ନିର୍ବାଚନ ଫଳାଫଳ ପରେ ଘସିପୁରା ସ୍ୱାଧୀନ ପ୍ରାର୍ଥୀ ସୌମ୍ୟ ରଂଜନଙ୍କ ସାମ୍ବାଦିକ ସମ୍ମିଳନୀ । କହିଲେ, ଶିକ୍ଷଣୀୟ ଥିଲା ଘସିପୁରା ଅନୁଭୂତି, ଭୋଟରଙ୍କୁ ଦେଲେ ଧନ୍ୟବାଦ

395

କନକ ବ୍ୟୁରୋ : ନିର୍ବାଚନ ଫଳାଫଳ ପରେ ଘସିପୁରା ସ୍ୱାଧୀନ ପ୍ରାର୍ଥୀ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ସାମ୍ବାଦିକ ସମ୍ମିଳନୀ । ଘଷିପୁରା ନିର୍ବାଚନର ଅନୁଭୂତି ଓ ନିର୍ବାଚନରେ ବିଜେଡିର ପରାୟଜକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ଯେ ଘସିପୁରା ଅନୁଭୂତି ଶିକ୍ଷଣୀୟ ଥିଲା । ବିନା ଦଳ ଓ ସଂଗଠନରେ ନିର୍ବାଚନ ଲଢ଼ିଥିଲେ । ସେଠାରେ ନେତାଙ୍କ ପ୍ରତି ଲୋକଙ୍କର ପ୍ରବଳ ଜନଅସନ୍ତୋଷ ଥିଲା । ଆତଙ୍କରାଜ ଓ ଗୁଣ୍ଡାଗର୍ଦ୍ଦିକୁ ନେଇ ଅତିଷ୍ଠ ହୋଇପଡ଼ିଥିଲେ ଲୋକେ । ସେଥିପାଇଁ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ପ୍ରତିଜ୍ଞା ନେଇଥିଲି ବୋଲି ସୌମ୍ୟରଂଜନ କହିଛନ୍ତି । ଏଥର ଘସିପୁରାରେ ବିନା ବୁଥ କ୍ୟାପଚରିଂରେ ନିର୍ବାଚନ ହୋଇଛି । ଆଉ ବିଜୟୀ ପ୍ରାର୍ଥୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୌମ୍ୟରଂଜନ । ଏହାସହ ସୌମ୍ୟରଂଜନ ଆଗାମୀ ନିର୍ବାଚନ ଗୁଡ଼ିକରେ ସ୍ୱାଧୀନ ସାଂସଦ ପ୍ରାର୍ଥୀ ଓ ସ୍ୱାଧୀନ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଅଲଗା ଚିହ୍ନ ରଖିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ସେପଟେ ନିର୍ବାଚନରେ ବିଜେଡି କାହିଁକି ହାରିଲା ଓ ମୁଖ୍ୟମନ୍ତ୍ରୀଙ୍କ ସମ୍ବନ୍ଧରେ ବଡ଼ କଥା କହିଛନ୍ତି ସୌମ୍ୟରଂଜନ । କହିଛନ୍ତି, ପ୍ରଥମ କିଛି ବର୍ଷ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ହେଉଥିଲା । କିନ୍ତୁ ପରେ ଏହା ଆଉ ସମ୍ଭବ ହେଲାନାହିଁ । ଯାହାର ପରିଣାମ ଦଳ ଆଜି ଭୋଗିଛି ବୋଲି ସୌମ୍ୟରଂଜନ କହିଛନ୍ତି । ସୌମ୍ୟରଂଜନ ଆହୁରି କହିଛନ୍ତି ଯେ ଯିଏ ସତକୁ ବୁଝେ ନାହିଁ, ସିଏ ବେଶୀ ଦିନ ତିଷ୍ଠିପାରେନି । କ୍ରୀତଦାସ ଓ ଚାଟୁକାରକୁ ନେଇ ଦଳ ନଚଳାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ସୌମ୍ୟରଂଜନ ।