କନକ ବ୍ୟୁରୋ:ଜଣାପଡିଲା ୟୁକ୍ରେନର କିଭ ଆକାଶରେ ଉଡୁଥିବା ‘ଘୋଷ୍ଟ ପାଇଲଟ୍’ଙ୍କ ପରିଚୟ । ସେ ହେଉଛନ୍ତି ଅଦମ୍ୟ ସାହାସର ପରିଚୟ ଦେଇଥିବା ୨୯ ବର୍ଷିୟ ବୟସ୍କ ମେଜର ଷ୍ଟୋପାନ ତାରାବଲକା ।ମାସକ ପରେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏନେଇ ରିପୋର୍ଟ ପ୍ରକାଶ ପାଇଛି । ମିଗ୍ -୨୯ ଯୁଦ୍ଧ ବିମାନକୁ ଆକାଶରେ ଉଡାଉଥିବାବେଳେ ଋଷ ସେନାର ଗୁଳିମାଡରେ ସହିଦ ହୋଇଛନ୍ତି ଷ୍ଟୋପାନ ତାରାବଲକା ।

Advertisment

ଦୁଇ ମାସ ତଳେ ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ସମୟରେ ୟୁକ୍ରେନର କିଭ ଆକାଶରେ ଚକ୍କର କାଟିଥିଲା ଏକ ଅଜଣା ଫାଇଟର ଜେଟ୍ । ଋଷ ସେନା ଉପରେ କରୁଥିଲା ଆଖିବୁଜା ଆକ୍ରମଣ । ଧ୍ୱଂସ କରୁଥିଲା ଗୋଟେ ପରେ ଗୋଟେ ଋଷ ଯୁଦ୍ଧ ବିମାନ । ହେଲେ ଏହି ବିମାନ କେଉଁଠୁ ଆସିଲା, ଏହାକୁ କିଏ ଚଳାଉଥିଲା ତାହା କୌଣସି ୟୁକ୍ରେନ ବାସୀଙ୍କୁ ବି ଜଣାନଥିଲା । ତେଣୁ ଏଠିକାର ଲୋକେ ଏହି ବିମାନକୁ ‘ଘୋଷ୍ଟ କ୍ରାଫ୍ଟ’ ଓ ଏହି ବିମାନ ଚାଳକଙ୍କୁ ‘ଘୋଷ୍ଟ ପାଇଲଟ୍’ ଭାବେ ନାମିତ କରିଥିଲେ । ହେଲେ ଦୀର୍ଘ ୨ ମାସପରେ ବିଶ୍ୱ ପାଇଛି ଏହି ଘୋଷ୍ଟ ପାଇଲଟଙ୍କ ପରିଚୟ ।

ଯୁଦ୍ଧରେ ସହିଦ ହୋଇଛନ୍ତି ଏହି ଦୁର୍ଦ୍ଦଶ ‘ଘୋଷ୍ଟ ପାଇଲଟ୍’ ମେଜର ଷ୍ଟୋପାନ ତାରାବଲକା । ମୃତ୍ୟୁ ପରେ ପ୍ରକାଶ ପାଇଛି ତାଙ୍କର ପରିଚୟ । ଗଣମାଧ୍ୟମ ରିପୋର୍ଟ ମୁତାବକ, ମାର୍ଚ୍ଚ ୧୩ ତାରିଖରେ ମିଗ୍-୨୯ରେ ପ୍ରତିଆକ୍ରମଣ କରୁଥିବାବେଳେ ଶତ୍ରୁର ଗୁଳିରେ ପ୍ରାଣ ହରାଇଥିଲେ ଏହି ପପୁଲାର ‘ଘୋଷ୍ଟ ପାଇଲଟ୍’ । ଏନେଇ ୟୁକ୍ରେନ ସରକାରୀ ଟ୍ୱିଟରରୁ ମଧ୍ୟ ଟ୍ୱିଟ୍ କରାଯାଇଛି ।
ତାରାବାଲକାଙ୍କ ସାହସିକତା ପାଇଁ ତାଙ୍କୁ ମରଣୋତ୍ତର ଭାବେ ୟୁକ୍ରେନର ଶୀର୍ଷ ପଦକ, ‘ଅର୍ଡର ଅଫ୍ ଦ ଗୋଲ୍ଡେନ୍ ଷ୍ଟାର’ଆଖ୍ୟାା ଦିଆଯାଇଛି । ତାରାବାଲକାଙ୍କର ପତ୍ନୀ ଓଲେନିଆ ଓ ଆଠ ବର୍ଷର ପୁଅ ୟାରିକ୍ ଅଛନ୍ତି । ଟାଇମ୍ସ ସୂଚନା ମୁତାବକ, ମେଜର ତାରାବାଲକା ପଶ୍ଚିମ ୟୁକ୍ରେନର କୋରୋଲିଭକା ଗାଁର ଏକ ଶ୍ରମିକ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପିଲାଟି ଦିନରୁ ଆକାଶରେ ଯୁଦ୍ଧ ବିମାନ ଉଡୁଥିବାର ଦେଖୁଥିଲେ । ତେଣୁ ପାଇଲଟ୍ ହେବାକୁ ସ୍ୱପ୍ନ ଦେଖୁଥିଲେ ତାରାବାଲକା । ଶେଷରେ ପୂରଣ ହୋଇଥିଲା ତାଙ୍କର ସ୍ୱପ୍ନ । ପାଇଲଟ୍ ଭାବେ ସେନାରେ ଯୋଗ ଦେଇଥିଲେ ତାରାବାଲକା । ଆଉ ଶେଷରେ ଦେଶ ମାଟି ପାଇଁ ଜୀବନ ଦେଇଛନ୍ତି ।

ଋଷ ସେନା ବିରୋଧରେ ଶେଷ ନିଃଶ୍ୱାସ ଯାଏଁ ଲଢିଥିଲେ ତାରାବାଲକା । ଯୁଦ୍ଧର ସ୍ୱତନ୍ତ୍ର ମିଶନରେ ସାମିଲ ହୋଇ ଦେଶ ପାଇଁ ପ୍ରାଣ ବଳି ଦେଇଛନ୍ତି । ତାରାବଳକା ଏପରି ଜଣେ ବ୍ୟକ୍ତିତ୍ୱ ଯିଏ ୟୁକ୍ରେନ ସରକାରଙ୍କ ପାଇଁ ଜଣେ ସିକ୍ରେଟ୍ ପାୱାର ଥିଲେ । ମାର୍ଚ୍ଚ ୧୩ ତାରିଖରୁ ତାଙ୍କର ନିଧନ ହୋଇଥିଲେ ବି ଲୋକଙ୍କ ମନୋବାଳ ବଜାୟ ରଖିବାକୁ ଏହି ଖବରକୁ ପ୍ରକାଶ କରାଯାଇନଥିଲା । ଶେଷରେ ଏହି ଘୋଷ୍ଟ ପାଇଲଟଙ୍କ ପରିଚୟ ପାଇଛି ୟୁକ୍ରେନ ଓ ସାରା ବିଶ୍ୱ । ଆଉ ତାଙ୍କର ସାହସ ଓ ବଳିଦାନ ପାଇଁ କରୁଛି ସଲାମ ।