କନକ ବ୍ୟୁରୋ : କାଲିଠାରୁ ଖୋଲିବ ଘଟଙ୍ଗାଁ ତାରିଣୀ ମନ୍ଦିର । ସମସ୍ତ କୋଭିଡ କଟକଣା ସହ ମାଙ୍କୁ ଦର୍ଶକ କରିବେ ଶ୍ରଦ୍ଧାଳୁ । କରୋନା କଟକଣା ପରଠାରୁ ବନ୍ଦ ରହିଥିବା ରାଜ୍ୟର ପ୍ରାୟ ସମସ୍ତ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲି ସାରିଥିବା ବେଳେ ଆସନ୍ତାକାଲି ଠୁ ଖୋଲିବ ଘଟଗାଁ ସ୍ଥିତ ମା’ ତାରିଣୀ ମନ୍ଦିର । କରୋନାକୁ ଦୃଷ୍ଟିରେ ରଖି ମନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁଙ୍କ ପାଇଁ ନୂଆ ନିୟମ ଜାରି କରାଯାଇଛି । ସକାଳ ୮ଟାରୁ ମଧ୍ୟାହ୍ନ ସାଢ଼େ ୧୨ଟା ଏବଂ ଅପରାହ୍ନ ୪ଟାରୁ ସଂଧ୍ୟା ସାଢ଼େ ୬ଟା ମଧ୍ୟରେ ସାଧାରଣ ଲୋକେ ମାଙ୍କୁ ଦର୍ଶନ କରିପାରିବେ । ୩ନମ୍ବର ଗେଟ ଦେଇ ଶ୍ରଦ୍ଧାଳୁମାନେ ମନ୍ଦିରକୁ ପ୍ରବେଶ କରିବେ , ଏବଂ ଦର୍ଶନ ପରେ ୪ନମ୍ବର ଗେଟ ଦେଇ ବାହାରକୁ ବାହାରିବେ । ଭକ୍ତମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଥିବା ବେଳେ ସାନିଟାଇଜ ସହ ମନ୍ଦିର ଭିତରେ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯିବ । ଏକାଥରେ ୨୫ରୁ ୩୦ ଜଣ ଭକ୍ତଙ୍କୁ ହିଁ ଦର୍ଶନ ସୁବିଧା ମିଳିବ । ମନ୍ଦିର ଭିତରକୁ ଭୋଗ, ଧୂପ, ଦୀପ ଓ ପୁଷ୍ପ ଆଦି ବାରଣ କରାଯାଇଛି ।
କହିରଖୁ କି କରୋନା ମହାମାରୀ ପାଇଁ ପ୍ରାୟ ଦୀର୍ଘ ୧୦ ମାସ ହେବ କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ ଦୈବୀପୀଠ ମା’ ତାରିଣୀଙ୍କ ମନ୍ଦିର ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିଥିଲା । ଫଳରେ ଭକ୍ତମାନେ ମା’ଙ୍କ ଦର୍ଶନ ପାଇବାରୁ ବଞ୍ଚିତ ହେଉଥିଲେ । ଏହାସହ ମନ୍ଦିର ବେଢା ହେଉ କି ମନ୍ଦିର ବାହାରେ ଛୋଟ ଛୋଟ ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଉଥିବା ଲୋକମାନେ ନିଜର ରୋଜଗାର ହରାଇ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିଲେ । ଆସନ୍ତା କାଲିଠାରୁ ମନ୍ଦିର ଖୋଲିବା ନେଇ ସୂଚନା ମିଳିବା ପରେ ଶ୍ରଦ୍ଧାଳୁଙ୍କ ସହ ବ୍ୟବସାୟୀ ମାନେ ଏବେ ଖୁସିବ୍ୟକ୍ତ କରିଛନ୍ତି ।