ଆଶ୍ଚର୍ଯ୍ୟ ହେଲେ ବି ସତ…ଭ୍ୟାକ୍ସିନ୍ ନେଲେ ମାଗଣାରେ ମିଳିବ ମୋବାଇଲ୍ । ଜାଣନ୍ତୁ କେଉଁଠି ଆରମ୍ଭ ହେଲା ଏମିତି ସୁବିଧା ।

751

କନକ ବ୍ୟୁରୋ : ଟୀକା ନେଲେ ମିଳିବ ସ୍ମାର୍ଟଫୋନ୍ । ଭ୍ୟାକସିନ୍ ନେଲେ ମାଗଣାରେ ମିଳିବ ମୋବାଇଲ୍ । କରୋନା ଟୀକା ନେଲେ ଆପଣଙ୍କୁ ମାଗଣାରେ ମୋବାଇଲ୍ ଫୋନ୍ ମିଳିବ । ଆଶ୍ଚର୍ଯ୍ୟ ହୋଇଗଲେ ନା…କିନ୍ତୁ ଏହା ସତ । ଯଦି ଆପଣ କରୋନା ଟୀକା ନେଉଛନ୍ତି ତେବେ ଆପଣ ଏକ ସ୍ମାର୍ଟଫୋନ୍ ଜିତିବାର ସୁଯୋଗ ପାଇପାରିବେ । ଏଭଳି କିଛି ପ୍ରସ୍ତୁତି ଚଳାଇଛି ଭୋପାଳ ଜିଲ୍ଲା ପ୍ରଶାସନ ।

କରୋନା ଭାଇରସର ଦ୍ୱିତୀୟ ଲହର ସଂକ୍ରମଣ ପୂରା ବିଶ୍ୱରେ କାୟା ମେଲାଇଥିବା ବେଳେ, ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ପ୍ରାୟତଃ ସବୁ ଦେଶ କଟକଣା ଜାରି କରିଛନ୍ତି । ବିଶେଷ କରି ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି । ତେବେ କରୋନା ବିରୋଧୀ ଯୁଦ୍ଧରେ ସବୁଠୁ ବଡ଼ ଅସ୍ତ୍ର ହେଉଛି ଟୀକା । ସେଥିପାଇଁ ପୂରା ବିଶ୍ୱରେ ଚାଲିଛି ଟୀକାଦାନ ପ୍ରକ୍ରିୟା ।

ତେବେ ଏହି ଟୀକା ଦାନ ପ୍ରକ୍ରିୟାରେ ସାମିଲ ହୋଇ ଅନେକ ଲୋକ ଟୀକା ନେଉଥିବା ବେଳେ, କିଛି ଏମିତି ବି ଲୋକ ରହିଛନ୍ତି, ଯେଉଁମାନେ ଟୀକା ନେବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି କିମ୍ବା ଭୟ କରୁଛନ୍ତି । ତେବେ ଲୋକଙ୍କ ଭିତରେ ଟୀକା ନେବାକୁ ଉତ୍ସାହ ଆଣିବା ପାଇଁ କିଛି ଏଭଳି ନିଆରା ପ୍ରସ୍ତୁତି ଚଳାଇଛି ଭୋପାଳ ଜିଲ୍ଲା ପ୍ରଶାସନ ।

ଅଧିକରୁ ଅଧିକ ଲୋକଙ୍କ ଟୀକାକରଣ ଲାଗି ଲକ୍ଷ୍ୟ ରଖାଯାଇଛି । ଲୋକଙ୍କୁ ମୋବାଇଲ୍ ଫୋନ୍ ଦେବା ପାଇଁ  ଏକ ଆକର୍ଷଣୀୟ ଅଫର ଦିଆଯିବ, ଯାହାଦ୍ୱାରା ଅଧିକରୁ ଅଧିକ ଲୋକ ଟୀକା ନେବାକୁ ଆସିବେ । ବିଶେଷ କରି ଯେଉଁଠାରେ କମ୍ ଟିକାକରଣ ହୋଇଛି, ସେହିଠାରେ ଏହି ଯୋଜନା କରାଯିବ ।

ବାସ୍ତବ କଥା ହେଉଛି, କୌଣସି ଭୁଲ ଧାରଣା ହେତୁ, ଭୋପାଳର ଗ୍ରାମାଂଚଳର ଲୋକେ ଟୀକା ନେବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି । ସେଥିପାଇଁ ଟୀକାକରଣକୁ ପ୍ରୋତ୍ସାହିତ କରିବା ପାଇଁ ଏଭଳି କୌଶଳ ଆପଣେଇଛି ଭୋପାଳ ଜିଲ୍ଲା ପ୍ରଶାସନ । ଲୋକଙ୍କୁ ଉତ୍ସାହିତ କରିବା ପାଇଁ ମୋବାଇଲ୍ ଫୋନ୍ ଉପହାର ଦେବା ପାଇଁ ଯୋଜନା କରାଯାଇଛି । ଆଉ ଏଥିପାଇଁ ମୋବାଇଲ୍ କମ୍ପାନୀ ଲାଭା ସହ ଆଲୋଚନା କରିଛି ଜିଲ୍ଲା ପ୍ରଶାସନ । ଏହି ଯୋଜନାରେ କମ୍ପାନୀ ଦ୍ୱାରା ଲୋକଙ୍କୁ ମୋବାଇଲ୍ ଫୋନ୍ ଯୋଗାଇ ଦିଆଯିବ ।

ତେବେ ଏହି ଯୋଜନା ଅନୁଯାୟୀ, ଗ୍ରାମାଂଚଳର ଟୀକାକରଣ କେନ୍ଦ୍ରକୁ ଆସି ଟୀକା ନେଉଥିବା ବ୍ୟକ୍ତିଙ୍କ ମଧ୍ୟରୁ ଏକ ଲକି ଡ୍ର ବଛାଯିବ । ଆଉ ଏହି ଲକି ଡ୍ର ମାଧ୍ୟମରେ ୧୦ଜଣଙ୍କୁ ମିଳିବ ମୋବାଇଲ୍ ଫୋନ୍ । ଯାହାଦ୍ୱାରା ସେମାନେ ଗାଁକୁ ଯାଇ ଅଧିକ ଲୋକଙ୍କୁ ଟୀକାକରଣ ପାଇଁ ପ୍ରେରଣା ଯୋଗାଇପାରିବେ ।