କନକ ବ୍ୟୁରୋ : ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଭାରତୀୟ ଟିମର ଷ୍ଟାର ଓପନର ବ୍ୟାଟର ଶୁଭମନ ଗିଲଙ୍କୁ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରୁ ବିଶ୍ରାମ ଦିଆଯାଇଛି । ଟିମର ସମସ୍ତ ଖେଳାଳୀ ଦିଲ୍ଲୀରେ ଆଫଗାନିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳୁଥିବା ବେଳେ ଶୁଭମନ ଅହମ୍ମଦାବାଦ ଅଭିମୁଖେ ଉଡାଣ ଭରିବେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ବିସିସିଆଇର ମେଡିକାଲ ଟିମ ଶୁଭମନଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିବେ ।

Advertisment

ବିସିସିଆଇର ବ୍ୟାଟିଂ କୋଚ୍ ବିକ୍ରମ ରାଠୋର କହିଛନ୍ତି, ଏବେ ଶୁଭମନଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଛି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ କିଛି ସମୟର ସ୍ୱାସ୍ଥ୍ୟବସ୍ଥାର ଯାଞ୍ଚ  ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇ ହୋଟେଲକୁ ଫେରିଥିଲେ ଶୁଭମନ । ଆଶା କରୁଛୁ ଶୁଭମନ ଶୀଘ୍ର ସୁସ୍ଥ ହୋଇ ଫେରନ୍ତୁ । ଏବେ ସୁଦ୍ଧା ଶୁଭମନ ୭୦ରୁ ୮୦ ପ୍ରତିଶତ ସୁସ୍ଥ ହେଲେଣି । କିନ୍ତୁ ମ୍ୟାଚ ଖେଳିବାକୁ କେବେ ଫିଟ୍ ହେବେ ତାହାକୁ ନେଇ ଏବେ ସସପେନ୍ସ ରହିଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଯଦି ଗିଲ୍ ଅହମ୍ମଦାବାଦ ଅଭିମୁଖେ ଉଡାଣ ଭରିଥିବେ ତେବେ ପାକିସ୍ତାନ ବିପକ୍ଷ ମ୍ୟାଚରେ ତାଙ୍କୁ ଟିମରେ ଦେଖିବାକୁ ମିଳିପାରେ । ଅନ୍ୟପଟେ ଗିଲଙ୍କ ଅନୁପସ୍ଥିତିରେ ସୁଯୋଗ ପାଇଥିବା ଇଶାନ କିଷାନ ପ୍ରଥମ ମ୍ୟାଚରେ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ । କିନ୍ତୁ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ପୁଣି ଇଶାନଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଛି ।