ଭୋକିଲାଙ୍କ ଭଗବାନ କାସିମ୍ ଚାଚା: ନିଜେ ଗରିବ ହୋଇ ବି ଗରିବଙ୍କୁ ପେଟପୂରା ଖୁଆଉଛନ୍ତି, ଜାତିଭେଦ ଭୁଲି ଭାଇଚାରା ବାଣ୍ଟୁଛନ୍ତି

347

କନକ ବ୍ୟୁରୋ: ଭୋକ…ଯାହାର ଭଉଁରୀ ଭିତରେ ଅନେକ ଜୀବନ ଜିଇଁବାକୁ ଛଟପଟ ହେଉଥାଏ । ଠିକ୍ ସେତିକି ବେଳେ ଭୋକିଲା ପେଟର ଭଗବାନ ସାଜି ସାମ୍ନାକୁ ଆସିଛନ୍ତି ଏମିତି ଏକ ବଦାନ୍ୟ ବ୍ୟକ୍ତି ଯାହାଙ୍କୁ ଦେଖିଲେ ଆପଣଙ୍କ ହୃଦୟରେ ତାଙ୍କ ପାଇଁ ଭରିଯିବ ପୁଳା ପୁଳା ପ୍ରେମ ଆଉ ଅଜସ୍ର ସମ୍ମାନ ।

ଏ ଦୃଶ୍ୟରେ ଆପଣ ଯାହାଙ୍କୁ ଦେଖୁଛନ୍ତି ସେ ହେଉଛନ୍ତି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁରର ସେକ୍ ମହମ୍ମଦ କାସିମ । ସ୍ଥାନୀୟ ଅଞ୍ଚଳରେ କାସିମ୍ ଚାଚା ଭାବେ ସେ ବେଶ୍ ପରିଚିତ । କାରଣ ନିଜେ ମୁସଲିମ୍ ସମ୍ପ୍ରଦାୟର ହୋଇଥିଲେ ମଧ୍ୟ ସବୁ ଜାତି, ସବୁ ଧର୍ମର ଲୋକଙ୍କୁ ଯେମିତି ନିଜର ଭାବି ଭୋକିଲାଙ୍କ ଭୋକ ମେଣ୍ଟାଉଛନ୍ତି । ନିଜେ ଗରିବ ହୋଇ ମଧ୍ୟ ଜୀବନ ଯନ୍ତ୍ରଣାକୁ ଜଳାଞ୍ଜଳି ଦେଇ ସପ୍ତାହକୁ ଗୋଟିଏ ଦିନ ଅସହାୟ ଲୋକଙ୍କୁ ପେଟପୂରା ଖାଇବାକୁ ଦେଉଛନ୍ତି ଆଉ ଜାତି, ଧର୍ମ ଭେଦଭାବର ଲକ୍ଷ୍ମଣରେଖା ଟାଣିଥିବା ଲୋକଙ୍କ ଆଖି ଖୋଲି ଦେଇଛନ୍ତି ।

ଗରିବଙ୍କ ପେଟ ପୂରାଇବାକୁ ସଙ୍କଳ୍ପ ନେଇଥିବା କାସିମ୍ ଚାଚାଙ୍କୁ ନେଇ ରାୟଗଡ଼ାରୁ ରାଜଧାନୀ ସବୁଠି ଚର୍ଚ୍ଚା । ଏମିତି ଏକ ବଦାନ୍ୟ ବ୍ୟକ୍ତି ନିଜେ ଗରିବ ହୋଇ ମଧ୍ୟ ଅନେକ ଭୋକିଲାଙ୍କ ପାଇଁ ଭଗବାନ ସାଜିଛନ୍ତି । ତେବେ ସ୍ଥାନୀୟ ଅଞ୍ଚଳରେ ଛୋଟିଆ ଚିକେନ୍ ଦୋକାନ କରିଛନ୍ତି କାସିମ୍ ଚାଚା । ଆଉ ସେଥିରୁ ଯାହା କିଛି ରୋଜଗାର କରନ୍ତି ସେସବୁକୁ ଗରୀବଙ୍କ ପେଟପୂରା କରିବାରେ ଖର୍ଚ୍ଚ କରିଦିଅନ୍ତି । ତେବେ ତାଙ୍କର ଏଭଳି କାମକୁ ତାଙ୍କ ସ୍ତ୍ରୀ ଆଉ ପୁଅ ପ୍ରଶଂସା କରୁଥିବା ଚାଚା କୁହନ୍ତି ।

ସେପଟେ କାସିମ ଚାଚାଙ୍କ ଏଭଳି ବଦାନ୍ୟତାକୁ ନେଇ ଅନେକ ଲୋକ ତାଙ୍କୁ ଭୋକିଲା ପେଟର ଭଗବାନ ମଧ୍ୟ କହିବାକୁ ପଛାଉନାହାନ୍ତି । ସବୁଠାରୁ ବଡ଼କଥା ହେଲା ନିଜେ ଦୁଃଖ କଷ୍ଟରେ ରହି କାସିମ୍ ଚାଚା ଜାତି-ଭେଦଭାବକୁ ଭୁଲି ଭୋକିଲା ପେଟକୁ ଭରପୂର କରୁଛନ୍ତି ଯାହା ଭାଇଚାରାର ବଡ ବାର୍ତ୍ତା ଦେଉଛି ।