ପ୍ରାଇଭେଟ୍ ହସ୍ପିଟାଲରେ ପ୍ରଥମ ଡୋଜ୍ ନେଇଛନ୍ତି କି? ସରକାରୀ ହସ୍ପିଟାଲରେ ମାଗଣାରେ ନେଇପାରିବେ ଦ୍ୱିତୀୟ ଡୋଜ୍ ।

183

କନକ ବ୍ୟୁରୋ: ପ୍ରାଇଭେଟ୍ ହସ୍ପିଟାଲରେ ଟଙ୍କା ଦେଇ କୋଭିଡର ଟିକାର ପ୍ରଥମ ଡୋଜ୍ ନେଇଥିଲେ ମଧ୍ୟ, ଜଣେ ବ୍ୟକ୍ତି ଦ୍ୱିତୀୟ ଡୋଜ୍ ସରକାରୀ ହସ୍ପିଟାଲରେ ମାଗଣାରେ ନେଇପାରିବେ । ଏନେଇ ଆଜି ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।

ତାଙ୍କ କହିବା ମୁତାବକ, ଯେତେବେଳେ ସାରା ଦେଶରେ ୪୫ ବର୍ଷରୁ ଅଧିକ ବୟସ୍କଙ୍କର ଟିକାକରଣ ଆରମ୍ଭ ହେଲା ସେତେବେଳେ ଅନେକ ଲୋକ ପ୍ରାଇଭେଟ୍ ହସ୍ପିଟାଲରେ ଅନେକ ଲୋକ ଟଙ୍କା ଦେଇ ଟିକା ନେଇଛନ୍ତି । ହେଲେ ଏବେ ପ୍ରାଇଭେଟ୍ ହସ୍ପିଟାଲରେ ଟିକାର ଅଭାବ ଦେଖାଦେଇଛି । ହେଲେ ସାଧାରଣ ଲୋକ କିନ୍ତୁ ଏଥିପାଇଁ ଚିନ୍ତା କରନ୍ତୁ ନାହିଁ । ସେମାନେ ମାଗଣାରେ ଦ୍ୱିତୀୟ ଡୋଜ୍ ସରକାରୀ ହସ୍ପିଟାଲରୁ ନେଇପାରିବେ ।

ଏହାବାଦ୍ ଟିକାକରଣ ସମୟରେ ସବୁବେଳେ ଯେଉଁମାନେ ପ୍ରଥମ ଡୋଜ୍ ଟିକା ନେଇଛନ୍ତି ସେମାନଙ୍କୁ କିଭଳି ଦ୍ୱିତୀୟ ଡୋଜ୍ ଦିଆଯିବ ସେନେଇ ପ୍ରାଥମିକତା ଦିଆଯାଉଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଟିକାର ଅଭାବ ନାହିଁ । ଲୋକମାନେ ସୁରୁଖୁରୁରେ ଆସି ଟିକା ନେଇପାରିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅତିରିିକ୍ତ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ଏଥିପାଇଁ କେନ୍ଦ୍ର ସରକାର ଓ ଟିକା କମ୍ପାନିମାନଙ୍କୁ ରାଜ୍ୟ ସରକାର ବାରମ୍ବାର ଚିଠି ଲେଖିଛନ୍ତି । ଖୁବଶୀଘ୍ର ଓଡିଶାରେ ଆଉ ଟିକା ଆସି ପହଞ୍ଚିପାରେ । ଟିକାକରଣ ଉପରେ ରାଜ୍ୟ ସରକାର ନଜର ରଖିବା ସହିତ ଏନେଇ ଲଗାତାର କେନ୍ଦ୍ର ଓ ଟିକା କମ୍ପାନି ସହ ସମ୍ପର୍କରେ ଅଛନ୍ତି ବୋଲି ସେ କହିଛନ୍ତି ।