ସାଧାରଣ ନିର୍ବାଚନ ପାଇଁ ସରଗରମ ପାକିସ୍ତାନ ରାଜନୀତି । ଆଗାମୀ ୫ବର୍ଷ ପାଇଁ ଜନତା ସ୍ଥିର କରିବେ ନୂଆ ସରକାର

95

କନକ ବ୍ୟୁରୋ: ୮ ତାରିଖରେ ପାକିସ୍ତାନ ସାଧାରଣ ନିର୍ବାଚନ । ଆଗାମୀ ୫ବର୍ଷ ପାଇଁ ଦେଶ ଗଢ଼ିବ ରାଜନୈତିକ ଭବିଷ୍ୟତ । ଯେଉଁ ସମୟରେ ଦେଶ ଦରଦାମ ବୃଦ୍ଧି, ରାଜନୈତିକ ଅସ୍ଥିରତା ଓ ବିଭିନ୍ନ ଆହ୍ନାନର ମୁକାବିଲା କରୁଛି ସେ ସମୟରେ ସାଧାରଣ ନିର୍ବାଚନ ବଡ ଭୂମିକା ନିର୍ବାହ କରିବ । କାରଣ ଏହି ନିର୍ବାଚନ ହିଁ ପାକିସ୍ତାନର ଭବିଷ୍ୟତ ନିର୍ଦ୍ଦାରଣ କରିବ ।

  • କ୍ଷମତାକୁ ଫେରିବେ କି ନୱାଜ ?
  • ୪ବର୍ଷ ପରେ ଶାସନ ସମ୍ଭାଳିବେ କି ସରିଫ ?

ପାକିସ୍ତାନ ମୁସଲିମ ଲିଗ ବା ପି-ଏମ-ଏଲ-ଏନ ମୁଖ୍ୟ ନୱାଜ ସରିଫ କ୍ଷମତାକୁ ଫେରିପାରନ୍ତି । ଚତୁର୍ଥ ଥର ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ସମ୍ଭାବନା ରହିଛି । ପନାମା ପେପର ଲିକ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ କିଛି ବର୍ଷ ବିଦେଶରେ ସେ ରହିଥିଲେ । ଗତବର୍ଷ ପାକିସ୍ତାନ ଫେରିବା ପରେ ଏଥରକ ନିର୍ବାଚନ ରେସରେ ନୱାଜ ସରିଫଙ୍କ ଏଟ୍ରିଂ ହୋଇଛି ।୨୦୧୭ ମସିହାରେ ପିଏମଏଏଲଏନ ସରକାର ଭାଙ୍ଗିବା ପରେ ୨୦୨୨ରେ ଦଳ ମେଂଟ ସରକାର ଗଠନ କରିଥିଲା । ନୱାଜଙ୍କ ଭାଇ ସେହେବାଜ ସରିଫ ହୋଇଥିଲେ ପ୍ରଧାନମନ୍ତ୍ରୀ । ପରେ ସରକାର ଭାଙ୍ଗିବା ପରେ ଏବେ ପାକିସ୍ତାନ କାମଚଳା ପ୍ରଧାନମନ୍ତ୍ରୀ କରୁଛନ୍ତି ଶାସନ ।

  • ବିଲାବଲ ଭୁଟୋ ସାଜିବେ କି କିଙ୍ଗମେକର?
  • ମେଣ୍ଟ ସରକାର ହେଲେ ବାଜି ମାରିବେ ଭୁଟୋ!

ପାକିସ୍ତାନ ପିପୁଲ ପାର୍ଟିର ମୁଖ୍ୟ ବିଲାବଲ ଭୁଟୋ ଜର୍ଦାରୀ ଅନ୍ୟତମ ପ୍ରମୁଖ ଦାବିଦାର ଅଟନ୍ତି । ଯଦି ପାକିସ୍ତାନରେ ମେଣ୍ଟ ସରକାର ଗଠନ ହୁଏ ତେବେ ଭୁଟୋଙ୍କ ଦଳ କିଙ୍ଗମେକର ହୋଇପାରେ । ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜୀର ଭୁଟୋ ଓ ପୂର୍ବ ରାଷ୍ଟ୍ରପତି ଆସିଫ ଅଲୀ ଜରଦାରୀଙ୍କ ପୁଅ ହୋଇଥିବାରୁ ବିଲାବଲଙ୍କୁ ପାକିସ୍ତାନବାସୀଙ୍କ ସହାନୁଭୂତି ଭୋଟ ମିଳିବା ମଧ୍ୟ ସମ୍ଭାବନା ରହିଛିା

  • ଜେଲରେ ପିଟିଆଇ ମୁଖ୍ୟ ଇମ୍ରାନ
  • ଫିକା ପାକିସ୍ତାନ ନିର୍ବାଚନ

ପାକିସ୍ତାନର ରାଜନୀତିର ସବୁଠୁ ଚର୍ଚ୍ଚିତ ଚେହେରା ତଥା ପିଟିଆଇର ମୁଖିଆ ଇମ୍ରାନ ଖାନଙ୍କ ଅନୁପସ୍ଥିତି ନିର୍ବାଚନ ମାହୋଲକୁ ଫିକା କରିଛି । ଦୁର୍ନୀତି ମାମଲାରେ ଜେଲରେ ସଜା କାଟୁଥିବା ଇମ୍ରାନଙ୍କ ଦଳ ନିର୍ବାଚନରୁ ବାଦ ପଡିଛି । ଇମ୍ରାନଙ୍କ ଦଳକୁ ନିର୍ବାଚନକୁ ବାଦ ଦିଆଯିବା ପରେ ପ୍ରାର୍ଥୀ ନିର୍ଦଳୀୟଭାବେ ଲଢ଼ୁଛନ୍ତି । ସେପଟେ ଜନତାଙ୍କ ବିଶ୍ୱାସ ହାତେଇବା ପାଇଁ ଇମ୍ରାନ ଜେଲରେ ରହି ସୋସିଆଲ ମିଡିଆ ସାହାଯ୍ୟରେ ପ୍ରଚାର କରୁଥିବା ଜଣାପଡିଛି ।

  • ପାକିସ୍ତାନ ନିର୍ବାଚନରେ ଆତଙ୍କୀ
  • ପରୋକ୍ଷରେ ଲଢ଼ୁଛି ହାଫିଜ

ସବୁଠୁ ଆଶ୍ଚର୍ଯ୍ୟଘଟଣା ହେଉଛି କୁଖ୍ୟାତ ଆତଙ୍କୀ ହାଫିଜ ସଇଦ ଦଳ ମଧ୍ୟ ନିର୍ବାଚନ ଲଢ଼ିପାରେ । ପରୋକ୍ଷଭାବେ ଆତଙ୍କୀ ଦଳ ଲଢ଼ିବ ନିର୍ବାଚନ । ହାଫିଜର ପୁଅ ଓ ଜ୍ୱାଇଁ ପ୍ରାର୍ଥୀଭାବେ ଓହ୍ଲାଇବେ ବୋଲି ଜଣାପଡିଛି । ଆତଙ୍କୀର ଦଳର ନାଁ ରହିଛି ମରକିଜ ମୁସଲିମ ଲିଗ । ପାକିସ୍ତାନ ସାଧାରଣ ନିର୍ବାଚନରେ ଅଂଶ ଗ୍ରହଣ କରିବେ ମୋଟ ୧୬୭ ରାଜନୈତିକ ଦଳ । ୨୬୬ ଆସନରେ ନିର୍ବାଚନ ଲଢ଼ିବେ ୫ହଜାର ୧୨୧ ପ୍ରାର୍ଥୀ । ୧୨କୋଟି ୮୫ଲକ୍ଷ ମତଦାତାଙ୍କ ପାଇଁ ୯୦ହଜାର ୫୮୨ ଭୋଟକେନ୍ଦ୍ର ରହିଛି ।

କୁହାଯାଏ ପାକିସ୍ତାନରେ କେଉଁ ଦଳ ସରକାର ଗଠନ କରିବ ସେ କଥା ସେନା ସ୍ଥିର କରେ । ଇତିହାସରେ ଏମିତି ଅନେକ ନଜିର ରହିଛି । ଇମ୍ରାନ ଖାନ ମଧ୍ୟ ଦିନେ ପାକିସ୍ତାନ ସେନା ସମର୍ଥନରେ ସରକାର ଗଢ଼ିଥିବାବେଳେ ପରବର୍ତୀ ସମୟରେ ପିଟିଆଇ ଓ ପାକ୍ ସେନା ପରମ ଶତ୍ରୁ ପାଲଟିଥିଲେ । ଏବେ ଦେଖିବାକୁ ବାକି ରହିଲା ଏଥରକ ନିର୍ବାଚନରେ ପାକିସ୍ତାନ ସେନାର ଶୁଭ ଦୃଷ୍ଟି କେଉଁ ଦଳ ଉପରେ ପଡୁଛି । କିଏ ଆଗାମୀ ୫ବର୍ଷ ପାଇଁ ଶାସନ ଡୋରିକୁ ନିଜ ହାତକୁ ନେଉଛି?