କନକ ବ୍ୟୁରୋ: ବିଜେବିନଗରରେ ଛାତରୁ ପଡ଼ି ଛାତ୍ରୀ କୃତ୍ତିକା ମିଶ୍ରଙ୍କ ମୃତ୍ୟୁ ଘଟଣା ଉପରୁ ପରଦା ଉଠାଇବାରେ ବିଫଳ ହୋଇଛି ପୁଲିସ। ଘଟଣାକୁ ୪ଦିନି ବିତି ଯାଇଥିଲେ ବି ପୁଲିସ କିଛି ଠୋସ୍ ସୂଚନା ପାଇ ପାରିନାହିଁ। କୃତ୍ତିକାଙ୍କ ମୃତ୍ୟୁ ପରେ ଏକାଧିକ ଇନଷ୍ଟାଗ୍ରାମ୍ ପୋଷ୍ଟକୁ ନେଇ ଖୋଳତାଡ଼ ଆରମ୍ଭ କରିଛି ପୁଲିସ। ଶେଷ ଇନଷ୍ଟାଗ୍ରାମ ପୋଷ୍ଟରୁ ଆରମ୍ଭ କରିଛି ତଦନ୍ତ। ତିନି ଜଣ ସାଙ୍ଗଙ୍କୁ ପଚରାଉଚରା କରିଛି। ଇନଷ୍ଟାଗ୍ରାମରେ କୃତ୍ତିକାଙ୍କ ପୋଷ୍ଟଠାରୁ ଆରମ୍ଭ କରି ସାଙ୍ଗମାନଙ୍କ ପୋଷ୍ଟକୁ ତର୍ଜମା କରିଛି ପୁଲିସ। ଇନଷ୍ଟାଗ୍ରାମ୍ ପୋଷ୍ଟ ହିଁ ରହସ୍ୟ ଖୋଲିବ ବୋଲି ଆଶା ବାନ୍ଧିଛି ପୁଲିସ।
କୃତ୍ତିକାଙ୍କ ମୃତ୍ୟୁ ପରେ ତାଙ୍କର ଜଣେ ସାଙ୍ଗ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ଉଲ୍ଲେଖ କରିଥିଲେ ଯେ ତୋତେ ତୋ ନିଜ ଲୋକ ଧୋକା ଦେଇଛନ୍ତି, ତୁ କିନ୍ତୁ ଏ କଥା ଜାଣିପାରି ନ ଥିଲୁ, ସବୁ କଥା ଜାଣିବା ପରେ ପୁଣି ଥରେ ମୋ ସହ ବନ୍ଧୁତା ଆରମ୍ଭ କରିବାକୁ ଚେଷ୍ଟା କରିଥିଲୁ। କିନ୍ତୁ ମୁଁ ଜାଣିପାରି ନ ଥିଲି। ତୁ ଏତେ ବଡ଼ ପଦକ୍ଷେପ ନେବୁ ବୋଲି ମୁଁ କେବେ ବି ବିଶ୍ବାସ କରି ନ ଥିଲି। ଏହି ପୋଷ୍ଟକୁ ନେଇ ଅନେକ ପ୍ରଶ୍ନ ଉଠିଛି। କୃତ୍ତିକାଙ୍କ ସାଙ୍ଗ କାହିଁକି ଏଭଳି ପୋଷ୍ଟ କଲେ, କୃତ୍ତିକାଙ୍କୁ କିଏ ଓ କ’ଣ ପାଇଁ ଧୋକା ଦେଇଥିଲା, ଯଦି ତାଙ୍କ ସାଙ୍ଗକୁ ଏ କଥା ଜଣାଥିଲା, ତା’ ହେଲେ ସେ କାହିଁକି କୃତ୍ତିକାଙ୍କୁ ଲୁଚାଇଥିଲେ, ତାଙ୍କୁ ହଇରାଣ କରିବାକୁ ଚେଷ୍ଟା କରୁଥିଲେ କି ସେହି ସାଙ୍ଗ, ଏହି ପାପର ଭାଗୀଦାରି ବୋଲି କୃତ୍ତିକାଙ୍କ ସାଙ୍ଗ ନିଜେ ଉଲ୍ଲେଖ କରିଥିଲେ। ସେହି ସାଙ୍ଗ ଦ୍ବାରା କୃତ୍ତିକା ବ୍ଲାକମେଲିଂର ଶିକାର ହୋଇଛନ୍ତି କି, ନା ସବୁ ଇନଷ୍ଟାଗ୍ରାମ୍ ଚାଟିଂ ସେହି ସାଙ୍ଗ ଜରିଆରେ ଚାଲିଥିଲା, କୃତ୍ତିକା ଯଦି ସାଙ୍ଗମାନଙ୍ଗ ଦ୍ବାରା ବ୍ଲାକମେଲିଂର ଶିକାର ହୋଇଛନ୍ତି, ତା’ ହେଲେ ଏହା ପଛର କାରଣ କ’ଣ; ଏ ସବୁ ଘଟଣା ଉପରୁ ପରଦା ଉଠାଇବା ଏବେ କମିସନରେଟ ପୁଲିସ ପାଇଁ ସବୁଠୁ ବଡ଼ ଚାଲେଞ୍ଜ ପାଲଟିଛି।
ତେବେ କୃତ୍ତିକାଙ୍କ ସେହି ସାଙ୍ଗର ଇନଷ୍ଟାଗ୍ରାମ୍ ପୋଷ୍ଟ ସବୁଠୁ ଗୁରୁତ୍ବପୂର୍ଣ୍ଣ ବୋଲି ଜାଣିବା ପରେ ପୁଲିସ ଏବେ ତଦନ୍ତ ପରିସରକୁ ନେଇଛି। ଅନ୍ୟ ଜଣେ ସାଙ୍ଗ ପୋଷ୍ଟରେ ଉଲ୍ଲେଖ ରହିଛି, ତୁ ସବୁବେଳ ଘର ଲୋକଙ୍କୁ ଖୁସିରେ ରଖିବୁ ବୋଲି କହୁଥିଲୁ। ଏ କ’ଣ ସେହି ଖୁସି। ଏହି ସାଙ୍ଗ କୃତ୍ତିକାଙ୍କର ଅନ୍ତରଙ୍ଗ ସାଙ୍ଗ ବୋଲି ପୁଲିସ ଜାଣିବାକୁ ପାଇଛି। ଏହି ଦୁଇଟି ପୋଷ୍ଟ ପୂରା ଘଟଣାର ରହସ୍ୟ ଫିଟାଇବ ବୋଲି ଏକପ୍ରକାର ସ୍ପଷ୍ଟ ହୋଇସାରିଛି। ସେହି ପୋଷ୍ଟ କରିଥିବା ସାଙ୍ଗକୁ ପ୍ରାୟ ୧ ଘଣ୍ଟା କାଳ ପୁଲିସ ପଚରାଉଚରା କରିଛି। କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଥିବା ଜଣାପଡ଼ିଛି। ଏହା ବାଦ୍ ଆଉ ଦୁଇ ଜଣ ସାଙ୍ଗଙ୍କୁ ମଧ୍ୟ ପଚରାଉଚରା କରିଛି ବଡ଼ଗଡ଼ ଥାନା ପୁଲିସ। କୃତ୍ତିକା ଓ ତାଙ୍କର କେତେ ଜଣ ସାଙ୍ଗ ସୋସିଆଲ୍ ସାଇଟ୍ ଇନଷ୍ଟାଗ୍ରାମରେ ସକ୍ରିୟ ଥିଲେ। ସେହି ସାଙ୍ଗମାନେ ନିୟମିତ ଭାବେ ଚାଟିଂ କରୁଥିଲେ ବୋଲି ପୁଲିସ ଜାଣିବାକୁ ପାଇଛି।