କନକ ବ୍ୟୁରୋ: କଶ୍ମୀରରେ ପ୍ରତି ଘଂଟାରେ ବଦଳୁଛି ପରିସ୍ଥିତି । କାଶ୍ମୀରରେ ଗୋଟିଏ ପରେ ଗୋଟିଏ ରାଜନୈତିକ ଦୃଶ୍ୟପଟ୍ଟର ଦ୍ରୁତ ପରିବର୍ତ୍ତନ ହେଉଛି । କାଲି ରାତିରୁ ପିଡିପି ମୁଖ୍ୟ ମେହେବୁବା ମୁଫତି ଓ ନେସନାଲ କନଫରେନ୍ସ ନେତା ଉମର ଅବଦୁଲ୍ଲାଙ୍କ ସମେତ ପିପୁଲସ କନଫରେନ୍ସ ନେତା ସଜ୍ଜାଦ ଲୋନଙ୍କୁ ମଧ୍ୟ ନଜରବନ୍ଦୀ କରିଦିଆଯାଇଛି । ସେହିଭଳି କାଶ୍ମୀର ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତା ଡକାଯାଇଥିବା ଉଚ୍ଚ ସ୍ତରୀୟ ବୈଠକ ମଧ୍ୟ ଶେଷ ହୋଇଛି । ଯଦିଓ ବୈଠକରେ କାଶ୍ମୀରକୁ ନେଇ କଣ ନିଷ୍ପତି ନିଆଗଲା ତାହା ଏଯାବତ୍ ସ୍ପଷ୍ଟ ହୋଇପାରିନି ତେବେ ଏସଂପର୍କରେ ଆଉ କିଛି ସମୟ ପରେ ସଂସଦରେ ଗୃହମନ୍ତ୍ରୀ ଅମିତ ଶାହା ବିବୃତି ରଖିପାରନ୍ତି ବୋଲି ଜଣାପଡିଛି ।

Advertisment

ସେପଟେ, ଜମ୍ମୁକାଶ୍ମୀରରେ ଉତ୍ତେଜନା ଭିତରେ କେନ୍ଦ୍ରକୁ ରୋକିବାକୁ ଏକାଠି ହୋଇଛନ୍ତି ବିରୋଧୀ । ଏନସିପି ନେତା ଫାରୁକ ଅବଦୁଲାଙ୍କ ବାସଭବନରେ ଏକାଠି ବୈଠକ କରିଛନ୍ତି କଂଗ୍ରେସ ସମେତ ଅନ୍ୟ ସମସ୍ତ ରାଜନୈତିକ ଦଳ । ପିଡିପି ନେତ୍ରୀ ମେହବୁବା ମୁଫ୍ତିଙ୍କ ସହ ନ୍ୟାସନାଲ କନ୍ଫରେନ୍ସର ନେତାମାନେ ଏକାଠି ହୋଇ ଆଲୋଚନା କରିଛନ୍ତି । ବୈଠକରେ କଂଗ୍ରେସ ମଧ୍ୟ ଯୋଗ ଦେଇଛି । ଏହାସହ ଜମ୍ମୁ ଓ କଶ୍ମୀର ରାଜନୀତିରେ ପ୍ରମୁଖ ଭୂମିକା ରଖୁଥିବା ସାଂସଦ ସଜଦ ଲୋନ୍ ମଧ୍ୟ ଯୋଗ ଦେଇଥିଲେ । ଧାରା ୩୭୦ ୩୫-ଏକୁ ହଟାଇବା ପାଇଁ କେନ୍ଦ୍ର ସରକାର ବିଚାର କରୁଥିବା ଚର୍ଚ୍ଚା ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି । ବୈଠକ ପରେ ଫାରୁକ ଅବଦୁଲ୍ଲା ଜମ୍ମୁକଶ୍ମୀରବାସୀଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ଅପିଲ କରିଛନ୍ତି ।