ଛଟପୂଜା ବେଳେ ଅଘଟଣ, ପାଣିରେ ବୁଡି ୪ ଶିଶୁ ମୃତ

83

କନକ ବ୍ୟୁରୋ:  ଝାଡଖଣ୍ଡ ଗିରୀଡିହ ଠାରେ ଛଟପୂଜା ବେଳେ ଏକ ଦୁଖଦ ଘଟଣା ସାମ୍ନାକୁ ଆସିଛି । ଗିରୀଡିହର ମଙ୍ଗରୋଡିହ ନଦୀରେ ଛଟପୂଜା ଅବସରରେ ଗାଧୋଉଥିବା ବେଳେ ପାଣିରେ ବୁଡିଯାଇ ୪ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ ଜଣ ଝିଅ ଥିବା ବେଳେ ଜଣେ ପୁଅ ରହିଛି । ଏହି ସୂଚନା ମିଳିବା ପରେ ହଜାର ହଜାର ସ୍ଥାନୀୟ ଲୋକ ସେଠାରେ ରୁଣ୍ଡ ହୋଇଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ସୂଚନା ମୁତାବକ ଏହି ଘଟଣା ଆଜି ସକାଳ ୧୧.୩୦ ରେ ଘଟିଛି । କୁହାଯାଇଛି କି ଛଟପୂଜା ଅବସରରେ ମଙ୍ଗରୋଡିହ ଗ୍ରାମର କିଛି ମହିଳା ନଦୀକୁ ସ୍ନାନ କରିବାକୁ ଯାଇଥିଲେ । ସେମାନଙ୍କ ସହ କିଛି ଛୋଟପିଲା ବି ନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଉଥିବା ବେଳେ ୩ ଜଣ ଝିଅ ଓ ଜଣେ ପୁଅ ନଦୀରେ ବୁଡି ଯାଇଥିଲେ । ହେଲେ ଗାଧୋଉଥିବା ମହିଳାମାନେ ଏନେଇ କିଛି ଜାଣିପାରି ନଥିଲେ । ସେମାନେ ଗାଧୋଇସାରି ଘରକୁ ଫେରିଥିଲେ । କିଛି ସମୟ ପରେ ଯେତେବେଳେ ପିଲାମାନଙ୍କୁ ଖୋଜାପଡିଥିଲା ସେତେବେଳେ ହୋ ହାଲ୍ଲା ହୋଇଥିଲା । ଏହାପରେ ନଦୀକୁ ଯାଇ ଖୋଜା ଖୋଜି କରିବା ପରେ ପିଲାମାନଙ୍କର ମୃତଦେହ ନଦୀରୁ ମିଳିଥିଲା ।

କହିରଖୁ କି ଝାରଖଣ୍ଡର ଲାତେହାର ଜିଲ୍ଲାରେ ସେପ୍ଟେମ୍ବର ମାସରେ ବି ଏଭଳି ଘଟଣା ଘଟିଥିଲା । କରମା ପୂଜା ଭଷାଣୀ ବେଳେ ୭ ଜଣ ବାଳିକା ନଦୀରେ ବୁଡି ପ୍ରାଣ ହରାଇଥିଲେ ।