କନକ ବ୍ୟୁରୋ: ସ୍ଥାୟୀ ପଟ୍ଟା ପ୍ରଦାନ ଦାବିରେ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ । ପୁରୀ ବଳିଆପଣ୍ଡା ବସ୍ତିବାସିନ୍ଦା ଗତକାଲିଠାରୁ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରିବା ସହ ରାସ୍ତାରୋକ କରିଛନ୍ତି ।

ସୂଚନା ଅନୁସାରେ, ବଳିଆପଣ୍ଡାର ଦୁଇଟି ବସ୍ତି ବିଜୟନଗର ଓ ମହେଶ୍ୱରନଗରରେ ପ୍ରାୟ ଅଢେଇ ହଜାର ପରିବାର ବସବାସ କରୁଛନ୍ତି । ୨୦୧୪ ମସିହାରେ ରାଜୀବ ଗାନ୍ଧୀ ଆବାସ ଯୋଗାଇ ଦେବା ପାଇଁ ଏଠାରେ ସର୍ଭେ ହୋଇଥିଲା । ପ୍ରଗତି ନାମରେ ଘରୋଇ ସଂସ୍ଥା ଏହି ସର୍ଭେ କରିଥିଲା । ୨୦୧୭ ମସିହାରେ ଭୂମି ଅଧିକାର ଅଧିନିୟମ ଆସିବା ପରେ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବସ୍ତିରେ ପୁଣି ଏକ ସର୍ଭେ କରାଯାଇଥିଲା । ପୁରୀରେ ଅନେକ ବସ୍ତିକୁ ସେହି ସମୟରେ ପଟ୍ଟା ପ୍ରଦାନ କରାଯାଇଥିଲା । ହେଲେ ମହେଶ୍ୱରନଗର ଓ ବିଜୟନଗର ବସ୍ତି ବାସିନ୍ଦା ଏଥିରୁ ବଂଚିତ ହୋଇଥିଲେ । ତେବେ ଏହି ସ୍ଥାନ ମଧୁର ଜଳ ଅଞ୍ଚଳ କହି ପ୍ରଶାସନ ଜମି ପଟ୍ଟା ପ୍ରଦାନ କରୁନଥିବା ଅଭିଯୋଗ କରିଛନ୍ତି ବସ୍ତି ବାସିନ୍ଦା । ଏହାକୁ ନେଇ ଗତକାଲି ଠାରୁ ଧାରଣା ଦେଇଛନ୍ତି ।

ସେମାନଙ୍କ ଅଭିଯୋଗ ଅନେକ ମଧୁର ଜଳ ଅଞ୍ଚଳକୁ କୋଠାବାଡି ଓ ଆପାର୍ଟମେଣ୍ଟ ନିର୍ମାଣ କରିବାକୁ ଅନୁମତି ମିଳୁଛି, ହେଲେ ବସ୍ତିବାସିନ୍ଦାଙ୍କୁ କାହିଁକି ଜମିପଟ୍ଟା ପ୍ରଦାନ କରାଯାଉ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଆନ୍ଦୋଳନକାରୀ । ଏହାକୁ ନେଇ ପୂର୍ବରୁ ଜିଲ୍ଲା ପ୍ରଶାସନ ସହ ଅନେକ ବୈଠକ ବସିଛି କିନ୍ତୁ କୌଣସି ସୁଫଳ ମିଳିନାହିଁ । ନିର୍ବାଚନ ଆଚରଣବିଧି ଲାଗୁ ହେବା ପୂର୍ବରୁ ଜମି ପଟ୍ଟା ପ୍ରଦାନ କରିବାକୁ ଚେତାବନୀ ଦେଇଛନ୍ତି ବସ୍ତି ବାସିନ୍ଦା ।