ବିଜେପି ଛାଡିଲେ ଗିରିଧର ଓ ଶିଶିର ଗମାଙ୍ଗ । କେସିଆରଙ୍କ ବିଆରଏସରେ ସାମିଲ ହେବା ନେଇ ଚର୍ଚ୍ଚା ।

151

କନକ ବ୍ୟୁରୋ: ବିଜେପିରୁ ଇସ୍ତଫା ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆଦିବାସୀ ନେତା ଗିରିଧର ଗମାଙ୍ଗ । ଆଜି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ପତ୍ର ଲେଖି ସେ ନିଜର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ଖୁବଶୀଘ୍ର ସେ କେ. ଚନ୍ଦ୍ରଶେଖର ରାଓଙ୍କ ଉପସ୍ଥିତିରେ ବିଆରଏସରେ ସାମିଲ ହେବେ ବୋଲି କୁହାଯାଉଛି ।

ଗିରିଧର ଗମାଙ୍ଗ ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, ଓଡିଶାର ଲୋକଙ୍କ ପାଇଁ ଗଲା କିଛି ବର୍ଷ ଧରି ସେ ନିଜ ରାଜନୈତିକ, ସାମାଜିକ ଓ ନୈତିକ କର୍ତ୍ତବ୍ୟ କରିପାରିନାହାଁନ୍ତି । ସେଥିପାଇଁ ସେ ବିଜେପିରୁ ଇସ୍ତଫା ଦେଉଛନ୍ତି । ତେବେ ନିଜ ଇସ୍ତଫା ପତ୍ରରେ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଦେଇଛନ୍ତି ଗିରିଧର ଗମାଙ୍ଗୋ । ଅନ୍ୟପଟେ ତାଙ୍କ ପୁଅ ଶିଶିର ଗମାଙ୍ଗୋ ମଧ୍ୟ ବିଜେପି ଛାଡିଛନ୍ତି । ସେ କହିଛନ୍ତି, ୨୦୧୫ ମସିହାରେ ମୋଦୀଙ୍କ ନେତୃତ୍ୱ ଦକ୍ଷତା ଦେଖି ସେ ବିଜେପିରେ ସାମିଲ ହୋଇଥିଲେ । ହେଲେ ଏହି ସମୟ ଭିତରେ ସେ ତାଙ୍କ ଆଦିବାସୀ ସମ୍ପ୍ରଦାୟ ପାଇଁ କିଛି ବି କରିପାରିନାହାଁନ୍ତି । ସେଥିପାଇଁ ସେ ବିଜେପିରୁ ଇସ୍ତଫା ଦେଉଥିବା ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଶିଶିର ଗମାଙ୍ଗଙ୍କ ସହ ଗିରିଧର ଗମାଙ୍ଗ ଭାରତ ରାଷ୍ଟ୍ର ସମିତି ବା ବିଆରଏସରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି । ଆସନ୍ତା ୨୭ ତାରିଖରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଉପସ୍ଥିତିରେ ବିଆରଏସରେ ଆନୁଷ୍ଠାନିକ ଭାବେ ସାମିଲ ହେବେ ବୋଲି କୁହାଯାଉଛି । ସେହିପରି ୪୦ ବର୍ଷ ଧରି ଅଣକଂଗ୍ରେସ ଆଦିବାସୀ ନେତା ଭାବେ କୋରାପୁଟ ଜିଲ୍ଲାର ମଙ୍ଗ ଧରିଥିବା ଜୟରାମ ପଙ୍ଗି ମଧ୍ୟ ୨୭ ତାରିଖରେ ବିଆରଏସରେ ଯୋଗଦେବା ଏକପ୍ରକାର ନିଶ୍ଚିତ । ୧୦ ଦିନ ତଳେ ବିଆରଏସ ମୁଖ୍ୟଙ୍କୁ ଭେଟିବା ପରେ ରାଜନୈତିକ ଆକଳନ ଆରମ୍ଭ ହୋଇଥିଲା । ହେଲେ ବିଆରଏସରେ ସାମିଲ ହେବା ନେଇ ଦୁଇ ବରିଷ୍ଠ ନେତା ଜୟରାମ ପାଙ୍ଗି ଓ ଗିରିଧର ଗମାଙ୍ଗ ମାପିଚୁପି ପ୍ରତିକ୍ରିୟା ରଖିଥିଲେ । ଶେଷରେ ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ ଏକ ଭିଡିଓ ଜାରି କରିଥିଲେ ଜୟରାମ ପାଙ୍ଗି । ଏଥିରେ ସେ ଆସନ୍ତା ୨୭ ତାରିଖରେ ବିଆରଏସରେ ଯୋଗଦେବେ ବୋଲି କହିଛନ୍ତି ।