ଏୟାରଟେଲ ଗ୍ରାହକଙ୍କ ପାଇଁ ବଡ ଖବର । ଏୟାରଟେଲ ଗ୍ରାହକଙ୍କ ପାଇଁ ବଡ ଘୋଷଣା କରିଛି କମ୍ପାନି । ଏଣିକି ଗ୍ରାହକଙ୍କୁ ପ୍ରିପେଡ ପ୍ଲାନ୍ ସହ ଜୀବନବୀମା ମଧ୍ୟ ମିଳିବ । ଏଥିପାଇଁ କମ୍ପାନି ଭାରତୀ ଏକ୍ସା ସହ ପାର୍ଟନରସିପ୍ ଭାବେ ଯୋଡି ହୋଇଛି । ଏୟାରଟେଲ ପକ୍ଷରୁ କୁହାଯାଇଛି ଯେ, ଦେଶରେ ସମସ୍ତ ଲୋକଙ୍କ ପାଖରେ ଏଯାଏଁ ଇନସ୍ୟୁରାନ୍ସ ପହଞ୍ଚିପାରିନି । ତେଣୁ ଏହି ପ୍ଲାନ୍ ଲଞ୍ଚ କରାଯାଇଛି । ଏହି ସ୍କିମରେ ଏକ ସ୍ୱତନ୍ତ୍ର ପ୍ରିପେଡ ପ୍ଲାନ ସହ ୟୁଜର୍ସଙ୍କୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୀବନବୀମା ମିଳିପାରିବ ।

Advertisment

ଏୟାରଟେଲର ନୂଆ ୫୯୯ ଟଙ୍କା ପ୍ରିପେଡ ପ୍ଲାନରେ ଗ୍ରାହକଙ୍କୁ ପ୍ରତିଦିନ ୨ ଜିବି ଡାଟା ମିଳିବ । ଏହାସହ ଅସୀମିତ ଲୋକାଲ ଓ ଏସଡିଟି କଲର ଲାଭ ପାଇପାରିବେ ଗ୍ରାହକ । ଯାହାର ଅବଧି ୮୪ ଦିନ ଯାଏଁ ରହିବ । କଲ ଓ ଇଣ୍ଟରନେଟ ବ୍ୟତୀତ ଏହି ପ୍ଲାନରେ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୀବନବୀମାର ସୁବିଧା ପାଇପାରିବେ ଗ୍ରାହକ । ଭାରତୀ ଏକ୍ସା ଲାଇଫ୍ ଇନସ୍ୟୁରାନ୍ସ ପକ୍ଷରୁ ଏହି ଜୀବନବୀମା ରାଶି ଯୋଗାଇ ଦିଆଯିବ ।

କମ୍ପାନିର କହିବା ଅନୁଯାୟୀ, ଦେଶରେ ମୋଟ ଜନସଂଖ୍ୟାର ମାତ୍ର ୪ ପ୍ରତିଶତ ଲୋକ ଜୀବନବୀମା କରିଥିବା ବେଳେ ମୋବାଇଲ ୯୦ ପ୍ରତିଶତ ଲୋକଙ୍କ ପାଖରେ ପହଞ୍ଚିଛି । ତେଣୁ ମୋବାଇଲ ୟୁଜର୍ସଙ୍କ ମାଧ୍ୟମରେ ସମସ୍ତ ଲୋକଙ୍କ ପାଖରେ ଜୀବନବୀମାର ସୁବିଧା ଯୋଗାଇଦେବାକୁ କମ୍ପାନି ଲକ୍ଷ୍ୟ ରଖିଛି । ୧୮ରୁ ୫୪ ବର୍ଷ ବୟସର ସମସ୍ତ ଏୟାରଟେଲ ଗ୍ରାହକ ଏହି ପ୍ଲାନର ସୁବିଧା ପାଇପାରିବେ । ଏଥିପାଇଁ କୌଣସି କାଗଜପତ୍ର କିମ୍ବା ମେଡିକାଲ ଯାଞ୍ଚର ଆବଶ୍ୟକତା ପଡିବ ନାହିଁ । ପ୍ଲାନ ନେବାର କିଛି ସମୟ ମଧ୍ୟରେ ଇନସ୍ୟୁରାନ୍ସ ସାର୍ଟିଫିକେଟ ପାଇପାରିବେ ଗ୍ରାହକ । ଏହି ପ୍ଲାନ ଏବେ କେବଳ ଦିଲ୍ଲୀ-ଏନସିଆର ଗ୍ରାହକଙ୍କ ପାଇଁ ଉପଲବ୍ଧ ଅଛି ।