ରାଜନୀତିରେ ନିର୍ବାଚନୀ ଋତୁ: ପଲିଟିକ୍ସର ପାରଦ ୪୦ ଡିଗ୍ରୀ ପାର୍ । ଖରାକୁ ଖାତିର୍ ନକରି ନେତା କରୁଛନ୍ତି ଝାଳବୁହା ପ୍ରଚାର…

117

କନକ ବ୍ୟୁରୋ: ମୁଣ୍ଡ ଉପରେ ଟାଇଁ ଟାଇଁ ଖରା । ଦିନର ବୟସ ଟିକେ ବଢିଲେ ଖରା ଏତେ ଟାଣ କରୁଛି ଯେ, ଆକାଶରୁ ନିଆଁହୁଳା ବର୍ଷିଲା ପରିକା ଲାଗୁଛି । ଦେହମୁହଁ ଝାଞ୍ଜିରେ ପୋଡି ଯାଉଛି, ମୁଣ୍ଡରୁ ଗମଗମ ଝାଳ ବୋହୁଛି । ତଥାପି ରୁମାଲରେ ଝାଳ ଟିକେ ପୋଛି ଦେଇ ପୁଣି ଉଦୁଉଦିଆ ଖରାବେଳଟାରେ ପ୍ରଚାର ଜୋରଦାର ଚାଲୁଛି । ନା ଖରାକୁ ଖାତିର ଅଛି ନା ଗ୍ରୀଷ୍ମର ଏ ନାଲି ଆଖିକୁ । କାରଣ ନେତାଙ୍କ ପାଇଁ ଏବେ ନିର୍ବାଚନ ଋତୁ ଆସିଯାଇଛି…

ଲୋକଙ୍କ ପାଇଁ ଏହା ଗ୍ରୀଷ୍ମ ଋତୁ ହୋଇପାରେ ସତ ହେଲେ ନେତାଙ୍କ ପାଇଁ ଏହା ନିର୍ବାଚନୀ ଋତୁ । ଏ ଋତୁ ସେମାନଙ୍କ ରାଜନୈତିକ ଜୀବନରେ ବସନ୍ତ ବି ଭରିପାରେ, ନିଦାଘ ବି ଆଣିପାରେ । କାରଣ ନେତା ଜାଣନ୍ତି ଏହି ମାସେ, ଦେଢ ମାସ ଭଲକି ଖଟିଦେଲେ ସେମାନଙ୍କୁ ସେମାନଙ୍କ ପରିଶ୍ରମର ଫଳ ମିଳିଯିବ । ତେଣୁ କ୍ଷମତାର ଏ ଲୋଭ ଆଗରେ ନାହିଁ ଖରାକୁ ଖାତିର ।

ରାଜ୍ୟରେ ଅସମ୍ଭାଳ ତାତିରେ ନେତା କରୁଛନ୍ତି ଝାଳବୁହା ପ୍ରଚାର । ଖରାକୁ ନାହିଁ ଡର, ପ୍ରାର୍ଥୀ ବୁଲୁଛନ୍ତି ଘରକୁ ଘର । ଓଡିଶାରେ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଯଦିଓ ତାରିଖ ଘୋଷଣା ସରିଛି ତଥାପି ୩ ପ୍ରମୁଖ ଦଳ ନିଜ ନିଜ ଯୋଦ୍ଧା ଏଯାଏଁ ପୂରା ଘୋଷଣା କରି ନାହାନ୍ତି । ବିଜେପି, ବିଜେଡି, କଂଗ୍ରେସ- ଉଭୟ ବିଧାନସଭା ଓ ଲୋକସଭା ପ୍ରାର୍ଥୀ ଘୋଷଣା ଅସମ୍ପୂର୍ଣ୍ଣ ରଖିଛନ୍ତି । ବିଜେପି ୨୧ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ବିଜେଡି ଆହୁରି ଗୋଟିଏ ଆସନରେ ପ୍ରାର୍ଥୀ ଦେଇନି । ବାଲେଶ୍ୱର ବିଜେଡି ପାଇଁ ବଡ ପାଚେରୀ ଛିଡା କରିଥିବା ବେଳେ ଟିକେଟ୍ ଗଣିତ ଛିଡି ପାରୁନି । ସେହିପରି ୩ ଦଳ ବିଧାନସଭା ପ୍ରାର୍ଥୀ ଘୋଷଣା ମଧ୍ୟ ଧିରେ ଧିରେ କରୁଛନ୍ତି ।

ଆଉ ଏତିକି ବେଳେ ଯେଉଁମାନଙ୍କୁ ଟିକେଟ୍ ମିଳି ସାରିଛି ସେମାନେ ନିଜ ନିଜ ଅଞ୍ଚଳରେ ମୈଦାନକୁ ଓହ୍ଲାଇ ପ୍ରଚାର ଆରମ୍ଭ କଲେଣି । ପ୍ରାୟ ଅନେକ ସ୍ଥାନରେ ବିଜେପି ପ୍ରାର୍ଥୀମାନେ ପ୍ରଚାରକୁ ଜୋରଦାର କରିଥିବା ଜଣାପଡିଛି । ସିମୁଳିଆରେ ବିଜେପି ଜୋରସୋରରେ ପ୍ରଚାର ଆରମ୍ଭ କରିଛି । ବିଜେପିର ଭଦ୍ରକ ଲୋକସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଏବଂ ସିମୁଳିଆ ବିଧାନସଭା ପ୍ରାର୍ଥୀ ମିଳିତ ଭାବେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ସେହିପରି ବୌଦ୍ଧରେ ସରୋଜ କୁମାର ପ୍ରଧାନ ସମର୍ଥକଙ୍କୁ ଧରି ଶୋଭାଯାତ୍ରା କରିଛନ୍ତି ।

ଟିକଟ ଘୋଷଣା ପରେ ମଇଦାନକୁ ଓହ୍ଲାଇଛନ୍ତି କବିସୂର୍ଯ୍ୟନଗରର ବିଜେପି ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ନାୟକ । କର୍ମୀଙ୍କ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ସହ ବାଇକ ରାଲିରେ ସାମିଲ ହୋଇଛନ୍ତି । ସେହିପରି ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ବିଜେପିର ପ୍ରାର୍ଥୀ ଓମ ପ୍ରକାଶ ମିଶ୍ର ନିଜର ପ୍ରଥମ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି । ତେବେ ଟାଣଖରାକୁ ଟାଏଟାଏ କରି ନିର୍ବାଚନୀ ପରୀକ୍ଷା ଦେବା ପାଇଁ ପ୍ରାର୍ଥୀ କରୁଥିବା ଝାଳବୁହା ପରିଶ୍ରମର ଫଳ କାହାକୁ କେମିତି ମିଳୁଛି ତାହା ଜୁନ୍ ୪ରେ ହିଁ ଜଣା ପଡିବ ।