କନକ ବ୍ୟୁରୋ : ଆଫଗାନିସ୍ତାନ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଖୁସିଖବର । ସକାଳେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ଶୁଭମନ ଗିଲ୍ ଏବେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ତେବେ ଶୁଭମନ ଆଗାମୀ ମ୍ୟାଚ୍ ଖେଳିବେ କି ନାହିଁ ସେ ବାବଦରେ ବିସିସିଆଇ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଏହାପୂର୍ବରୁ ଡେଙ୍ଗୁ କାରଣରୁ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରୁ ବାଦ୍ ପଡିଥିଲେ ଶୁଭମନ ।

Advertisment

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଶୁଭମନଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ଏକ ଡାକ୍ତରୀ ଟିମ୍ ନଜର ରଖିଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଲେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ଆଗାମୀ ମ୍ୟାଚ୍ ପାଇଁ ଶୁଭମନ ଫିଟ୍ ରହିବେ କି ନାହିଁ ତାହା ଜଣାପଡିନି । ଗିଲ ଅସୁସ୍ଥ ହେବା କାରଣରୁ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଇଶାନ କିଷାନଙ୍କୁ ସୁଯୋଗ ମିଳିଥିଲା । କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ବିଫଳ ହୋଇଥିଲେ ଇଶାନ । ଖାତା ଖୋଲିବା ପୂର୍ବରୁ ଇଶାନ ପ୍ୟାଭିଲିୟନ ଫେରିଥିଲେ । ତେଣୁ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଇଶାନଙ୍କୁ ପୁଣିଥରେ ସୁଯୋଗ ମିଳିବ କି ନାହିଁ ତାହାକୁ ନେଇ ସନ୍ଦେହ ରହିଛି ।

ଶୁଭମନ ଗିଲ ବିଶ୍ୱକପ ଆରମ୍ଭରୁ ଅସୁସ୍ଥ ହେବା ଭାରତ ପାଇଁ ବଡ ଝଟକା ଠାରୁ ମଧ୍ୟ କମ ନଥିଲା । କାରଣ ଦିନିକିଆରେ ଶୁଭମନଙ୍କ ରେକର୍ଡ ବେଶ ଭଲ ରହିଛି । ଏବେ ସୁଦ୍ଧା ଶୁଭମନ ୩୫ଟି ମ୍ୟାଚରୁ ୧୯୧୭ ରନ କରିଛନ୍ତି ।ଯେଉଁଥିରେ ୬ ଶତକ ଓ ୯ ଅର୍ଦ୍ଧଶତକ ରହିଛି । ତେଣୁ ଆଗାମୀ ମ୍ୟାଚ୍ ଗୁଡିକ ପାଇଁ ଶୁଭମନ ଯେପରି ଫିଟ୍ ରହିବେ ତାହା ଉପରେ ଟିମ୍ ମ୍ୟାନେଜମେଣ୍ଟ ଧ୍ୟାନ ଦେଉଛି । କାରଣ ଆଗକୁ ଟିମ୍ ଇଣ୍ଡିଆ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ରହିଛି । ତେଣୁ ଶୁଭମନ ସମ୍ପୂର୍ଣ୍ଣ ସୁସ୍ଥ ନ ହେବା ପର୍ଯ୍ୟନ୍ତ ତାଙ୍କୁ ପଡିଆକୁ ଓହ୍ଲାଇ ନ ପାରେ ଟିମ୍ ଇଣ୍ଡିଆ ।