ଭଉଣୀକୁ କମେଣ୍ଟ୍ କଲେ , ମାମୁଁଙ୍କ ମୁଣ୍ଡକୁ ଗୁଳି ମାରିଲେ : ଗୁଳି ମାଡ଼ରେ ଚାଲିଗଲା ସାମ୍ବାଦିକଙ୍କ ଜୀବନ । କାନ୍ଦି କାନ୍ଦି ଘଟଣା ବଖାଣିଲେ ଭଣଜା , କହିଲେ ନ୍ୟାୟ ନମିଳିବା ଯାଏଁ ମାମୁଁଙ୍କ ଶବଦାହ କରିବୁନାହିଁ ।

1,012

ରାଜଧାନୀ ଦିଲ୍ଲୀର ଗାଜିଆବାଦରେ ଗତ ୧୬ ଜୁଲାଇରେ ଜଣେ ସାମ୍ବାଦିକଙ୍କ ଭାଣିଜୀଙ୍କୁ କମେଣ୍ଟ୍ ମାରିଥିଲେ କିଛି ଦୁର୍ବୃତ୍ତ । ଏନେଇ ଥାନାରେ ଏତଲା ଦେଇଥିଲେ ମାମୁଁ । ପ୍ରତିଶୋଧ ପରାୟଣ ହୋଇ ସୋମବାର ଉକ୍ତ ସାମ୍ବାଦିକଙ୍କୁ ଗୁଳି କରିଥିଲେ ଦୁର୍ବୃତ୍ତ । ବୁଧବାର ସାମ୍ବାଦିକ ବିକ୍ରମ ଯୋଶୀ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସାମ୍ବାଦିକଙ୍କ ହତ୍ୟା ଘଟଣାରେ ଗାଜିଆବାଦ୍ ପୋଲିସ୍ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅନ୍ୟପକ୍ଷରେ ଘଟଣାକୁ ଚପାଇଦେବାକୁ ନେଇ ଥାନା ଇନଚାର୍ଜଙ୍କୁ ସସପେଣ୍ଡ ମଧ୍ୟ କରାଯାଇଛି ।

ସାମ୍ବାଦିକ ବିକ୍ରମ ଯୋଶୀ ଭାଣିଜୀଙ୍କୁ ହଇରାଣ କରିବା ଏବଂ କମେଣ୍ଟ୍ ମାରୁଥିବା ଯୁବକଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ । ହେଲେ ଏନେଇ ପୋଲିସ୍ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ଏହାପରେ ପ୍ରତିଶୋଧ ପରାୟଣ ଯୁବକ ସାମ୍ବାଦିକଙ୍କୁ ସୋମବାର ବାଇକରେ ଯାଉଥିବା ସମୟରେ ଗୁଳି କରି ହତ୍ୟା କରିଥିଲେ ।

ଏହି ଘଟଣାର ସିସିଟିଭି ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ୫ ରୁ ୬ ଜଣ ଲୋକ ସାମ୍ବାଦିକଙ୍କୁ ମାରପିଟ୍ କରୁଥିବା ବେଳେ ଆଉ ଜଣେ ଯୁବକ ଆସି ମୁଣ୍ଡ ପାଖରୁ ତାଙ୍କୁ ଗୁଳି ମାରୁଥିବା ଦେଖାଯାଉଛି । ଗୁଳି ମାରିବା ପରେ ଅପରାଧି ସେଠାରୁ ଫେରାର୍ ହୋଇଯାଉଥିବା ବେଳେ ସାମ୍ବାଦିକଙ୍କ କୁନିଝିଅ ସମସ୍ତଙ୍କୁ ସାହାଯ୍ୟ ପାଇଁ ନେହୁରା ହେଉଥିବା ନଜର ଆସୁଛନ୍ତି । ଏନେଇ ବିକ୍ରମଙ୍କ ଭଣଜା କହିଛନ୍ତି , ପୋଲିସ୍ ଯଦି ପୂର୍ବରୁ ସଠିକ୍ ଢଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତେ ତେବେ ଆଜି ଆମକୁ ଏ ଦଶା ଦେଖିବାକୁ ପଡିନଥାନ୍ତା । ଯେଉଁ ପର୍ଯ୍ୟନ୍ତ ଆମକୁ ନ୍ୟାୟ ନମିଳିଛି ସେ ପର୍ଯ୍ୟନ୍ତ ଆମେ ମାମୁଁଙ୍କ ଶବଦାହ କରିବୁନାହିଁ ।