କନକ ବ୍ୟୁରୋ : ଚାକିରିରୁ ଅବସର ପରେ ସରି ଯାଏ ନାହିଁ ବୟସ । ଚାକିରି ଜୀବନରେ ମିଳିଥିବା ଅନୁଭୁତି ଅନ୍ୟଙ୍କ ପାଇଁ ପାଲଟିଛି ପ୍ରେରଣା । ନିଜେ ଏକ ସଫଳ ଚାଷୀ ହେବା ସହ ୨୦ରୁ ଅଧିକା ପରିବାରରକୁ ରୋଜଗାର ଦେଇଛନ୍ତି ବୋରିଗୁମ୍ମା ଅଚଂଳର ଅବସରପ୍ରାପ୍ତ ଜେନେରାଲ ମ୍ୟାନେଜର ପ୍ରଦିପ ପଟ୍ଟନାୟକ ।

Advertisment

ଚାକିରିରୁ ଅବସର ପରେ ଚାଷ ଦେଇଛି ସଫଳତା । ଟାଟା ଷ୍ଟିଲ କମ୍ପାନିରେ ଜେନେରାଲ ମ୍ୟାନେଜର ଭାବେ କାମ କରି ଅବସର ପରେ ଜଣେ ସଫଳ ଚାଷୀ ଭାବେ ପରିଚୟ ସୃଷ୍ଟି କରିଛନ୍ତି ଜୟପୁର ବୋରିଗୁମ୍ମା ଅଂଚଳର ପ୍ରଦିପ ପଟ୍ଟନାୟକ । ମାଛ ଚାଷ ସହିତ ଜୈବିକ ସାର ପ୍ରୟୋଗ କରି ବିଭିନ୍ନ ପ୍ରଜାତିର ଫୁଲ ଓ ଫଳ ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ଏହା ସହ ୨୦ରୁ ଅଧିକା ପରିବାରକୁ ରୋଜଗାର ଯୋଗାଉଛନ୍ତି । ଆମ୍ବ, ଲିଚୁ, ସପୁରି, କଦଳୀ ,ଅମୃତ ଭଣ୍ଡା, ପିଜୁଳି, ସପଟା ଭଳି ବିଭିନ୍ନ ପ୍ରଜାତିର ଫଳ ଚାଷ ସାଙ୍ଗକୁ ଫୁଲ ଚାଷ ମଧ୍ୟ କରିଛନ୍ତି ପ୍ରଦିପ । ବିଭିନ୍ନ ପ୍ରଜାତିର ଫୁଲ ଯଥା ମନ୍ଦାର, ଗୋଲାପ, ମଲ୍ଲୀ ଫୁଲ ଚାଷ ବଗିଚାର ଶୋଭା ବଢ଼ାଉଛି । କେବଳ ଶୋଭା ବଢାଉଛି ତା ନୁହେଁ, ଜୀବିକାର ଏକ ପ୍ରମୁଖ ମାଧ୍ୟମ ପାଲଟିଛି ।

୨୦୧୫ ମସିହାରେ ଚାକିରି ଜୀବନରୁ ଅବସର ପରେ ପ୍ରଦିପ ଚାଷ କାମକୁ ଆପଣାଇଥିଲେ । ଅବସର ପରେ ମିଳିଥିବା ପଇସାରେ ୨୦୧୬ ମସିହାରେ କୋରାପୁଟ ଜିଲ୍ଳା ବୋରିଗୁମ୍ମା ଅଚଂଳରେ ଏକ ପାହାଡ଼ିଆ ଜମି କିଣିଥିଲେ । ପରେ ସେ ଲଗାତର ସେଠାରେ ପରିଶ୍ରମ କରି ଆସୁଛନ୍ତି । ପ୍ରଦିପଙ୍କ ଏଭଳି ନିଆରା ଉଦ୍ୟମ ଅନେକଙ୍କ ପାଇଁ ରୋଜଗାରର ବାଟ ଦେଖାଇଛି । ନିଜେ ଜୈବିକ ଖତ ପ୍ରସ୍ତୁତ କରି ଫସଲରେ ବ୍ୟବହାର କରୁଛନ୍ତି । ସେଥିପାଇଁ ଫାର୍ମରୁ ଉତ୍ପାଦିତ ହେଉଥିବା ଫଳଗୁଡ଼ିକର ଚାହିଦା ଅଧିକା ରହିଛି ।