ନଭେମ୍ବର ମାସରେ ନେପାଳ ଗସ୍ତ କରିବେ ଜେନେରାଲ ଏମ୍ ଏମ୍ ନରବଣେ । ନେପାଳ ସେନାର ସମ୍ମାନଜନକ ଜେନେରାଲ ର୍ୟାଙ୍କ୍ ପ୍ରଦାନ କରିବେ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ

78

କନକ ବ୍ୟୁରୋ : ଆସନ୍ତା ମାସରେ ନେପାଳ ଗସ୍ତ କରିବେ ଭାରତୀୟ ସେନା ମୁଖ୍ୟ ଜେନେରାଲ୍ ମଦନ ମୋହନ ନରବଣେ । ଏହି ଅବସରରେ ଭାରତୀୟ ସେନା ମୁଖ୍ୟଙ୍କୁ ନେପାଳ ସରକାର ସମ୍ମାନଜନକ ଜେନେରାଲ ସମ୍ମାନରେ ସମ୍ମାନୀତ କରିବେ । ନେପାଳ ସେନାର ଜେନେରାଲ ପଦବୀ ହେଉଛି ଏକ ବଡ ର୍ୟାଙ୍କ । ଏହି ଉପାଧୀରେ ସମ୍ମାନୀତ ହେବେ ଏମଏମ ନରବଣେ । ଏନେଇ ସୂଚନା ଦେଇଛି ନେପାଳ ସେନା । ସୂଚନା ଅନୁସାରେ ନରବଣେଙ୍କ ଏହି ଗସ୍ତ ନଭେମ୍ୱର ମାସ ପ୍ରଥମ ସପ୍ତାହରେ ରହିବ ।

ବିିଶେଷ ଉତ୍ସବରେ ନେପାଳ ରାଷ୍ଟ୍ରପତି ବିଦ୍ୟା ଭଣ୍ଡାରୀ ଜେନେରାଲ ନରବଣେଙ୍କୁ ସମ୍ମାନୀତ କରିବା ଯୋଜନା ରହିଛି । ଗୋଟିଏ ପଟେ ଭାରତ ଓ ନେପାଳ ମଧ୍ୟରେ ସୀମା ବିବାଦ ଜାରି ରହିଥିବା ବେଳେ ନିକଟରେ ନେପାଳ ନୂଆ ମାନଚିତ୍ର ଜାରି କରି ଲିମ୍ପିୟାଧୁରା, ଲିପୁଲେଖ ଓ କାଲାପାଣି ପ୍ରଭୃତି ଅଂଚଳକୁ ନିଜର ବୋଲି ଦାବି କରିଥିଲା । ଏହି ବିବାଦ ଥମି ନଥିବା ବେଳେ ବର୍ତମାନ ନେପାଳ ସେନା ଭାରତୀୟ ସେନାମୁଖ୍ୟଙ୍କୁ ବିଶେଷ ସମ୍ମାନରେ ଭୂଷିତ କରିବାକୁ ଘୋଷଣା କରିଛି ।

ଏହି ପରମ୍ପରା ୧୯୫୦ ମସିହାରୁ ଚାଲି ଆସିଛି । ପରଷ୍ପର ସୈନ୍ୟ ବାହିନୀର ମୁଖ୍ୟଙ୍କୁ ସର୍ବୋଚ୍ଚ ସେନା ପଦବୀରେ ସଜାଇ ଆସୁଛନ୍ତି । ଏହି କାର୍ଯ୍ୟ ଗତ ଫେବ୍ରୁଆରୀ ୩ ତାରିଖରେ ହେବାର ଥିଲା । କୋରନା ମହାମାରୀ କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା । ଭାରତୀୟ ସେନା ମୁଖ୍ୟଙ୍କ ନେପାଳ ଗସ୍ତ ଆଗରୁ ନେପାଳ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରାଳୟର ଦାୟିତ୍ୱରେ ପରିବର୍ତନ ହୋଇଛି । ନେପାଳ ଉପ ପ୍ରଧାନମନ୍ତ୍ରୀଙ୍କ ହାତରେ ଆଗରୁ ରହିଥିଲା ।