ନିର୍ବାଚନ ଫଳାଫଳ ପରେ ଘସିପୁରା ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନଙ୍କ ସାମ୍ବାଦିକ ସମ୍ମିଳନୀ । କହିଲେ, ଶିକ୍ଷଣୀୟ ଥିଲା ଘସିପୁରା ଅନୁଭୂତି । ବିଜେଡିର ପରାଜୟକୁ ନେଇ କହିଲେ, କ୍ରୀତଦାସଙ୍କୁ ନେଇ ଦଳ ଚାଲେନି ।

812

କନକ ବ୍ୟୁରୋ: ପ୍ରତି ନିର୍ବାଚନ ଶିକ୍ଷଣୀୟ ହେଇଥାଏ । ଯିଏ ପ୍ରତି ନିର୍ବାଚନରୁ କିଛି କିଛି ଶିଖିଥାଏ, ପରବର୍ତ୍ତୀ ନିର୍ବାଚନ ପାଇଁ ଉପଯୋଗୀ ହେଇଥାଏ । ଏଥର ନିର୍ବାଚନ ମୋ ପାଇଁ ଶିକ୍ଷଣୀୟ ଥିଲା । ତେବେ ଏକ ବିଶେଷ ପରିସ୍ଥିତିରେ ମୁଁ ଘଷିପୁରାରୁ ନିର୍ବାଚନ ଲଢିବାକୁ ଚିନ୍ତା କରିଥିଲି । ତାହା ପୁଣି ବିନା ଦଳ, ବିନା ସଙ୍ଗଠନ ଏବଂ ବିନା ଅନୁଭବରେ । ଘଷିପୁରାରେ ହିଂସା ରାଜୁତି କରୁଥିଲା । ରାଜନୈତିକ ହିଂସାକାଣ୍ଡ ସର୍ବାଧିକ ହେଉଥିଲା । ଏଭଳି ପରିସ୍ଥିତିରେ ମୁଁ ଘଷିପୁରା ନିର୍ବାଚନରେ ପ୍ରବେଶ କରିଥିଲି । ବୁଧବାର ସାମ୍ବାଦିକ ସମ୍ମିଳନୀ କରି ଏଭଳି କହିଛନ୍ତି ବରିଷ୍ଠ ରାଜନେତା ସୌମ୍ୟରଞ୍ଜନ ପଟ୍ଟନାୟକ ।

ସେ କହିଛନ୍ତି ଯେ, ପ୍ରଥମରୁ ସେ ଘଷିପୁରା ନିର୍ବାଚନକୁ ଶାନ୍ତିଶୃଙ୍ଖଳାରେ କରିବାକୁ ଲକ୍ଷ୍ୟ ରଖିଥିଲେ ଆଉ ତାହା ସଫଳ ହେଇଛି । ଏଥର ବିନା ବୁଥ୍ କ୍ୟାପଚରିଂରେ ଘଷିପୁରାରେ ନିର୍ବାଚନ ହେଇଛି । ଘଷିପୁରାର ଅନେକ ଲୋକ ୨୫ ବର୍ଷ ପରେ ଭୋଟ୍ ଦେବାର ଅଧିକାର ପାଇଲେ ବୋଲି ସୌମ୍ୟ ପଟ୍ଟନାୟକ କହିଛନ୍ତି । ଅନ୍ୟପଟେ ନିର୍ବାଚନ କମିସନଙ୍କୁ ପରାମର୍ଶ ଦେଇ ସେ କହିଛନ୍ତି, ସ୍ୱାଧୀନ ବିଧାୟକ ଏବଂ ସ୍ୱାଧୀନ ସାଂସଦ ପ୍ରାର୍ଥୀଙ୍କ ଚିହ୍ନ ଅଲଗା ଅଲଗା ହେଉ । ଦୁଇ ସ୍ୱାଧୀନ ପ୍ରାର୍ଥୀଙ୍କ ଚିହ୍ନ ସମାନ ହେଇଥିବାରୁ, ଭୋଟିଂରେ ଅସୁବିଧା ହେଇଥିଲା ବୋଲି ସେ କହିଛନ୍ତି ।

ସୌମ୍ୟ କହିଛନ୍ତି, ବିଜୁ ଜନତା ଦଳରେ ଥିବାବେଳେ, ପ୍ରଥମେ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ହେଉଥିଲା । କିଛି ପରାମର୍ଶ ମଧ୍ୟ ଦିଆ ନିଆ ହେଉଥିଲା । ହେଲେ ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ଏକୁଟିଆ ହେଇଗଲେ । ଆଉ ପରାମର୍ଶ ଦେବାର କି ନେବାର ସୁଯୋଗ ରହିଲାନି । ତାର କୁପରିଣାମ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଭୋଗୁଛନ୍ତି । ଦିନେ ମୁଖ୍ୟମନ୍ତ୍ରୀ ହିଁ ତାଙ୍କୁ ଦଳର ସମ୍ପତ୍ତି ବୋଲି କହୁଥିଲେ, ହେଲେ ସେହି ସମ୍ପତ୍ତି କିପରି ବିପତ୍ତି ହେଇଗଲା ବୋଲି ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।

ଖାଲି ସେତିକି ନୁହେଁ ନବୀନ ବାବୁଙ୍କ ପରାଜୟର କାରଣ ସମ୍ପର୍କରେ ମତ ରଖି ସେ କହିଥିଲେ, ଯେଉଁ ରାଜନେତାମାନେ ସତକୁ ବୋଝ ମଣନ୍ତି, ତାଙ୍କର ଭାଗ୍ୟରେ ପରିବର୍ତ୍ତନ ହୁଏନି । ଭବିଷ୍ୟତ ବେଶ୍ ଉଜ୍ଜଳ ହୁଏନି । ତେବେ ବିରୋଧୀ ଦଳ ହିସାବରେ ସେ ଆଦର୍ଶ ଦେଖାଇବା ସହ ଦଳକୁ ଗଣତାନ୍ତ୍ରିକ ଉପାୟରେ ଚଲାଇବାକୁ କହିଛନ୍ତି ସୌମ୍ୟରଞ୍ଜନ । ଏଥିସହ କ୍ରୀତଦାସମାନଙ୍କୁ ନେଇ ଦଳ ଚାଲେନି ବୋଲି କହିଛନ୍ତି ସୌ÷÷ମ୍ୟରଞ୍ଜନ ପଟ୍ଟନାୟକ ।