କନକ ବ୍ୟୁରୋ: ଭୂଗୋଳ ଶିକ୍ଷକଙ୍କ ନାଁରେ ସାଂଘାତିକ ଅଭିଯୋଗ । ସ୍କୁଲ ଛାତ୍ରୀଙ୍କୁ ବାରମ୍ବାର ଅସଦାଚରଣ କରିଥିବା ଅଭିଯୋଗରେ ରାଜଧାନୀର ଜଣେ ଶିକ୍ଷକଙ୍କୁ ବାନ୍ଧିଛି ପୋଲିସ । ଭରତପୁର ଥାନାରେ ଛାତ୍ରୀଙ୍କ ପରିବାର ଲିଖିତ ଅଭିଯୋଗ କରିବା ପରେ ରସିକିଆ ଭୂଗୋଳ ଶିକ୍ଷକ କାଳୁଚରଣ ବଡଜେନାଙ୍କୁ ଗିରଫ କରିଛି ପୋଲିସ । ତେବେ ସଂପୃକ୍ତ ଶିକ୍ଷକ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

Advertisment
  • ଗିରଫ ହେଲେ ଭୂଗୋଳ ଗୁରୁଜୀ
  • ଛାତ୍ରୀଙ୍କୁ ପ୍ରେମ ନିବେଦନ କରିଥିବା ଅଭିଯୋଗ

ସ୍କୁଲରେ ଛାତ୍ରୀଙ୍କୁ ପଢାଇବା ବଦଳରେ ଏକତରଫା ପ୍ରେମ କରି ଫସିଛନ୍ତି ଭୁବନେଶ୍ୱର ଭରତପୁର ଏକ ସ୍କୁଲର ଶିକ୍ଷକ କାଳୁଚରଣ ବଡଜେନା । ଅସଦାଚରଣ କରିବା ଅଭିଯୋଗରେ ତାଙ୍କୁ ବାନ୍ଧିଛି କମିଶନରେଟ ପୁଲିସ । ଅଭିଯୋଗ ଅନୁସାରେ, ଦୀର୍ଘ ଏକମାସ ଧରି ନାବାଳିକାକୁ ପ୍ରେମ ପ୍ରସ୍ତାବ ଦେଇଆସୁଥିଲେ ଭୂଗୋଳ ଶିକ୍ଷକ । ଏଭଳିକି ନାବାଳିକାରଙ୍କୁ ଅଶ୍ଲୀଳ ଇଙ୍ଗିତ ତଥା ଫଲୋ କରି ହଇରାଣ ମଧ୍ୟ କରୁଥିଲେ । ପ୍ରାଥମିକ ତଦନ୍ତ ଆଧାରରେ ଜଣାପଡିଛି, ଏକମାସ ହେବ ଛାତ୍ରୀଜଣଙ୍କୁ ବାରମ୍ବାର ପାର୍କକୁ ଡାକୁଥିଲେ ଭୂଗୋଳ ଶିକ୍ଷକ । ଅଶ୍ଲୀଳ ଇଙ୍ଗିତ ସହ ଅସଦାଚରଣ କରୁଥିଲେ । ସ୍କୁଲ ବେଞ୍ଚରେ ଅସଭ୍ୟ ଭାଷାରେ ଲେଖିବା ନେଇ ଅଭିଯୋଗ କରିଛନ୍ତି ଛାତ୍ରୀ । ତେବେ ଏ କଥା ଛାତ୍ରୀଙ୍କ ପରିବାର ଲୋକ ଜାଣିବା ପରେ ଭରତପୁର ଥାନାରେ ଅଭିଯୋଗ କରିଥିଲେ ।

  • ଆଗୁଆ ପରୀକ୍ଷା ପ୍ରଶ୍ନପତ୍ର ଦେଇ କରୁଥିଲେ ପ୍ରେମଭିକ୍ଷା!
  • ପ୍ରେମ ନ କଲେ ଫେଲ କରିବାକୁ ଧମକ!

ଭୂଗୋଳ ଶିକ୍ଷକଙ୍କ କାରନାମା ଏତିକିରେ ସରିନଥିଲା । ସଂପୃକ୍ତ ଛାତ୍ରୀଙ୍କୁ ସ୍କୁଲ ଟେଷ୍ଟ ପରୀକ୍ଷା ପ୍ରଶ୍ନପତ୍ର ଦେଇଥିଲେ ଭୂଗୋଳ ଶିକ୍ଷକ । ଆଉ ବଦଳରେ ଛାତ୍ରୀଙ୍କୁ ଫାଇଦା ଦେବାକୁ କହିଥିବା ବି ଅଭିଯୋଗ ହୋଇଛି । ବର୍ତମାନ ଗିରଫ ଶିକ୍ଷକଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ । କିନ୍ତୁ ଅଭିଯୁକ୍ତ ଶିକ୍ଷକ କାଳୁଚରଣ ବଡଜେନା ଏସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ତେବେ ବର୍ତମାନ ଘଟଣାର ତଦନ୍ତ ଚାଲିଛି । ଆଉ ଏହାପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ । ଅଭିଯୋଗ ପରେ ସଂପୃକ୍ତ ସ୍କୁଲର ପ୍ରଧାନଶିକ୍ଷକ ଓ ସମ୍ପାଦକଙ୍କୁ ଡାକି ପଚରାଉଚରା କରିଛି ପୁଲିସ ।