ଚିନ୍ତାରେ କୋରାପୁଟର ଅଦା ଚାଷୀ । କରୋନା ବିଗାଡ଼ି ଦେଇଛି ସ୍ଥିତି । ବିକ୍ରି ହୋଇପାରୁନାହିଁ ଫସଲ।

116

କନକ ବ୍ୟୁରୋ: ଚିନ୍ତାରେ ଅଦା ଚାଷୀ । କେଉଁଠି ଜମିରୁ ଅଦା ବାହାରିପାରୁନି ତ କେଉଁଠି ଗୋଦାମ ଘରେ ଜମା ହୋଇ ପଡ଼ିରହିଛି କୁଇଣ୍ଟାଲ କୁଇଣ୍ଟାଲ ଅଦା । କରୋନା ବିଗାଡ଼ି ଦେଇଛି ଅଦାଚାଷୀଙ୍କ ଜୀବିକା । କେଉଁଠି ଜମିରେ ସଢ଼ୁଛି ତ କେଉଁଠି ରାସ୍ତା ଉପରେ । ଏଭଳି ଖବର ଆସିଛି କୋରାପୁଟଙ୍କ ଜିଲ୍ଲାର ପଟାଙ୍ଗୀ ବ୍ଲକରୁ । କ୍ଷେତରେ ପଡ଼ି ରହିଛି ଅଦା, ମିଳୁନାହିଁ ଅଦାର ଉଚିତ ମୂଲ୍ୟ । ୫୦ରୁ ୬୦ ଟଙ୍କାରେ ବିକ୍ରି ହେଉଥିବା ଅଦା ଏବେ କିଲୋ ପିଛା ୧୦ରୁ ୧୫ ଟଙ୍କାରେ ବିକ୍ରି ହେଉଛି, ତାହା ପୁଣି କଷ୍ଟରେ । ଅଧିକାଂଶ ଅଦା ବିକ୍ରି ନହୋଇ ଗଦା ହୋଇ ପଡ଼ିରହିଛି,ସେଥିରୁ କିଛି ପଚିସଢ଼ି ଗଲାଣି ମଧ୍ୟ ।

ଅଦାଚାଷ ପାଇଁ ଉପଯୁକ୍ତ ଜଳବାୟ ସାଙ୍ଗକୁ ମାଟି ରହିଥିବାରୁ କୋରାପୁଟ ଜିଲ୍ଲାର ପଟାଙ୍ଗୀ ସମେତ ନନ୍ଦପୁର , ଲମତାପୁଟ ବ୍ଳକରେ ପ୍ରଚୁର ପରିମାଣରେ ଅଦାଚାଷ ହୋଇଥାଏ । ବର୍ଷରୁ ୫୦ରୁ ୬୦ ହଜାର ଟନ ଅଦା ଦେଶର ବିଭିନ୍ନ ଜାଗା ତଥା ଦେଶ ବାହାରକୁ ପଠାଯାଇଥାଏ । ଏଠାରେ ଜୈବିକ ପଦ୍ଧତିରେ ଚାଷ ହେଉଥିବାରୁ ଏଠାକାର ଅଦାର ଚାହିଦା ବି ଅଧିକା ରହିଥାଏ । ସେଥିପାଇଁ ପଟାଙ୍ଗୀରେ କୃଷି ବିଶ୍ୱବିଦ୍ୟାଳୟ ତରଫରୁ କୃଷି ଗବେଷଣା କେନ୍ଦ୍ର ମଧ୍ୟ ଖୋଲାଯାଇଛି ।

ଚାଷୀ ମଧ୍ୟ ଅଦାଚାଷ କରି ଭଲ ଦି’ପିଇସା ରୋଜଗାର କରୁଥିଲେ । ଅଦା ଚାଷ କରିବାକୁ ଏକର ପିଛା ଦେଢ଼ଲକ୍ଷରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ । ହେଲେ କରୋନା ସ୍ଥିତି ସବୁକିଛି ବିଗାଡ଼ି ଦେଇଛି । ଗତବର୍ଷ ଚାଷୀ ଯେନତେନ କରି ଚାଷକୁ ପାର କରିଥିବା ବେଳେ କରୋନାର ଦ୍ୱିତୀୟ ଲହର ସେମାନଙ୍କ ଅଂଟା ଭାଙ୍ଗିଦେଇଛି । ଅମଳ ହେଉଥିବା ଅଦାକୁ ସଂରକ୍ଷିତ କରିବା ପାଇଁ ପଟାଙ୍ଗୀରେ କୌଣସି ଶୀତଳଭଣ୍ଡାର କିମ୍ବା ପ୍ରକ୍ରିୟାକରଣର ସୁବିଧା ନାହିଁ । ଏଭଳି କଠିନ ସମୟରେ ଅଦା ଚାଷୀଙ୍କ ଦୁଃଖ ପ୍ରତି ନଜର ଦେଇ ଏହାର ସମାଧାନ ପାଇଁ ସରକାର କିଛି ବ୍ୟବସ୍ଥା କରିବାକୁ ଚାଷୀମାନେ ଦାବି କରିଛନ୍ତି ।