କନକ ବ୍ୟୁରୋ: ଆଜି ପାକିସ୍ତାନରେ ସାଧାରଣ ନିର୍ବାଚନ । ନୂଆ ସରକାର ବାଛିବା ପାଇଁ ପ୍ରାୟ ୧୩ କୋଟି ଭୋଟର ଗୁରୁବାର ମତଦାନ କରିବେ । ନିର୍ବାଚନରେ ପାକିସ୍ତାନ ମୁସଲିମ ଲିଗର ନୱାଜ ସରିଫ, ପାକିସ୍ତାନ ପିପୁଲ୍ସ ପାର୍ଟିର ବିଲାୱଲ ଭୁଟୋ ଜର୍ଦାରି ଏବଂ ଇମ୍ରାନ ଖାନଙ୍କ ପାକିସ୍ତାନ ତେହରିକ-ଇ ଇନସାଫର ପ୍ରାର୍ଥୀଙ୍କ ମଧ୍ୟରେ ମୁକାବିଲା ହେବ । ହେଲେ ପାକିସ୍ତାନର ରାଜନୈତିକ ଦୃଶ୍ୟପଟକୁ ଦେଖିଲେ ସରିଫ ସବୁଠୁ ଆଗରେ ଅଛନ୍ତି । କାରଣ ପାକିସ୍ତାନ ସେନା ଆଶୀର୍ବାଦ ତାଙ୍କ ଉପରେ ଅଛି । ତେବେ ସେ ବିଜୟୀ ହୋଇ ପ୍ରଧାନମନ୍ତ୍ରୀ ହେବା ନିଶ୍ଚିତ । କିନ୍ତୁ ପାକିସ୍ତାନ ଇତିହାସ କହୁଛି ଅଧିକାଂଶ ସରକାର ୫ବର୍ଷର ଯାତ୍ରା ପୂରା କରିପାରନ୍ତି ନାହିଁ । କେବେ ସରକାର ଭାଙ୍ଗିଯାଏ ତ ପୁଣି କେବେ ସେନାର ଦବଦବା ଦେଖିବାକୁ ମିଳେ ।

Advertisment

ତେବେ ଏଥରକ ପାକିସ୍ତାନ ନିର୍ବାଚନ ବେଶ ରୋଚକ ହେବାକୁ ଯାଉଛି । କାରଣ ଗୋଟେ ପଟେ ଇମ୍ରାନ ଖାନ ଜେଲରେ ଥିବାବେଳେ ଅନ୍ୟପଟେ ତାଙ୍କ ପରମପ୍ରତିଦ୍ୱନ୍ଦୀ ନୱାଜ ସରିଫ ନିର୍ବାଚନ ଲଢ଼ୁଛନ୍ତି । ପାକିସ୍ତାନ ମୁସଲିମ ଲିଗ ମୁଖ୍ୟ ନୱାଜ ସରିଫ କ୍ଷମତାକୁ ଫେରିପାରନ୍ତି । ଚତୁର୍ଥଥର ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ସମ୍ଭାବନା ରହିଛି । ପନାମା ପେପର ଲିକ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ କିଛି ବର୍ଷ ବିଦେଶରେ ସେ ରହିଥିଲେ । ଗତବର୍ଷ ପାକିସ୍ତାନ ଫେରିବା ପରେ ଏଥରକ ନିର୍ବାଚନ ରେସରେ ନୱାଜ ସରିଫଙ୍କ ଏଣ୍ଟ୍ରି ହୋଇଛି ।