଷୀଙ୍କ ଉପରେ ମନ ନିବେଶ କରିଥିଲେ ।

୨୦୧୬ରେ ୬୦ ହଜାର ଟଙ୍କା ଖର୍ଚ୍ଚ କରି ତିନି ହଳ ବିଦେଶୀ ପକ୍ଷୀ ଘରକୁ ଆଣି ନିଜ ଛାତ ଉପରେ ଗିରିଜା ଆରମ୍ଭ କଲେ ପକ୍ଷୀ ବିହାର । ପାଖାପାଖି ୪ ବର୍ଗଫୁଟ କ୍ଷେତ୍ରଫଳ ବିଶିଷ୍ଟ ଛାତରେ ତାର ଜାଲି ଲଗାଇ ପକ୍ଷୀ ସଙ୍ଗେ ଦିନ ରାତି ଯୋଡି ହୋଇଗଲେ ଆଉ ପକ୍ଷୀଙ୍କୁ ଯତ୍ନ ଏବଂ ଭଲ ପାଇବା ଦେଇ ଆରମ୍ଭ କଲେ ବ୍ରିଡିଂ । ଯେଉଁଥିପାଇଁ ତିନି ପ୍ରଜାତିରୁ ଆଜି ତାଙ୍କ ପକ୍ଷୀ ବିହାର ୨୨ପ୍ରଜାତିର ପକ୍ଷୀରେ ପହଂଚିଛି । ଏବେ ତାଙ୍କ ପକ୍ଷୀ ବିହାର ପାଲଟିଯାଇଛି ଏକ ବ୍ୟବସାୟୀକ ଫାର୍ମ । ଯେଉଁଠାରେ ସେ ବିଭିନ୍ନ ପ୍ରଜାତିର ପକ୍ଷୀ ରଖି ସେମାନଙ୍କୁ ବ୍ରିଡିଂ କରି ଅଦ୍ଭୁତ ରଙ୍ଗର ପକ୍ଷୀ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ତେବେ ୬୦ ହଜାର ଟଙ୍କାରୁ ଆରମ୍ଭ ହୋଇଥିବା ଗିରିଜାଙ୍କ ଏହି ପକ୍ଷୀ ବିହାର ଆଜି ୩୨ ଲକ୍ଷ ଟଙ୍କାର ଫାର୍ମରେ ପହଂଚିଛି । ଆଉ ପକ୍ଷୀ ପାଳନ ଯେ ସ୍ୱାବଲମ୍ବୀ ହେବାର ବଡ ବ୍ୟବସାୟ ହୋଇପାରିବ ସେଥିପାଇଁ ଯୁବପୀଢିଙ୍କୁ ପ୍ରୋତ୍ସାହିତ କରିବା ସହ ନିଜକୁ ବେକାର ବୋଲାଉଥିବା ଶିକ୍ଷିତ ଯୁବକ-ଯୁବତୀ ଏଭଳି ପକ୍ଷୀ ପାଳନ କରିବା ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି ।