ମହିଳାଙ୍କ ଉପରେ ପଡିଗଲା ଗରମ କଫି । ଏବେ ରେଷ୍ଟୁରାଣ୍ଟ ମାଲିକଙ୍କୁ ଦେବାକୁ ପଡିବ ୨୪ କୋଟି ଟଙ୍କାର କ୍ଷତିପୂରଣ

227

କନକ ବ୍ୟୁରୋ : ଦୁର୍ଘଟଣା ସହ ଅନ୍ୟ କିଛି ଘଟଣା ପାଇଁ କୋର୍ଟଙ୍କ ତରଫରୁ ଦାୟୀ ବ୍ୟକ୍ତିଙ୍କୁ କ୍ଷତିପୂରଣ ଦେବାକୁ ଆଦେଶ ଦିଆଯାଇଥାଏ । ହେଲେ ଏକ କଫି କପ ପଡିଯିବା କାରଣରୁ କେବେ କୌଣସି କୋର୍ଟ କାହା ଉପରେ କ୍ଷତିପୂରଣ ଆଦେଶ ଦେଇଥିବା ଆପଣ ଶୁଣି ନଥିବେ । ଡୋନଟ ଓ କଫି ବ୍ରାଣ୍ଡ ଡାଇକିନର ଏକ ଆଉଟଲେଟ ମାଲିକଙ୍କୁ ଏବେ ଏହି କାରଣରୁ ପାଖାପାଖି ୨୪ କୋଟି ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

କହିରଖୁ କି, ୨୦୨୧ ମସିହାରେ ଜର୍ଜିଆର ଜଣେ ମହିଳା ଏହି ରେଷ୍ଟୁରାଣ୍ଟକୁ କଫି ପିଇବାକୁ ଆସିଥିଲେ । ସେଠାରେ କର୍ମଚାରୀ ଜଣଙ୍କ ମହିଳାଙ୍କୁ କଫି ଦେଉଥିବା ବେଳେ ହଠାତ ମହିଳାଙ୍କ ଉପରେ ଗରମ କଫି ପଡିଯାଇଥିଲା । ହେଲେ ସେତେବେଳେ କେହି ଭାବି ନଥିଲେ କି ଏହା ଏକ ବଡ ଭୁଲ । ଗରମ କଫି ପଡିଯିବା କାରଣରୁ ମହିଳାଙ୍କ ଶରୀରର ଏକ ନିର୍ଦ୍ଧିଷ୍ଟ ସ୍ଥାନ ପୋଡି ଯାଇଥିଲା । ଏହି ମାମଲାକୁ ନେଇ ମହିଳା ଜଣଙ୍କ କୋର୍ଟରେ ପହଂଚିଥିଲେ । ଜର୍ଜିଆର ଲ ଫାର୍ମ ମାର୍ଗନ ଆଣ୍ଡ ମାର୍ଗନର ବେଞ୍ଜାମିନ ୱେଲଚ କହିଛନ୍ତି କି, ଏହି ଗରମ କଫି ପଡିଯିବା କାରଣରୁ ମହିଳା ଜଣଙ୍କ ଗୁରୁତର ହୋଇପଡିଥିଲେ । ତାଙ୍କ ପାଦରେ ବଡ ଧରଣର ଆଘାତ ଲାଗିଛି । ଏହି କାରଣରୁ ଆଜି ବି ସେ ସାଧାରଣ ଲୋକଙ୍କ ଭଳି ଚଳାବୁଲା କରିପାରୁ ନାହାଁନ୍ତି ।

ବେଞ୍ଜାମିନ କହିଛନ୍ତି କି ଅଭିଯୋଗକାରୀ ମହିଳା ଜଣଙ୍କ ଉପରେ କଫି ପଡିଯିବା ପରେ ତାଙ୍କର ଘା ଏତେ ଯନ୍ତ୍ରଣାଦାୟକ ଥିଲା କି ତାଙ୍କୁ ହସ୍ପିଟାଲର ବର୍ନ ୱାର୍ଡରେ ଅନେକ ଦିନ ରହିବାକୁ ପଡିଲା   । ଏହା ଫଳରେ ତାଙ୍କର ଜୀବନ ସମ୍ପୂର୍ଣ୍ଣ ବଦଳି ଯାଇଛି ।

ବେଞ୍ଜାମିନ ଆହୁରି କହିଛନ୍ତି କି ଏହି ଦୁର୍ଘଟଣାରେ ଶିକାର ହେବା ପରେ ମହିଳା ଜଣଙ୍କ ମେଡିକାଲରେ ୧.୬୬ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ମାମଲାରେ କୁହାଯାଇଛି କି, ଯଦି କର୍ମଚାରୀ ଜଣଙ୍କ କଫି କପର ଘୋଡଣି ଠିକଭାବେ ଦେଇଥାନ୍ତେ ତେବେ ଏଭଳି ଦୁର୍ଘଟଣା ଘଟି ନଥାନ୍ତା । ଏହି ମାମଲାରେ ମଙ୍ଗଳବାର ଦିନ ଡାଇକନ ଲୋକେସନର ସଂଚାଳନ କରୁଥିବା ଫ୍ରାଞ୍ଚାଇଜ୍, ଗୋଲଡେନ ଡୋନଟସ୍, ଏଲଏଲସି ମହିଳାଙ୍କୁ କ୍ଷତିପୂରଣ ବାବଦରେ ୩ ମିଲିୟନ ଡଲାର ବା ୨୪.୯୫ କୋଟି ଟଙ୍କା ଦେବାକୁ ରାଜି ହୋଇଛନ୍ତି ।