ସାଧାରଣ ନିର୍ବାଚନ ପାଇଁ ଖୁବଶୀଘ୍ର ଘୋଷଣା ହୋଇପାରେ ତାରିଖ । ମାର୍ଚ୍ଚ ୧୪ କିମ୍ବା ୧୫ରେ ତାରିଖ ଘୋଷଣା ସମ୍ଭାବନା, ୭ଟି ପର୍ଯ୍ୟାୟରେ ହୋଇପାରେ ନିର୍ବାଚନ ।

309

କନକ ବ୍ୟୁରୋ : ଖୁବଶୀଘ୍ର ସାଧାରଣ ନିର୍ବାଚନ ନେଇ ଘୋଷଣା ହୋଇପାରେ ତାରିଖ । ଆସନ୍ତା ୧୪ କିମ୍ବା ୧୫ରେ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ ଆୟୋଗ । ୨୦୧୯ ଭଳି ୭ଟି ପର୍ଯ୍ୟାୟରେ ହୋଇପାରେ ନିର୍ବାଚନ । ଏପ୍ରିଲ ମାସ ଦ୍ୱିତୀୟ ସପ୍ତାହରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହୋଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ତେବେ ନିର୍ବାଚନ ଆୟୋଗ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ଏବେ ନିର୍ବାଚନ ଆୟୋଗ ବିଭିନ୍ନ ରାଜ୍ୟ ଗସ୍ତ କରି ନିର୍ବାଚନ ପ୍ରସ୍ତୁତି ନେଇ ଆଲୋଚନା କରୁଛନ୍ତି । ସମସ୍ତ ରାଜ୍ୟ ଗସ୍ତ ପରେ ନିର୍ବାଚନ ନେଇ ତାରିଖ ଘୋଷଣା ହେବ । ଏବେ ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗ ନିର୍ବାଚନ ପ୍ରସ୍ତୁତିରେ ସ୍ଥିତି ପରଖିଛନ୍ତି । ଏହାପରେ ଟିମ୍ ଉତ୍ତରପ୍ରଦେଶ ଓ ଜମ୍ମୁ-କାଶ୍ମୀର ଗସ୍ତ କରିବ । ମିଳିଥିବା ସୂଚନା ମୁତାବକ, ୧୩ ଜାନୁଆରୀ ସୁଦ୍ଧା ନିର୍ବାଚନ ଆୟୋଗ ନିର୍ବାଚନ ପ୍ରସ୍ତୁତିର ଆକଳନ କରି ରାଜ୍ୟ ଗସ୍ତ ଶେଷ କରିବେ । ଏହାପରେ ସାଧାରଣ ନିର୍ବାଚନ ନେଇ ବିଧିବଦ୍ଧ ଭାବେ ତାରିଖ ଘୋଷଣା ହେବ ।