କନକ ବ୍ୟୁରୋ: ଘସିପୁରା ବିଜେଡି ବିଧାୟକ ପ୍ରାର୍ଥୀ ବଦ୍ରି ପାତ୍ରଙ୍କୁ ଘେରିଲେ ମହିଳା । କେଶଦୁରାପାଳ କୁରାଳ ସାହିରେ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯାଇଥିବା ବେଳେ ପାଣି ସମସ୍ୟା ନେଇ ସ୍ଥାନୀୟ ମହିଳା ବଦ୍ରି ପାତ୍ରଙ୍କୁ ଘେରିଥିଲେ । ଆଉ ଏହାପରେ ଏହି ଘଟଣାକୁ ନେଇ ପ୍ରକାଶ ପାଇଥିବା ଖବରକୁ ସୋସିଆଲ ମିଡ଼ିଆରେ ଟ୍ୟାଗ୍ କରି ରାଜ୍ୟ ସରକାରଙ୍କ ଟାର୍ଗେଟ୍ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯାହାର ଜବାବ ରଖିଛି ବିଜେଡି ।

Advertisment

ତେବେ ଏହି, ଅବସର ଥିଲା ଘସିପୁର ବ୍ଲକ୍ କେଶଦୁରାପାଳ ଗାଁର କୁରାଳ ସାହିରେ ମଙ୍ଗଳା ମନ୍ଦିରର ପ୍ରତିଷ୍ଠା ଉତ୍ସବ । ଉତ୍ସବରେ ସାମିଲ ହୋଇଥିଲେ ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର । ଆଉ ଠିକ୍ ଏହି ସମୟରେ ଜନପ୍ରତିନିଧିଙ୍କୁ ପାଖରେ ପାଇ ଘେରିଯାଇଥିଲେ ସ୍ଥାନୀୟ ମହିଳା । ଅଭିଯୋଗ ଥିଲା ପାଣି ସମସ୍ୟା ଯୋଗୁଁ ଗାଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥର ଯଦି ପାଣି ସମସ୍ୟାର ସମାଧାନ କରାନଯାଏ । ତେବେ ଲୋକେ ଭୋଟ୍ ଦେବେ ନାହିଁ । ଏମିତିକି ପାଣି ନାହିଁ ତ’ ଭୋଟ୍ ନାହିଁ ନାରା ଦେଇଥିଲେ । ଫଳରେ ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ଅଡୁଆ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିଲା ।

ଠିକ୍ ଏହି ଘଟଣାକୁ ନେଇ ପ୍ରକାଶ ପାଇଥିବା ଖବରକୁ ସୋସିଆଲ ମିଡ଼ିଆରେ ଟ୍ୟାଗ୍ କରି ରାଜ୍ୟ ସରକାରଙ୍କ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଲେଖିଛନ୍ତି, ଘସିପୁରା କେଶଦୁରାପାଳ ପଞ୍ଚାୟତ ସମେତ ସାରା ରାଜ୍ୟର ବିଭିନ୍ନ ସ୍ଥାନର ମହିଳାମାନେ ପାଣି ନାହିଁ ତ ଭୋଟ ନାହିଁ ସ୍ୱର ଉତ୍ତୋଳନ କରିବା କଣ ୨୫ ବର୍ଷ ଶାସନର ରୂପାନ୍ତରଣ ? ଓଡିଶାରେ ଘରକୁ ପାଇପ ଯୋଗେ ସ୍ୱଚ୍ଛ ପାନୀୟ ଜଳ ପହଞ୍ଚାଇବା ଲକ୍ଷ୍ୟରେ ମୋଦୀ ସରକାର ଓଡିଶା ପାଇଁ ୧୦ ହଜାର ୨୦୭ କୋଟିରୁ ଅଧିକ ଟଙ୍କା ଦେବା ପରେ ବି କାହିଁକି ଏପରି ଅବ୍ୟବସ୍ଥା ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ପ୍ରତ୍ୟେକ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଆବଣ୍ଟିତ କେନ୍ଦ୍ରୀୟ ପାଣ୍ଠିର ୫୦ ପ୍ରତିଶତ ମଧ୍ୟ ଖର୍ଚ୍ଚ କରିପାରୁ ନାହାନ୍ତି । ରାଜ୍ୟବାସୀଙ୍କ ପ୍ରତି ସରକାରଙ୍କ ଉଦାସୀନତା ମନୋଭାବ କାହିଁକି? ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ରାଜନୀତିର ଏହି ଆକ୍ଷେପ-ପ୍ରତି ଆକ୍ଷେପ ଭିତରେ ଗ୍ରାଉଣ୍ଡ ଜିରୋର ସ୍ଥିତି ଗମ୍ଭୀର । କେଶଦୁରାପାଳ ପଞ୍ଚାୟତର ଲୋକଙ୍କ ଭାଗ୍ୟରେ ହୁଏତ ଏମିତି ପାଣି ଲେଖା ହୋଇଛି । ପାଣି ପାଇଁ ମହିଳାମାନେ ଗାଁ ପାଖରେ ଥିବା ନାଳକୁ ଯିବାକୁ ପଡ଼ୁଛି । ଆଉ ଅପରିଷ୍କାର ପାଣି ଟିକେ ପାଇଁ ବି ମହିଳାଙ୍କୁ ବହୁତ ବାଟ ଚାଲିବାକୁ ପଡ଼ୁଛି । ପାନୀୟ ଜଳ ସଙ୍କଟର ସମାଧାନ ପାଇଁ ବର୍ଷ ବର୍ଷ ଧରି ଲୋକେ ଦାବି କରି ଆସୁଛନ୍ତି କିନ୍ତୁ ଫଳ ଶୂନ । ତେବେ ପାଣି ପାଇଁ ଲୋକ ଭୋଗୁଥିବା ସମସ୍ୟା ଏବଂ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଲୋକ କରୁଥିବା ପ୍ରତିବାଦ ଭିତରେ ବର୍ଷ ବର୍ଷ ବିତିିଯାଉଛି, ହେଲେ କେନ୍ଦୁଝର ଜିଲ୍ଲା କେଶଦୁରାପାଳ ପଞ୍ଚାୟତ ଲୋକଙ୍କ ଭାଗ୍ୟ ବଦଳିନାହିଁ ।