ବିଜେପି ଛାଡିଲେ ଗିରିଧର ଗମାଙ୍ଗ: କେସିଆରଙ୍କ ବିଆରଏସରେ ହେବେ ସାମିଲ

393

କନକ ବ୍ୟୁରୋ: ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଯାହା ଅନୁମାନ କରାଯାଉଥିଲା ତାହା ସତ ହୋଇଛି । ଉଭୟ ବାପପୁଅ ସାମ୍ବାଦିକ ସମ୍ମଳନୀ କରି ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।

୨୦୧୫ରେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ଗିରିଧର ଗମାଙ୍ଗ ଓ ଶିଶିର ଗମାଂଗ ବିଜେପି ଛାଡିଛନ୍ତି । ଉଭୟ ଦଳର ପ୍ରାଥମିକ ସଦସ୍ୟ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କୁ ଇସ୍ତଫାପତ୍ର ପଠାଇ ଦେଇଥିବା କହିଛନ୍ତି । ଦଳ ଛାଡିବାର କାରଣ ନେଇ ଗିରିଧର କହିଛନ୍ତି, ଦଳରେ ଦେଖି ନଦେଖିବା ଭଳି ବ୍ୟବହାର କରାଯାଉଥିଲା । ଦଳୀୟ କାର୍ଯ୍ୟକ୍ରମକୁ ଡାକିଲେ ଯାଉଥିଲି, ନଡାକିଲେ ଯାଉନଥିଲି । ତେବେ କଂଗ୍ରେସ ଛାଡିବାବେଳେ କାହା ବିରୋଧରେ ଯେମିତି କହିନଥିଲେ ଏବେ କାହା ବିରୋଧରେ କହିବେ ନାହିଁ ବୋଲି କହିଛନ୍ତି । କିନ୍ତୁ ନାଁ ନନେଇ ଦକ୍ଷିଣ ଓଡିଶାର ଜଣେ ବିଜେପି ନେତାଙ୍କୁ ଦୋଷ ଦେଇଛନ୍ତି ଶିଶିର । ଏବଂ ଆଗାମି ଦିନରେ କେସିଆରଙ୍କ ଦଳରେ ମିଶିବା ନେଇ ସଂକେତ ଦେଇଛନ୍ତି ।

ତେବେ ଗିରିଧରଙ୍କୁ ଦଳରେ ଅଣଦେଖା କରାଯିବା ଅଭିଯୋଗକୁ ଖଣ୍ଡନ କରିଛି ବିଜେପି । ସେହିପରି ବିଜେଡି ନେତା କହିଛନ୍ତିି, ବିଜେଡିକୁ କିଛି ଫରକ ପଡିବ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଯୋଜନା ଓ ଲୋକଙ୍କ ଭଲ ପାଇବା ଆଗରେ ସବୁ ଫେଲ୍ ।

ଗମାଙ୍ଗ କେସିଆରଙ୍କୁ ଭେଟି ତାଙ୍କ ସହ ଆଲୋଚନା କରିବାର କିଛି ଦିନ ମଧ୍ୟରେ ସେ ଇସ୍ତଫା ଦେଇଥିବାରୁ ସେ କେସିଆରଙ୍କ ସହ ସାମିଲ ହେବେ । ସେହିପରି ପୂର୍ବତନ ସାଂସଦ ଜୟୀରାମ ପାଙ୍ଗୀ ଆସନ୍ତା ୨୭ରେ ବିଆରଏସରେ ମିଶିବେ । ଆଉ ଦକ୍ଷିଣ ଓଡିଶାର ଉଭୟ ଟାଣୁଆ ନେତା ହୋଇଥିବାରୁ ଆଗାମି ଦିନରେ ରାଜନୀତି ରୋଚକ ହେବ ବୋଲି ଚର୍ଚ୍ଚା ହେଉଛି ।