ଗାଜୀପୁର ସୀମାରେ ପୁଣି ଦୁର୍ଘଟଣା । ଚା ଦୋକାନ ଉପରେ ମାଡିଗଲା ଟ୍ରକ, ୬ ମୃତ

68

କନକ ବ୍ୟୁରୋ : ଗାଜୀପୁର ସୀମାରେ କିଛିଦିନ ତଳେ ଗୋଟିଏ ଟ୍ରକ୍ ଡିଭାଇଡର ଉପରେ ମାଡିଯିବାରୁ ୩ ଜଣ ଆନ୍ଦୋଳନକାରୀ ମହିଳା କୃଷକଙ୍କ ମୃତ୍ୟୁ ହୋଇଥିଲା । ପୁଣି ଆଜି ସକାଳେ ବି ସେହିଭଳି ଏକ ଅପ୍ରତ୍ୟାଶିତ ଦୁର୍ଘଟଣା ଦେଖିବାକୁ ମିଳିଛି । ଏକ ଟ୍ରକ ଭାରସାମ୍ୟ ହରାଇ ଏକ ଚା ଦୋକାନ ଉପରେ ମାଡିଯିବାରୁ ୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ।

ସୂଚନା ମୁତାବକ ଆଜି ସକାଳ ୮ ଟାରେ ଗାଜୀପୁର ସୀମାରେ ରାସ୍ତାକୁ ଲାଗି ଏକ ଚା ଦୋକାନରେ ପ୍ରବଳ ଭିଡ ଥିଲା । ଠିକ୍ ଏହି ସମୟରେ ଦ୍ରୁତଗତିରେ ଏକ ଟ୍ରକ ଆସି ଚା ଦୋକାନ ଉପରେ ମାଡି ଯାଇଥିଲା । ଫଳରେ କିଛି ଲୋକ ଭାଗ୍ୟ ବସତଃ ବଞ୍ଚିଯାଇଥିବା ବେଳେ ଟ୍ରକ୍ ଚକାତଳେ ଚାପି ହୋଇ ୬ ଜଣଙ୍କର ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକମାନେ ଟ୍ରକ୍ ଚାଳକକୁ ଧରି ନିର୍ଧୁମ ପିଟିଛନ୍ତି ।

ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି କୌଣସି ପ୍ରକାର ଗ୍ରାମବାସୀଙ୍କ ଠାରୁ ଚାଳକକୁ ଉଦ୍ଧାର କରିଛି । ଦୁର୍ଘଟଣାରେ ଆହତ ହୋଇଥିବା ଅନ୍ୟଲୋକମାନଙ୍କୁ ମେଡିକାଲ ପଠାଇ ଦିଆଯାଇଛି । ସ୍ଥାନୀୟ ଲୋକମାନେ ଶବଗୁଡିକୁ ରାସ୍ତାରେ ରଖି ରାସ୍ତା ଅବରୋଧ କରିଥିଲେ । ଖବର ପାଇ ଜିଲ୍ଲାପାଳ ଓ ଏସପି ଘଟଣା ସ୍ଥଳରେ ପହଂଚି ଗ୍ରାମବାସୀଙ୍କୁ ବୁଝାଇବାରେ ଲାଗିଛନ୍ତି ।

ଆଜି ସକାଳୁ ଗାଜୀପୁର ନିକଟ ଅହରୋଲ ଗାଁ ପାଖରେ ଥିବା ଏକ ଚା ଦୋକାନରେ ସାକଳେ ଭିଡ ଲାଗିଥିବା ବେଳେ ଏକ ଟ୍ରକ୍ ହଠାତ ଚା ଦୋକାନ ଉପରେ ମାଡି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ୨ ଜଣଙ୍କର ମୃତ୍ୟୁ ହୋଇଛି ।