ଔଷଧୀୟ ଗୁଣ ପାଇଁ କନ୍ଧମାଳ ଅଦାର ରହିଛି ସ୍ୱତନ୍ତ୍ର ଚାହିଦା । କମ୍ ଦରରେ ବିକ୍ରି ହେଉଥିବାରୁ ଚାଷୀଙ୍କୁ ମିଳୁନି ଉପଯୁକ୍ତ ପାରିଶ୍ରମିକ ।

111

କନକ ବ୍ୟୁରୋ : ପାହାଡ ପର୍ବତ ଘେରା କନ୍ଧମାଳ ଜିଲ୍ଲାରେ ଅଦା ଚାଷ କରି ଲାଭବାନ ହେଉଛନ୍ତି ଚାଷୀ । କମ ତାପମାତ୍ରା ଏବଂ ପାହାଡିଆ ଜମିରେ ହେଉଥିବା ଫସଲ ମଧ୍ୟରୁ କନ୍ଧମାଳରେ ବହୁଳ ଭାବେ ଅଦା ଏବଂ ହଳଦୀ ଚାଷ ହେଉଛି । ବଜାରରେ ଅଦା ଦର କମ୍ ରହୁଥିବାରୁ ପରିଶ୍ରମ ଅନୁସାରେ ଚାଷୀଙ୍କୁ ଉପଯୁକ୍ତ ପାରିଶ୍ରମିକ ମିଳୁନି, ଅନେକ ସମୟରେ ଅଭାବି ବିକ୍ରିର ଶିକାର ହେବାକୁ ପଡ଼ୁଛି । ଅନ୍ୟପଟେ ଅଦା ସାଇତି ରଖିବା ପାଇଁ ଶିତଳଭଣ୍ଡାର ନଥିବାରୁ ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ୁଛି । ଅନ୍ୟପଟେ ଫୁଲବାଣୀ ଆଇଟିଡ଼ିଏ ପକ୍ଷରୁ ଚଳିତ ବର୍ଷ ୨୬୧ ଜଣ ଚାଷୀଙ୍କୁ ଉନ୍ନତ ମାନର ବିହନ ଯୋଗାଇ ଦିଆଯାଇଥିଲା । ଯାହା ଦ୍ୱାରା ଚାଷୀ ମାନେ ୧୦ ଗୁଣା ଅଧିକ ଅଦା ଉତ୍ପାଦନ କରିପାରିଛନ୍ତି ।

କନ୍ଧମାଳ ଅଦାର ରହିଛି ସ୍ୱତନ୍ତ୍ରତା । ଔଷଧୀୟ ଗୁଣ ପାଇଁ ରହିଛି ଚାହିଦା । ଅଦା ଚାଷ ପାଇଁ କନ୍ଧମାଳ ଜିଲ୍ଲାର ରହିଛି ସ୍ୱତନ୍ତ୍ର ପରିଚୟ । କମ୍ ତାପମାତ୍ରା ଓ ପାହାଡ଼ିଆ ଜମିରେ ଏହି ଜିଲ୍ଲାରେ ଭଲ ଅଦା ଚାଷ ହୋଇଥାଏ । ଜିଲ୍ଲାର ପ୍ରାୟ ଶତ ପ୍ରତିଶତ ଚାଷୀ ଏହି ଅଦା ଚାଷ କରି ସେମାନଙ୍କ ପରିବାର ପ୍ରତିପୋଷଣ କରିଥାଆନ୍ତି । ଜିଲ୍ଲାର ପ୍ରାୟ ୫ ହଜାର ଚାଷୀ ୨୨ ରୁ ୨୫ ଶହ ହେକ୍ଟର ଜମିରେ ପ୍ରତିବର୍ଷ ଅଦା ଚାଷ କରନ୍ତି । ଏହି ଜମିରୁ ପ୍ରାୟ ୩୦ ରୁ ୩୫ ଶହ ମେଟ୍ରିକ୍ ଟନ ଅଦା ଉତ୍ପାଦନ ହୋଇଥାଏ । ତେବେ ଏହି ଅଦା ଚାଷକୁ ବିଶେଷ ସରକାରୀ ପ୍ରୋତ୍ସାହନ କିମ୍ବା ମାର୍କେଟିଂ ପାଇଁ ସୁବିଧା ନଥିବାରୁ ଚାଷୀ ମାନେ ଏହାକୁ ବ୍ୟବସାୟୀକ ଭିତିିରେ ନକରି ନିଜ ବ୍ୟବହାର ପାଇଁ ଚାଷ କରୁଛନ୍ତି । ନିଜେ ରଖିଥିବା ବିହନରେ ପାରମ୍ପରିକ ପଦ୍ଧତିରେ ଚାଷୀ ମାନେ ଅଦା ଚାଷ କରୁଛନ୍ତି । କନ୍ଧମାଳ ଅଦାରେ ଥିବା ଔଷଧିୟ ଗୁଣ ପାଇଁ ଜିଲ୍ଲା ଏବଂ ଜିଲ୍ଲା ବାହାରେ ଏହାର ଚାହିଦା ରହିଛି ।

ବିନା କୀଟନାଶକରେ ହେଉଛି ଅଦା ଚାଷ । ଜୈବିକ ଖତ ପ୍ରୟୋଗ କରି ଚାଷ କରୁଛନ୍ତି ଚାଷୀ । ପାହାଡ ପର୍ବତ ଘେରା କନ୍ଧମାଳ ଜିଲ୍ଲାରେ ଚାଷ ଜମି ଗୁଡିକୁ ବିଶେଷ ଜଳସେଚନର ସୁବିଧା ନାହିଁ । ତେଣୁ ପାହାଡିଆ ଏବଂ ଢିପ ଜମି ଗୁଡିକରେ ଏଠିକାର ଚାଷୀ ମାନେ ବହୁଳ ପରିମାଣରେ ଅଦା ହଳଦୀ ତଥା ମସଲା ଜାତୀୟ ଫସଲ କରିଥାନ୍ତି । ବିନା କୀଟନାଶକରେ ଚାଷ ହେଉଥିବାରୁ କନ୍ଧମାଳର ଅଦା ଏବଂ ହଳଦୀର ବେଶ ଚାହିଦା ରହିଛି । ଚାଷୀ ମାନେ ଅଦାକୁ ପ୍ରାୟତଃ ଜୁନ-ଜୁଲାଇ ମାସରେ ଲଗାଇଥାନ୍ତି । ଜାନୁଆରୀ-ଫେବ୍ରୁୟାରୀ ମାସରେ ଅମଳ କରିଥାନ୍ତି ।

ଜମିକୁ ହଳ କରି ପ୍ରଥମେ ମାଟି ହଲୁକା କରନ୍ତି ତାପରେ ଅଦା ବିହନ ଗୁଡିକୁ ମାଟିରେ ପ୍ରାୟ ୧ ଫୁଟ ଦୂରାତାରେ ଧାଡି ଧାଡି କରି ପୋତିଥାନ୍ତି । ଅଦା ଗଛ ଉପରେ ଡ଼ାଳ ପତ୍ର ଗୁଡ଼ିକ ଘୋଡ଼ାଇ ଦେଇଥାଆନ୍ତି । କିଛି ଦିନ ପରେ ଘୋଡ଼ା ହୋଇଥିବା ଡ଼ାଳ ପତ୍ର ଗୁଡ଼ିକୁ ବାହାର କରି ଜମିକୁ କୋଡାଖୋସା କରି ଜୈବିକ ଖତ ଦିଅନ୍ତି । ଅଦା ଗୁଡିକ ଭଲ ଗଣ୍ଠି ଧରିବା ପରେ ଜାନୁଆରୀ- ଫେବ୍ରୃୟାରୀ ମାସରେ ଚାଷୀ ମାନେ ମାଟିରୁ ଅଦା ଖୋଳି କଞ୍ଚା ମାଟି ଗୁଡ଼ିକୁ ଝାଡି ଅଦାକୁ ବିକ୍ରୟ ଉପେଯାଗୀ କରିଥାନ୍ତି । ଏଭଳି ବହୁ ପରିଶ୍ରମ କରି ଅଦା ବାହାରିବା ପରେ ପୁଣି ତାକୁ ପ୍ରାୟ ଏକ ମାସ ମଧ୍ୟରେ ବିକ୍ରୟ କରନ୍ତି ।

ଅଦା ପ୍ରକ୍ରିୟାକରଣ ପାଇଁ ନାହିଁ ବ୍ୟବସ୍ଥା । ଶୀତଳଭଣ୍ଡାର ପାଇଁ ଚାଷୀଙ୍କ ଦାବି । ଚାଷୀ ମାନେ ଅଦା ଚାଷ କରି ଯାହା ଉତ୍ପାଦନ କରନ୍ତି, ସେଥିରୁ କିଛି ସେମାନେ ନିଜ ବ୍ୟବହାର ପାଇଁ ରଖି ବଳକା ଅଦାକୁ ବଜାରରେ ବିକ୍ରୟ କରନ୍ତି । ଭଲ ଦୁଇ ପଇସା ରୋଜଗାର ମଧ୍ୟ କରିଥାନ୍ତି । ଏପରି ସ୍ଥିତିରେ ଅଦାର ପ୍ରକ୍ରିୟାକରଣ ପାଇଁ କୌଣସି ସୁବିଧା ନଥିବା ବେଳେ ସାଇତି ରଖିବା ପାଇଁ ଶୀତଳଭଣ୍ଡାରଟିଏ ମଧ୍ୟ ନାହିଁ । ଏଥିପାଇଁ ଚାଷଙ୍କୁ ବହୁ କ୍ଷତି ସହିବାକୁ ପଡ଼ୁଛି । ଚାଷୀଙ୍କୁ ଉପଯୁକ୍ତ ମୁଲ୍ୟ ମିଳୁନଥିବାବେଳେ ଅଭାବୀ ବିକ୍ରିର ଶିକାର ହେବାକୁ ପଡ଼ୁଛି ।