ଜର୍ମାନୀରେ ଏପ୍ରିଲ୍ ୧୮ ଯାଏଁ ବଢିଲା ଲକଡାଉନ୍ : ୧୬ଟି ରାଜ୍ୟରେ ସ୍ଥିତି ସାଂଘାତିକ ହେବା ପରେ ନିଷ୍ପତ୍ତି ନେଲେ ଚାନସେଲର ଆଂଜେଲା ମର୍କେଲ

ଇଷ୍ଟର ଛୁଟି ପାଇଁ ୫ ଦିନ ଘରେ ରହିବାକୁ ପରାମର୍ଶ

63

କନକ ବ୍ୟୁରୋ : କରୋନା ସଂକ୍ରମଣକୁ ଦେଖି ଜର୍ମାନୀରେ ବଢିଲା ଲକଡାଉନ୍ । ନୂଆ ସଂକ୍ରମଣ ମାମଲା ମିୟନ୍ତ୍ରଣ ବାହାରକୁ ଚାଲି ଯାଉଥିବା ଦେଖି ଆହୁରି ୪ ସପ୍ତାହ ପାଇଁ ଲକଡାଉନକୁ ବଢାଇ ଦିଆଯାଇଛି । ଫଳରେ ଆଗାମୀ ଏପ୍ରିଲ୍ ୧୮ ତାରିଖ ଯାଏଁ ସାରାଦେଶରେ ଲକଡାଉନ ଘୋଷଣା କରିଛନ୍ତି ଚାନସେଲର ଆଂଜେଲା ମର୍କେଲ । ଏଥିସହ ଲକଡାଉନ ନିୟମକୁ ମଧ୍ୟ କଡା କରିବାକୁ ଚିନ୍ତା କରୁଛନ୍ତି ଜର୍ମାନୀ ସରକାର ।

ଫଳରେ ମାର୍ଚ୍ଚ ଶେଷ ସପ୍ତାହରେ ପାଳନ ହେଉଥିବା ଇଷ୍ଟର ଛୁଟିରେ ଲୋକଙ୍କୁ ୫ ଦିନ ଘରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ସେହିପରି ବାହାରୁ ଜର୍ମାନୀକୁ ଫେରୁଥିବା ଲୋକଙ୍କୁ ବାଧ୍ୟତାମୂଳକ କ୍ୱାରେଂଟିନରେ ରହିବାକୁ କୁହାଯାଇପାରେ । ପ୍ରତି ଲକ୍ଷେ ଲୋକରେ ୧୦୦ ଜଣ କରୋନା ସଂକ୍ରମିତ ହେଉଥିବା ଅଂଚଳରେ ଲକଡାଉନ କଟକଣାକୁ ଆହୁରି କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୬ଟି ରାଜ୍ୟର ଗଭର୍ଣ୍ଣରଙ୍କ ସହ ଭିଡିଓ କନଫରେନସିଂରେ ଆଲୋଚନା କରିବା ପରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଏଭଳି କଠୋର ପଦକ୍ଷେପ ନେଇଛନ୍ତି ଚାନସେଲର ମର୍କେଲ । ପୂର୍ବରୁ ମାର୍ଚ୍ଚ ୨୮ ଯାଏଁ ଲକଡାଉନ ଘୋଷଣା ହୋଇଥିଲା ।