କନକ ବ୍ୟୁରୋ : ୬ ମାସରୁ ଅଧିକ ସମୟ ଧରି ବନ୍ଦ ରହିଥିବା ସ୍କୁଲ ଖୋଲିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଉଛି । ସ୍କୁଲଗୁଡିକ ଦୀର୍ଘ ମାସ ଧରି ବନ୍ଦ ଥିବାରୁ କ୍ୟାମ୍ପସ ସଫେଇ ଓ ଭିତିଭୂମି ସଜାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶିକ୍ଷକମାନେ ମଧ୍ୟ ହେଡକ୍ୱାର୍ଟରରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ସ୍କୁଲ ଭିତିଭୂମିକୁ କୋଭିଡ୍ର ପୂର୍ବ ସ୍ଥିତି ଭଳି ସଜାଡିବାକୁ କୁହାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହାର ଉଲ୍ଲଂଘନ କଲେ ଘଟଣାକୁ ଗୁରୁତର ସହ ନିଆଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ କହିଛି । ଏଥିସହ ଜୁଲାଇ ଓ ଅଗଷ୍ଟ ମାସରେ ମଧ୍ୟାହ୍ନ ଭୋଜନ ରୋଷେୟା ଓ ସହଯୋଗୀଙ୍କ ବାକି ଥିବା ପାଉଣା ପ୍ରଦାନ କରାଯାଇଛି । ଏ ବାବଦରେ ୩୧ କୋଟି ୮୧ ଲକ୍ଷ ଟଙ୍କା ମଂଜୁର ହୋଇଛି । ଓଡିଶାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପୂର୍ବରୁ ମାର୍ଚ୍ଚ ୧୪ ତାରିଖରୁ ସ୍କୁଲଗୁଡିକୁ ଅନିର୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଥିଲା । ଏହା ପରେ ଗତ ସେପ୍ଟେମ୍ବର ୨୧ ତାରିଖରୁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ, ସ୍କୁଲକୁ ଯାଇ ଛାତ୍ରଛାତ୍ରୀମାନେ ପାଠକୁ ନେଇ ସନ୍ଦେହ ଦୂର କରି ପାରିବେ । କିନ୍ତୁ ଓଡିଶା ସରକାର ଅକ୍ଟୋବର ୩୧ ତାରିଖ ଯାଏଁ ସ୍କୁଲ ବନ୍ଦ ରଖିଛନ୍ତି । ଏବେ ଏହି ପ୍ରସ୍ତୁତିରୁ ଅନୁମାନ କରାଯାଉଛି, ଦୁର୍ଗାପୂଜା ପରେ ସ୍କୁଲ ଖୋଲିପାରନ୍ତି ସରକାର ।