ସାଧାରଣତନ୍ତ୍ର ଦିବସ ପାଳନ ପାଇଁ କର୍ମଚାରୀଙ୍କୁ ଚାନ୍ଦା ମାଗିଲେ ଜିଲ୍ଲାପାଳ, ବିରୋଧୀ କହିଲେ ଏହା ଲଜ୍ଜାର ଶେଷସୀମା

155

କନକ ବ୍ୟୁରୋ : ସରକାରୀ ରାଜକୋଷରୁ କୋଟି କୋଟି ଟଙ୍କା ଲୁଟ୍ ହେଉଛି । ଜଣେ ଜଣେ ସାଧାରଣ କର୍ମଚାରୀଙ୍କ ଘରେ ଚଢାଉ ହେଲେ ବିଡା ବିଡା ନୋଟ ଜବତ ହେଉଛି । ସରକାରଙ୍କ ଭୁଲ ପାଇଁ ବେଳେ ବେଳେ ହଜାର ହଜାର କୋଟି ଟଙ୍କା ପାଣିରେ ପଡୁଛି । କର୍ପୋରେଟ ହାଉସଗୁଡିକୁ ସରକାର ଲକ୍ଷଲକ୍ଷ କୋଟି ଟଙ୍କାର ଋଣ ଛାଡ କରୁଛନ୍ତି । ହେଲେ ଗଣତନ୍ତ୍ରର ମହାପର୍ବ ସାଧାରଣତନ୍ତ୍ର ଦିବସ ପାଳନ କରିବାକୁ ସରକାରଙ୍କୁ ଟଙ୍କାର ଅଭାବ ପଡୁଛି ଓ ଜିଲ୍ଲାପାଳ ସରକାରୀ କର୍ମଚାରୀଙ୍କୁ ଚାନ୍ଦା ମାଗୁଛନ୍ତି । ଏଭଳି ଘଟଣା କୌଣସି ବିରୋଧୀଦଳ ଶାସିତ ରାଜ୍ୟରେ ନୁହେଁ ବରଂ ଖୋଦ୍ ବିଜେପି ଶାସିତ ରାଜ୍ୟ ଗୋଆରେ ଦେଖିବାକୁ ମିଳିଛି । ଦକ୍ଷିଣ ଗୋଆ ଜିଲ୍ଲାର ଜିଲ୍ଲାପାଳ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ କର୍ମଚାରୀଙ୍କୁ ୧ହଜାର ଟଙ୍କା ଲେଖାଏଁ ଚାନ୍ଦା ଦେବାକୁ କହିଛନ୍ତି । ଜିଲ୍ଲାପାଳଙ୍କ ଏଭଳି ଭାବେ କର୍ମଚାରୀଙ୍କୁ ଟଙ୍କା ମାଗିବା ଖବର ପ୍ରଚାରିତ ହେବା ପରେ ଗୋଆ ରାଜନୀତି ସରଗରମ ହେବାରେ ଲାଗିଛି । ଗୋଆ ବିଧାନସଭାର ବିରୋଧୀଦଳ ଗୋଆ ଫରୱାର୍ଡ ପାର୍ଟି ଓ ଆମ୍ ଆଦମୀ ପାର୍ଟି ଜିଲ୍ଲାପାଳଙ୍କ ଏହି ଆଦେଶକୁ କଡା ସମାଲୋଚନା କରିଛନ୍ତି । ବିରୋଧୀଙ୍କ ଏଭଳି ଆକ୍ରମଣ ପରେ ଜିଲ୍ଲାପାଳ ସଫେଇ ଦେଇ କହିଛନ୍ତି କି ସେ ସାଧାରଣତନ୍ତ୍ର ଦିବସ ପାଇଁ ଚାନ୍ଦା ମାଗିନଥିଲେ ।

ସେପଟେ ଗୋଆ ଫରୱାର୍ଡ ପାର୍ଟିର ପ୍ରମୁଖ ବିଜୟ ସରଦେସାଇ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଓ ତାଙ୍କ ମନ୍ତ୍ରୀମଣ୍ଡଳକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି ରାଜ୍ୟ ସରକାର ରାଜ୍ୟ ରାଜକୋଷକୁ ଖାଲି କରି ଏବେ ସରକାରୀ କାର୍ଯ୍ୟକ୍ରମ ପାଇଁ କର୍ମଚାରୀଙ୍କ ଠାରୁ ଚାନ୍ଦା ଆଦାୟ କରୁଛନ୍ତି ।

ଜାନୁଆରୀ ୧୯ ତାରିଖରେ ଦକ୍ଷିଣ ଗୋଆର ଜିଲ୍ଲାପାଳ ଏକ ସର୍କୁଲାର ଜାରି କରିଥିଲେ । ଏଥିରେ କୁହାଯାଇଥିଲା କି ସାଧାରଣତନ୍ତ୍ର ଦିବସ ଦିନ ମଟାହ୍ନି ସଲଦାହ୍ନା ପ୍ରଶାସନିକ ପରିସର ମୈଦାନରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଏହାପରେ ସାଧାରଣତନ୍ତ୍ର ଦିବସ ସମାରୋହ ପାଳନ କରାଯିବ । ଏନେଇ ସମସ୍ତ ଇଚ୍ଛୁକ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମର ସଫଳ କରିବାକୁ ୧ହଜାର ଟଙ୍କା ଲେଖାଏଁ ସହାୟତା କରନ୍ତୁ । ଏହାସହ ଚାନ୍ଦା ଆଦାୟ କରିବାକୁ ଦୁଇଜଣ କର୍ମଚାରୀଙ୍କୁ ମଧ୍ୟ ଦାୟିତ୍ୱ ଦେଇଥିଲେ ଜିଲ୍ଲାପାଳ ।

ଏହାକୁ ନେଇ ଆମ୍ ଆଦମୀ ପାର୍ଟିର ଗୋଆ ଅଧ୍ୟକ୍ଷ ଅମିତ ପାଲେକର ଏକ ଟ୍ୱିଟ୍ କରିଛନ୍ତି । ଏଥିରେ ସେ ଲେଖିଛନ୍ତି କି ଗୋଆ ସରକାର ପାଖରେ ମୂଲ୍ୟହୀନ କାର୍ଯ୍ୟକ୍ରମ କରିବାକୁ ଟଙ୍କା ରହିଛି ହେଲେ ଗଣତନ୍ତ୍ର ଦିବସ ପାଳନ ପାଇଁ କର୍ମଚାରୀଙ୍କ ଠାରୁ ଟଙ୍କା ଆଦାୟ କରାଯାଉଛି ।