ବିବାହ ଉତ୍ସବରେ ଲୁଟ୍: ଅତିଥି ହୋଇ ଆସିଲେ, କଳାକନା ବୁଳେଇ ଦେଲେ, ଆଖି ପିଛୁଳାକେ ଲୁଟି ନେଲେ ସୁନା ଓ ଉପହାର

174

କନକ ବ୍ୟୁରୋ: ବିବାହ ମଣ୍ଡପରୁ ଲୁଟ୍ । ଅତିଥି ବେଶରେ ଆସିଲେ, ଲକ୍ଷାଧିର ଟଙ୍କାର ଉପହାର ଲୁଟି ଚାଲିଗଲେ । ପୁରୀ ବଳିଆ ପଣ୍ଡା ଥାନା ଅଂଚଳରୁ ଆସିଛି ଏମିତି ଅଭିଯୋଗ । ଏକ ହୋଟେଲରେ ବିବାହ ଭୋଜି ଚାଲିଥିଲା । ପୁଅ-ବୋହୂଙ୍କୁ ଉପହାରରେ ଟଙ୍କା ଓ ସୁନା ଗହଣା ମିଳିଥିଲା । ସେହି ଉପହାରକୁ ନେଇ ଚମ୍ପଟ ମାରିଛନ୍ତି ଲୁଟେରା । ଆଉ ଲୁଟ୍ର ଟିକ୍ନିକ୍ ଦୃଶ୍ୟକୁ କଏଦ କରିଛି ସିସିଟିଭି କ୍ୟାମେରା ।

ବିବାହ ଉତ୍ସବକୁ ଅତିଥି ହୋଇ ଆସି, ଲୁଟିନେଲେ ୧୦ଲକ୍ଷ ଟଙ୍କାର ଉପହାର । ପୁରୀ ବଳିଆ ପଣ୍ଡା ଥାନା ଅଂଚଳର ଏକ ହୋଟେଲରେ ବିବାହ ଭୋଜି ଚାଲିଥିବା ବେଳେ ଅତିଥି ବେଶରେ ଲୁଟେରା ଆସି ଉପହାର ଆକାରରେ ମିଳିଥିବା ସୁନା ଅଳଙ୍କାର ଓ ଟଙ୍କା ନେଇ ଚମ୍ପଟ ମାରିଛନ୍ତି । ଆଉ ଉପହାର ନେଇ ଫେରାର ହେଉଥିବା ବେଳର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ସୁଆରସାହିର ପ୍ରମୋଦ ମିଶ୍ରଙ୍କ ଭଣଜା ସନ୍ଦୀପ ମିଶ୍ରଙ୍କ ବିବାହ ଭୋଜିରୁ ଏପରି ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।

ରାତି ପ୍ରାୟ ସାଢ଼େ ୯ଟା ବେଳେ ଜଣେ ଲୁଟେରା ଅତିଥି ଭାବେ ଉତ୍ସବରେ ସାମିଲ ହୋଇଥିଲେ । ପ୍ରାୟ ଦେଢ଼ ଘଂଟାରୁ ଅଧିକ ସମୟ ଧରି ଏଠାରେ ରହି ରେକି କରିବା ସହ ଦାମୀ ଉପହାର କେଉଁଠି ରହୁଛି ସବୁ ନଜର କରିଥିଲା । ଏହାପରେ ଷ୍ଟେଜରେ ନବବିବାହିତ ଦମ୍ପତି ଅନ୍ୟ ଅତିଥିଙ୍କ ସହ ଫଟୋ ଉଠାଉଥିବା ବେଳେ ଦାମୀ ଉପହାର ଭର୍ତି ବ୍ୟଗା ଧରି ଚମ୍ପଟ ମାରିଥିଲା । ରାତି ପ୍ରାୟ ୧୧ଟା ୩୭ମିନିଟରେ ଲୁଟେରା ବ୍ୟାଗ ନେଇ ଗେଟରୁ ବାହାରି ଯାଉଥିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ପୁଲିସ ସିସିଟିଭି କ୍ୟାମେରାକୁ ଯାଂଚ କରିବା ସହ ତଦନ୍ତ ଆରମ୍ଭ କରିଛି ।

ତେବେ ବିବାହ ମଣ୍ଡପରେ ଅତିଥି ସାଜି ଲୁଟ୍ କରିବା ଘଟଣା ପୁରୀରେ ପ୍ରଥମ ଥର ଘଟିଛି । ଯଦିଓ ସିସିଟିଭି ଫୁଟେଜରେ କାରନାମାର ପୁରା ଚିତ୍ର ରହିଛି, ତଥାପି ଚୋରଙ୍କୁ ଠାବ କରିବା ଏବଂ ଚୋରୀ ହୋଇଥିବା ଉପହାର ଓ ଗହଣା ଉଦ୍ଧାର କରିବା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।