କନକ ବ୍ୟୁରୋ: ଜିଆ, ଗାଇ ଗୋବର ଓ ବିଭିନ୍ନ ପ୍ରକାରର ପନିପରିବା ଚୋପାକୁ ବ୍ୟବହାର କରି ସେଥିରେ ଖତ ପ୍ରସ୍ତୁତ କରୁଛନ୍ତି ମହିଳା । ବିଭିନ୍ନ ପ୍ରକାରର ଅଳିଆ ଆବର୍ଜନାକୁ ଏକାଠି କରି ସେଥିରେ ଜିଆ ଛାଡ଼ିବାର ୬ମାସ ପରେ ପ୍ରସ୍ତୁତ ହେଉଛି ଖତ । ଘରେ ଘରେ ୩ରୁ ୪ଟି କୁଣ୍ଡ ତିଆରି ଖତ ପ୍ରସ୍ତୁତ କରୁଛନ୍ତି ମହିଳା । ଆଉ ଏହାକୁ ବିକ୍ରି କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି କେନ୍ଦୁଝର ଆହରପୋଷି ଗାଁର ମହିଳା । ଏଭଳି କିଛି କାମ କରି ମହିଳା ସଶକ୍ତିକରଣ କ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ।

Advertisment

ଏହି ଗାଁରେ ଥିବା ୯୨ଟି ପରିବାର ମଧ୍ୟରୁ ୮୨ଟି ପରିବାର ଜିଆଖତ ବିକ୍ରି କରି ଲାଭବାନ ହେଉଛନ୍ତି । ପୂର୍ବରୁ ମହିଳାମାନେ ଚାଷ ବାସ ସହ ଜଙ୍ଗଲରୁ କାଠ ସଂଗ୍ରହ କରି ପରିବାର ଚଳାଉଥିବା ବେଳେ ଏବେ ଜିଆ ଖତରୁ ମିଳୁଥିବା ରୋଜଗାର ସେମାନଙ୍କ ପରିବାର ପ୍ରତିପୋଷଣରେ ସହାୟକ ହେଉଛି । ଆଉ ଏଥିପାଇଁ କେନ୍ଦୁଝର ବନବିଭାଗ ପକ୍ଷରୁ ସେମାନଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଇଛି ।

କେନ୍ଦୁଝର ବନଖଣ୍ଡ ଡିଏଫଓ ଧନରାଜ ଏଚ.ଡିଙ୍କ ପ୍ରଚେଷ୍ଟାରେ ପ୍ରଥମେ ଆହରପୋଷି ଗାଁରେ ଆରମ୍ଭ ହୋଇଥିଲା ଏହି କାମ । ପରେ ଏହି କାମକୁ ଆପଣାଇଛନ୍ତି ୫ଟି ଗାଁର ମହିଳା । କଣ୍ଡରାପୋଷି, କେରି, ଭାଲୁଘର, ଝାରବେଲଦା ଗାଁର ମହିଳାମାନେ ଜିଆ ଖତ ପ୍ରସ୍ତୁତ କରି ଲାଭବାନ ହେଉଛନ୍ତି । ଏହି ଖତକୁ ବିକ୍ରି କରିବା ସହ ଚାଷ କାମରେ ବ୍ୟବହାର କରାଯାଉଛି । ବନବିଭାଗ ପ୍ରତିବର୍ଷ ବଭିନ୍ନ ସମୟରେ ବୃକ୍ଷରୋପଣ କରୁଥିବା ବେଳେ ଏମାନଙ୍କ ଠାରୁ ଖତ ସଂଗ୍ରହ କରି ଏହି କାର୍ଯ୍ୟରେ ଲଗାଉଛି । ଯାହାଦ୍ୱାରା ସେମାନଙ୍କୁ ବେଶ ଦୁଇ ପଇସା ରୋଜଗାର ମିଳିପାରୁଛି ।

ସ୍ୱଳ୍ପ ଖର୍ଚ୍ଚରେ ଅଧିକ ଲାଭ ମିଳୁଥିବାରୁ ଏହି କାମକୁ ଆପଣାଇ ବେଶ ଖୁସି ଅଛନ୍ତି ମହିଳା । ତେଣୁ ଆଗକୁ କିପରି ଅଧିକରୁ ଅଧିକ ଜିଆଖତ ପ୍ରସ୍ତୁତ କରି ଲାଭବାନ ହେବେ ସେନେଇ ମହିଳା ମାନେ ଆଶାବାଦୀ ଅଛନ୍ତି ।