କନକ ବ୍ୟୁରୋ: ଜେନେରାଲ ଅନୀଲ ସିଂହ ଚୌହାନ ଦେଶର ସିଡିଏସ ଭାବେ ଦାୟିତ୍ୱ ନେଇଛନ୍ତି । ସେ ଦ୍ୱିତୀୟ ସିଡିଏସ ଭାବେ ଏହି ପଦରେ ଅବସ୍ଥାପିତ ହୋଇଛନ୍ତି । ସିଡିଏସ ଅର୍ଥାତ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ । ସିଡିଏସ ଜେନେରାଲ ବିପିନ ରାୱତଙ୍କ ଦେହାନ୍ତ ପରେ ଏହି ପଦ ଅନେକ ସମୟ ଧରି ଖାଲି ପଡିଥିଲା । ଆସନ୍ତୁ ଜାଣିବା ସିଡିଏସଙ୍କ ଶକ୍ତି, ଦରମା ଏବଂ କଣ କାମ ସେ କରିଥାନ୍ତି ।

Advertisment

ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଅନୀଲ ସିଂହ ଚୌହାନ ଦ୍ୱିତୀୟ ସିଡିଏସ ଭାବେ ଦାୟିତ୍ୱଗ୍ରହଣ କରିଛନ୍ତି । ଅନୀଲ ସିଂହ ଚୌହାନ ଚୀନ ସମ୍ବନ୍ଧୀୟ ମାମଲାର ଏକ୍ସପର୍ଟ ଭାବେ ବେସ ପରିଚିତ । ପୁଲୱାମା ଆକ୍ରମଣର ଜବାବରେ ୨୦୧୯ରେ ଯେତେବେଳେ ବାଲାକୋଟରେ ଏୟାରଷ୍ଟ୍ରାଇକ କରାଯାଇଥିଲା ସେତେବେଳେ ସେ ଡାଇରେକ୍ଟର ଜେନେରାଲ ଅଫ ମିଲିଟ୍ରି ଅପରେସନ ବା ଡିଜିଏମଓ ଥିଲେ । ଜେନେରାଲ ଚୌହାନ ଗତବର୍ଷ ଥ୍ରୀ ଷ୍ଟାର ରାଙ୍କସହ ଅବସର ନେଇଥିଲେ । ତେବେ ସିଡିଏସର ପଦ ସମ୍ଭାଳିବା ସହ ସେ ସିଧାସଳଖ ଫୋର ଷ୍ଟାର ରାଙ୍କର ଅଫିସର ହୋଇଛନ୍ତି । ସେ ଦେଶର ପ୍ରଥମ ଏହିଭଳି ଅଧିକାରୀ ଯିଏ ଥ୍ରୀ ଷ୍ଟାର ରାଙ୍କରୁ ଅବସର ନେଇ ଫୋର ଷ୍ଟାର ରାଙ୍କ ସହ ସେନାକୁ ଫେରିଛନ୍ତି । ଅନୀଲ ସିଂହ ଚୌହାନ ନ୍ୟାସନାଲ ସିକ୍ୟୁରିଟି କାଉନସିଲରେ ମଧ୍ୟ ସୈନ୍ୟ ପରାମର୍ଶଦାତା ଭାବେ କାମକରୁଥିଲେ । ଏହାର ଅଧ୍ୟକ୍ଷ ଅଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ଗତ ୪ ଦଶକ ଧରି ଜେନେରାଲ ଅନୀଲ ସିଂହ ଚୌହାନ ଦେଶର ସେବାରେ ନିୟୋଜିତ ରହିଆସିଥିଲେ ।

ତେବେ ଲୋକଙ୍କ ସବୁବେଳେ ଜାଣିବାର ଇଚ୍ଛା ଥାଏ ଯେ ସିଡିଏସଙ୍କ ଦରମା କେତେ?

ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ପଦ ଚାରି ଷ୍ଟାର ବିଶିଷ୍ଟ ରାଙ୍କର ହୋଇଥାଏ । ତାଙ୍କୁ ମିଳୁଥିବା ଦରମା ଏବଂ ଅନ୍ୟାନ୍ୟ ସୁବିଧା ତିନିସେନାର ମୁଖ୍ୟଙ୍କ ଭଳି ହୋଇଥାଏ । ଦରମା ଏବଂ ଭତ୍ତା ଭାବେ ତାଙ୍କୁ ମାସିକ ଅଢେଇ ଲକ୍ଷ ଟଙ୍କା ଦରମା ମିଳିଥାଏ । ତିନି ସେନାର ପ୍ରମୁଖ ୬୨ ବର୍ଷ ଯାଏଁ କିମ୍ବା ତିନି ବର୍ଷର କାର୍ଯ୍ୟକାଳ ପାଇଁ ସେହି ପଦରେ ରହିଥାନ୍ତି । ତେବେ ସିଡିଏସ ପଦ ପାଇଁ କୌଣସି ନିର୍ଦ୍ଧାରିତ ଅବସର ସୀମା ନାହିଁ । ତେଣୁ ଜଣେ ବ୍ୟକ୍ତି ଏହି ପଦରେ ରହିପାରିବେ ।

ପଦ ଯେତିକି ବଡ ହୋଇଥାଏ ଦାୟିତ୍ୱ ମଧ୍ୟ ସେହିପରିମାଣରେ ବଡ ହୋଇଥାଏ । ସିଡିଏସର ପଦତ ସବୁଠାରୁ ବଡ ହୋଇଥାଏ ।  ତେଣୁ ସେମାନଙ୍କ ଦାୟିତ୍ୱ ଏବଂ ଶକ୍ତି  କଣ ସେ ବିଷୟରେ ବି ଜାଣିନେବା ଦରକାର ।

ସିଡିଏସଙ୍କ ଦାୟିତ୍ୱ କଣ?

ସିଡିଏସ ସିଓଏସିର ସ୍ଥାୟୀ ଅଧ୍ୟକ୍ଷ ହୋଇଥାନ୍ତି । ତିନି ସେନାର ମୁଖ୍ୟ ଏହି କମିଟିରେ ରହିଥାନ୍ତି । ସିଡିଏସ ପଦ ଆସିବା ପୂର୍ବରୁ ଏହି ପଦରେ ତିନି ସେନାର ପ୍ରମୁଖଙ୍କ ମଧ୍ୟରୁ ଯିଏ ବରିଷ୍ଠଥାନ୍ତି ସେ ହିଁ ଅଧ୍ୟକ୍ଷ ହୋଇଥାନ୍ତି । ବର୍ତ୍ତମାନ ସିଡିଏସ ଆସିବା ପରେ ସେ ଏହାର ଅଧ୍ୟକ୍ଷ ପଦରେ ରହିବେ । ସେହିଭଳି ସେ ତିନି ସେନାର ପ୍ରଶାସନିକ କାର୍ଯ୍ୟର ମଧ୍ୟ ତଦାରଖ କରିଥାନ୍ତି । ଦେଶର ସବୁ ସୁରକ୍ଷା ଏଜେନ୍ସି ତଥା ସଂଗଠନ, ସାଇବର ସମ୍ପର୍କିତ ସଂସ୍ଥାର ଦାୟିତ୍ୱ ମଧ୍ୟ ସିଡିଏସଙ୍କ ପାଖରେ ରହିଥାଏ ।

ସିଡିଏସଙ୍କ କାମ କଣ ?

ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫଙ୍କ କାମ ହେଉଛି ସ୍ଥଳସେନା, ବାୟୁସେନା ଏବଂ ନୌସେନାରେ ତାଳମେଳ ରଖିବା । ଦେଶର ସୈନ୍ୟ ଶକ୍ତିକୁ ଆହୁରି ଅଧିକ ମଜବୁତ କରିବା । ଏହା ସହ ସେ ତିନି ସେନାର ମାମଲାରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ହୋଇଥାନ୍ତି । ତିନି ସେନାର ମୁଖ୍ୟ ମଧ୍ୟ ନିଜ ନିଜର ପରାମର୍ଶ ପ୍ରତିରକ୍ଷା ମନ୍ତ୍ରୀଙ୍କ ଆଗରେ ରଖିଥାନ୍ତି । ସିଡିଏସ ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଡିଫେନ୍ସ ଏକ୍ସିବିସନ କାଉନସିଲ୍, ଡିଫେନ୍ସ ପ୍ଲାନିଂ କମିଟିର ସଦସ୍ୟ ମଧ୍ୟ ରହିଥାନ୍ତି । ଏହା ବାଦ ନ୍ୟୁକ୍ଲିଆର କମାଣ୍ଡ ଅଥରିଟିର ପ୍ରମୁଖ ସୈନ୍ୟ ପରାମର୍ଶଦାତା ମଧ୍ୟ ।

ଚିଫ୍ ଅଫ ଡିଫେନ୍ସ ଷ୍ଟାଫ ତିନି ସେନାର ମୁଖ୍ୟଙ୍କୁ କମାଣ୍ଡ କରିପାରିବେ ନାହିଁ । କିମ୍ବା ଅନ୍ୟ କୌଣସି ସୈନ୍ୟ କମାଣ୍ଡ ପାଇଁ ନିଜର ଅଧିକାରକୁ ବ୍ୟବହାର କରିପାରିବେ । ତେବେ ଏସବୁ ହେଉଛି ସେହି ଦାୟିତ୍ୱ ଯାହା ଜଣେ ସିଡିଏସକୁ କରିବାକୁ ପଡିଥାଏ ।