ବିଜେପି ଆଡକୁ ଢଳୁଛନ୍ତି କି ଗୁଲାମ ନବି ଆଜାଦ । ମୋଦିଙ୍କୁ ପ୍ରଶଂସା କରିବା ପରେ ନୂଆ କଳ୍ପନା ଜଳ୍ପନା ।

371

କନକ ବ୍ୟୁରୋ : ଗତକାଲି ଜମ୍ମୁରେ ଅନୁଷ୍ଠିତ ଜି-୨୩ ସମ୍ମିଳନୀରେ କଂଗ୍ରେସ ନେତୃତ୍ୱକୁ ସମାଲୋଚନା କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବି ଆଜାଦ । ଆଜି ଜମ୍ମୁରେ ଅନୁଷ୍ଠିତ ଆଉ ଏକ ସଭାରେ ସେ କହିଛନ୍ତି ଯେ, ମୋଦିଙ୍କ ସହ ନୀତିଗତଭାବେ ଅନେକ ପ୍ରସଙ୍ଗରେ ତାଙ୍କର ମତଭେଦ ରହିଛି । କିନ୍ତୁ ଏହା ମାନିବାକୁ ପଡ଼ିବ ଯେ ସେ ନିଜର ମୂଳ ସହ ସବୁବେଳେ ଯୋଡ଼ିହୋଇରହିଥାନ୍ତି । ଏବେ ବି ସେ କହନ୍ତି ଯେ, ସେ ପୂର୍ବରୁ ଚା ଦୋକାନୀ ଥିଲେ । ସେ ନିଜେ ମଧ୍ୟ ଗାଁରୁ ଆସିଛନ୍ତି ଓ ଏଥିପାଇଁ ଗର୍ବ ଅନୁଭବ କରନ୍ତି ବୋଲି ଆଜାଦ କହିଛନ୍ତି ।

ଚଳିତ ମାସ ପ୍ରାରମ୍ଭରେ ରାଜ୍ୟସଭାରେ ଆଜାଦଙ୍କ ଅବସର ବେଳେ ମୋଦୀ ତାଙ୍କୁ ପ୍ରଶଂସା କରିଥିଲେ । ଏହାପରେ ରାଜନୈତିକ ମହଲରେ ଏହାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା । ଆଜାଦ ବିଜେପି ଆଡ଼କୁ ଢଳୁଥିବା ମଧ୍ୟ କୁହାଯାଇଥିଲା । ଏବେ ମୋଦିଙ୍କୁ ଆଜାଦଙ୍କ ପ୍ରଶଂସା, ଏକ ନୂଆ ସମୀକରଣ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି ।