ଆସନ୍ତା ଡିସେମ୍ବର ମାସରେ ସାଧାରଣ ନିର୍ବାଚନ ହେବ। ଏଭଳି ଠୋସ୍ ସୂଚନା ପାଇବା ପରେ ବିଜେଡି ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଗୋଟିଏ ପଟେ ଔପଚାରିକତା ରକ୍ଷା କରିବାକୁ ଯାଇ ମୁଖ୍ୟ ନିର୍ବାଚନ କମିସନରଙ୍କ ନିକଟରେ ଦଳ ପକ୍ଷରୁ ଆଜି ବିଧିବଦ୍ଧ ପ୍ରସ୍ତାବ ଦିଆଯାଇଛି ଯେ ଯଦି ଆଗୁଆ ନିର୍ବାଚନ ହେବ, ତେବେ ଓଡ଼ିଶା ବି ଏଥିରେ ସାମିଲ ହେବ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହାକୁ ନେଇ ସଙ୍କେତ ଦେଇଛନ୍ତି। ଆଜି ମୟୂରଭଂଜ ଜିଲ୍ଲାର ବିଜେଡି ନେତାମାନଙ୍କ ସହିତ ଆଲୋଚନା କରିବା ବେଳେ ସିଧା ସିଧା କହିଛନ୍ତି, ଆସନ୍ତା ଡିସେମ୍ବର ମାସରେ ସାଧାରଣ ନିର୍ବାଚନ ହୋଇପାରେ। ଏ ନେଇ ପ୍ରସ୍ତୁତ ରୁହ। ଓ୍ଵାର୍ଡ଼ସ୍ତରରୁ ଦଳୀୟ କାର୍ୟ୍ୟକ୍ରମକୁ ତ୍ୱରାନ୍ଵିତ କରିବା ସହିତ ନିର୍ବାଚନମଣ୍ଡଳୀରେ ଅଧିକରୁ ଅଧିକ ସମୟ ବିତାଅ। ସଂଗଠନକୁ ତୃଣମୂଳସ୍ତରରୁ ମଜଭୁତ୍ କର। ଓ୍ଵାର୍ଡ଼ କମିଟି ଗଠନ, ହ୍ଵାଟ୍ସଆପ୍ ମାଧ୍ୟମରେ ଅଧିକରୁ ଅଧିକ ଯୁବଗୋଷ୍ଠୀଙ୍କୁ ଯୋଡ଼ିବା ଓ ନିୟମିତ ପ୍ରକ୍ରିୟାରେ ନିର୍ବାଚନମଣ୍ଡଳୀ ବୁଲିବା ଉପରେ ଧ୍ୟାନ ଦିଅ। ନଚେତ୍ ଫଳ ଭୋଗିବାକୁ ପ୍ରସ୍ତୁତ ରୁହ।
ଗୋଟିଏ ଦିନରେ ବିଜେଡିର ଏଭଳି ଦୁଇ ଦୁଇଟି ପଦକ୍ଷେପ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ମୁଖ୍ୟ ନିର୍ବାଚନ କମିସନ ବିଜେଡି ପ୍ରସ୍ତାବ ଉପରେ ସକରାତ୍ମାକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ବୋଲି ସୂଚନା ମିଳିବା ପରେ ରାଜ୍ୟ ରାଜନୀତିରେ ହଠାତ୍ ନିର୍ବାଚନୀ କମ୍ପନ ଅନୁଭୂତ ହେଲାଣି। ବିଜେଡି ସମେତ ଅନ୍ୟ ରାଜନୈତିକ ଦଳମାନେ ମଧ୍ୟ ଆଜି ରାତିରେ ନିଜ ନିଜ ସ୍ତରରେ ମନ୍ତ୍ରଣା ଆରମ୍ଭ କରିଛନ୍ତି। ଏଥିସହିତ ଓଡ଼ିଶାରେ ନିର୍ବାଚନୀ ଅବଗଣନା ଆରମ୍ଭ ହୋଇଯାଇଛି।
ପୂର୍ବରୁ ତେଲେଙ୍ଗାନା ସରକାର ଆଗୁଆ ନିର୍ବାଚନ ପାଇଁ ସଜବାଜ ହେଉଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। ଏକ ଜାତୀୟ ଗଣମାଧ୍ୟମ ତଥ୍ୟକୁ ବିଶ୍ୱାସ କରାଗଲେ, ଆସନ୍ତାକାଲି ଅର୍ଥାତ୍ ଗୁରୁବାର ସେଠାକାର ସରକାର କ୍ୟାବିନେଟ୍ ଡାକି ବଧାନସଭା ଭାଙ୍ଗିବା ସଂପର୍କରେ ନିଷ୍ପତ୍ତି ନେଇପାରନ୍ତି। ପୂର୍ବରୁ ୨ ତାରିଖରେ ସେମାନେ ଏଭଳି ନିଷ୍ପତ୍ତି ନେବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା।
ଉଲ୍ଲେଖଯୋଗ୍ୟ, ଆଜି ହଠାତ୍ ବିଜେଡି ସାଂସଦ ପିନାକୀ ମିଶ୍ରଙ୍କୁ ମୁଖ୍ୟ ନିର୍ବାଚନ କମିସନଙ୍କ କାର୍ୟ୍ୟାଳୟରେ ଦେଖିବାକୁ ମିଳିଥିଲା। ଶ୍ରୀ ମିଶ୍ର ଭାରତର ମୁଖ୍ୟ ନିର୍ବାଚନ କମିସନରଙ୍କୁ ଭେଟି ଜଣାଇଥିଲେ ଯେ ଯଦି ଦେଶରେ ଆଗୁଆ ନିର୍ବାଚନ ହୁଏ, ତେବେ ଏଥିରେ ଓଡ଼ିଶାକୁ ସାମିଲ କରାଯାଉ। ଏ ସଂକ୍ରାନ୍ତରେ ସେ ଦଳ ପକ୍ଷରୁ ପ୍ରସ୍ତୁତ ଏକ ସ୍ମାରକପତ୍ର ମଧ୍ୟ ମୁଖ୍ୟ ନିର୍ବାଚନ କମିସନରଙ୍କୁ ଦେଇଥିଲେ।
ପରେ ସାଂସଦ ଗଣମାଧ୍ୟମକୁ କହିଥିଲେ, ଏକକାଳୀନ ନିର୍ବାଚନ ଓଡ଼ିଶା ପାଇଁ ଆଦୌ ନୂଆ ନୁହେଁ। ଅଲଗା ନିର୍ବାଚନର ଧାରାକୁ ୨୦୦୪ରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାଙ୍ଗିଛନ୍ତି। ସେବେଠାରୁ ଜାତୀୟ ନିର୍ବାଚନ ସହିତ ଓଡ଼ିଶାରେ ଏକକାଳୀନ ନିର୍ବାଚନ ହେଉଛି। ୩୩ ବର୍ଷ ପରେ ସେ ବର୍ଷ ଏକାଠି ଜାତୀୟ ଓ ରାଜ୍ୟ ନିର୍ବାଚନ ହୋଇଥିଲା। ସ୍ୱାଭାବିକ ସ୍ଥିତିରେ ଆସନ୍ତା ମାର୍ଚ୍ଚ-ଏପ୍ରିଲ ମାସରେ ନିର୍ବାଚନ ହୋଇଥାନ୍ତା। ହେଲେ କେନ୍ଦ୍ର ସରକାର ଆଗୁଆ ନିର୍ବାଚନ ପାଇଁ ଯୋଜନା କରୁଥିବା ଆଭାସ ମିଳୁଛି। ଏଣୁ ଏଥିରେ ଓଡ଼ିଶାକୁ ସାମିଲ କରିବା ଲାଗି ବିଜେଡି ଆଜି ଅନୁରୋଧ କରିଛି। ବିଜେଡି ଏକଥା ବି ଯୁକ୍ତି ରଖିଛି, ନିର୍ବାଚନୀ ଖର୍ଚ୍ଚକୁ ରାଜ୍ୟ ଓ କେନ୍ଦ୍ର ସରକାର ୫୦ ପ୍ରତିଶତ ଲେଖାଏ ଭରଣା କରିଥାନ୍ତି। ଯଦି କେନ୍ଦ୍ର ସରକାର ଆଗୁଆ ଲୋକସଭା ନିର୍ବାଚନ କରିବେ ଓ ବିଧାନସଭା ନିର୍ବାାଚନ ଧାର୍ୟ୍ୟ ସମୟରେ ହେବ, ତା’ହେଲେ ଓଡ଼ିଶାକୁ ଉଭୟ ନିର୍ବାଚନ ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ। ଯାହାକି ଓଡ଼ିଶା ଭଳି ବିକାଶମୁଖୀ ରାଜ୍ୟର ଅର୍ଥନୀତିକୁ ପ୍ରଭାବିତ କରିବ। ପାଖାପାଖି ୧ହଜାର କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚରୁ ଓଡ଼ିଶା ରକ୍ଷା ପାଇବ ବୋଲି ଶ୍ରୀ ମିଶ୍ର କହିଥିଲେ। ସେହିଭଳି, ଦୀର୍ଘକାଳୀନ ଆଚରଣ ବିଧି କାରଣରୁ ବିକାଶ ପ୍ରକ୍ରିୟା ପ୍ରଭାବିତ ହୋଇଥାଏ। ଏ କ୍ଷେତ୍ରରେ ବି ଓଡ଼ିଶାକୁ ଲାଭ ମିଳିବ ବୋଲି ଶ୍ରୀ ମିଶ୍ର କହିଥିଲେ।
କେବଳ ନିର୍ବାଚନ କମିସନଙ୍କୁ ଭେଟି ଦଳ ସ୍ମାରକ ପତ୍ର ଦେଇଛି ତା ନୁହେଁ, ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ମୟୂରଭଂଜ ଜିଲ୍ଲାର ନେତାଙ୍କ ସହିତ ବୈଠକରେ ଆଗୁଆ ନିର୍ବାଚନ ହେବା ନେଇ ସଙ୍କେତ ଦେଇଥିଲେ। ଆସନ୍ତା ଡିସେମ୍ବର ମାସରେ ସାଧାରଣ ନିର୍ବାଚନ ହେବାର ସମ୍ଭାବନା ରହିଛି ବୋଲି ସୂଚନା ମୁଖ୍ୟମନ୍ତ୍ରୀ ରୋକ୍ଠୋକ୍ ଶୁଣାଇଥିଲେ, ସଂଗଠନ ନ ଥିଲେ ଟିକେଟ୍ ନାହିଁ। ନିୟମିତ ଭାବରେ ନିର୍ବାଚନମଣ୍ଡଳୀ ଯିବା ଓ ଲୋକଙ୍କ ସହିତ ଯୋଡ଼ିହେବାକୁ ନବୀନ ବିଧାୟକମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ବୈଠକରେ ମୟୂରଭଞ୍ଜ ପର୍ୟ୍ୟବେକ୍ଷକ ଅରୁଣ ସାହୁ, ବ୍ୟୋମକେଶ ରାୟ, ପ୍ରଣବ ବଳବନ୍ତରାୟଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ ଉପସ୍ଥିତ ଥିବା ସୂଚନା ମିଳିଛି। ତେବେ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ୍ ଉପସ୍ଥିତ ନଥିଲେ। ତାଙ୍କୁ ଡକାଯାଇନଥିଲା ନା ସେ ଆସିନଥିଲେ, ତାହା ସ୍ପଷ୍ଟ ହୋଇନାହିଁ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/09/Election-AV.jpg)
/kanak/media/post_attachments/wp-content/uploads/2018/09/voters2-621x414-300x200.jpg)
/kanak/media/post_attachments/wp-content/uploads/2018/09/naveen-patnaik-1-300x224.jpg)
/kanak/media/post_attachments/wp-content/uploads/2018/09/Lok-Sabha-Election-2014-300x192.jpg)
/kanak/media/post_attachments/wp-content/uploads/2018/09/pinaki-684x430-300x189.png)
/kanak/media/post_attachments/wp-content/uploads/2018/09/election-commission-300x156.jpg)