କନକ ବ୍ୟୁରୋ : ସୀମାକୁ ନେଇ ୬ ମାସ ହେଲା ଭାରତ ଓ ନେପାଳ ମଧ୍ୟରେ ବିଗିଡ଼ି ଯାଇଥିବା ସଂପର୍କରେ ସୁଧାର ଆସିବା ସମ୍ଭାବନା ସୃଷ୍ଟି ହୋଇଛି । ନଭେମ୍ବର ମାସରେ ନେପାଳ ଗସ୍ତ କରିବେ ସ୍ଥଳସେନା ମୁଖ୍ୟ, ଜେନେରାଲ ମନୋଜ ମୁକୁନ୍ଦ ନରବଣେ । ଭାରତ-ନେପାଳ ମଧ୍ୟରେ ସୀମା ବିବାଦ ତେଜିବା ପରେ ଏଭଳି ଗସ୍ତ ପ୍ରଥମ । ଜେନେରାଲ ନରବଣେଙ୍କ ଗସ୍ତ ନେଇ ନେପାଳ ପ୍ରତିରକ୍ଷା ମନ୍ତ୍ରୀ ଘୋଷଣା କରିଛନ୍ତି । ଗତ ଫେବ୍ରୁଆରି ୩ ତାରିଖରେ ଏହି ଗସ୍ତ ଚୂଡ଼ାନ୍ତ ହୋଇଥିଲା । କରୋନା ସଂକ୍ରମଣ ବ୍ୟାପିବାରୁ ଲକଡାଉନ କଟକଣା ଯୋଗୁଁ ଏହି ଗସ୍ତ ବନ୍ଦ ରହିଥିଲା ବୋଲି କହିଛନ୍ତି ନେପାଳ ପ୍ରତିରକ୍ଷା ମନ୍ତ୍ରୀ ।

Advertisment

ଜେନେରାଲ ନରବଣେଙ୍କ ଗସ୍ତ ତାରିଖ ସ୍ପଷ୍ଟ କରାଯାଇନଥିବା ବେଳେ ନଭେମ୍ବର ପ୍ରଥମ ସପ୍ତାହରେ ହେବ ବୋଲି କୁହାଯାଉଛି ।  ଦୁଇ ଦେଶର ସେନା ମଧ୍ୟରେ ଦୀର୍ଘଦିନ ଧରି ଘନିଷ୍ଠ ସଂପର୍କ ରହିଛି । ଗୁର୍ଖା ରେଜିମେଂଟ ସମେତ ଭାରତୀୟ ସେନାର ବିଭିନ୍ନ ରେଜିମେଂଟରେ ପାଖାପାଖି ୩୦ ହଜାର ନେପାଳୀ ରହିଛନ୍ତି । ଅତ୍ୟାଧୁନିକ ଯୁଦ୍ଧ ତାଲିମ ଠାରୁ ଆରମ୍ଭ କରି ପ୍ରତିରକ୍ଷାର ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ସେନା ମଧ୍ୟରେ ଆଦରନପ୍ରଦାନ ହୋଇଥାଏ । ଏହି ଗସ୍ତ ବେଳେ ଜେନେରାଲ ମନୋଜ ମୁକୁନ୍ଦ ନରବଣେଙ୍କୁ ଏକ ଭବ୍ୟ ଉତ୍ସବରେ ନେପାଳ ସେନାର ସମ୍ମାନଜନକ ଜେନେରାଲ ର୍ୟାଙ୍କ୍ ପ୍ରଦାନ କରାଯିବ ।

ନେପାଳ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ଏହି ଉପାଧି ପ୍ରଦାନ କରିବେ । ଦୁଇ ଦେଶର ସେନା ମୁଖ୍ୟକୁ ପରସ୍ପରର ଜେନେରାଲ ର୍ୟାଙ୍କ୍ରେ ସମ୍ମାନିତ କରିବା ପରମ୍ପରା ରହିଛି । ଗତ ମେ’ ମାସରେ ସୀମାକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଉପୁଜିଥିଲା । କଲାପାଣି, ଲିପୁଲେଖ ଓ ଲିମ୍ପିୟାଧୁରା ଆଦି ଅଂଚଳକୁ ନେପାଳ ନିଜ ଅଂଚଳ ବୋଲି ଦାବି କରି ଦେଶରେ ମାନଚିତ୍ରରେ ସ୍ଥାନ ଦେବାକୁ ନେଇ ବିବାଦ ବଢ଼ିଥିଲା । ତେବେ ନରବଣେଙ୍କ ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ଥିବା ବିବାଦକୁ ପ୍ରଶମିତ କରିବ ବୋଲି ଆଶା କରାଯାଉଛି ।