ଆଜି ଦିଲ୍ଲୀ ଆସିବ ସିଡିଏସ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକାଙ୍କ ପାର୍ଥୀବ ଶରୀର : ବାସଭବନରେ ହେବ ଅନ୍ତିମ ଦର୍ଶନ ବ୍ୟବସ୍ଥା

ଆସନ୍ତାକାଲି ହେବ ଅନ୍ତିମ ସଂସ୍କାର; ରାୱତ ବିୟୋଗରେ ସାରା ଦେଶ ସ୍ତବ୍ଧ, ସବୁ ମହଲରେ ଶୋକ

333

କନକ ବ୍ୟୁରୋ : ସେନାର ବିମାନ ଯୋଗେ ଆଜି ଦିଲ୍ଲୀ ଆସିବ ସିଡିଏସ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକାଙ୍କ ପାର୍ଥିବ ଶରୀର । ବିମାନ ବନ୍ଦରରୁ ମର ଶରୀରକୁ ତାଙ୍କ ବାସଭବନକୁ ନିଆଯିବ । ଏହି ସମୟରେ ନିଜେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିମାନ ବନ୍ଦରରେ ଉପସ୍ଥିତ ରହିବେ । ସକାଳ ୧୧ଟାରୁ ଅପରାହ୍ନ ୨ଟା ଯାଏ ଅନ୍ତିମ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଛି । ସଂଧ୍ୟାରେ ଏକ ଶ୍ରଦ୍ଧାଞ୍ଜଳି ସଭାର ମଧ୍ୟ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିବେ ବୋଲି ସୂଚନା ରହିଛି ।

ଶୁକ୍ରବାର ଦିଲ୍ଲୀ କଂଟେମେଂଟରେ ବିପିନ ରାୱତ ଏବଂ ତାଙ୍କ ପତ୍ନୀଙ୍କର ଅନ୍ତିମ ସଂସ୍କାର ହେବ । ବୁଧବାର ବିପିନ ରାୱତ ଏବଂ ତାଙ୍କ ପତ୍ନୀଙ୍କ ସହିତ ବାକି ୧୩ ଜଣ ଯବାନଙ୍କର ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାର ତଦନ୍ତ ପାଇଁ ବାୟୁସେନା କୋର୍ଟ ଅଫ୍ ଇନକ୍ୟୁାରୀ ଅର୍ଡର ଦେଇଛି । ହେଲିକପ୍ଟରଟି ତାମିଲନାଡୁର କୋୟେମ୍ବଟୁର ପାଖରେ ଥିବା ସୁଲୁର ବାୟୁସେନା ବିମାନ ବନ୍ଦରରୁ ସକାଳ ୧୦ଟାରେ ଉଡାଣ ଭରିଥିଲା । କିନ୍ତୁ ଦିନ ୧୨ଟା ପରେ ପରେ ନିଳଗିରି ପର୍ବତାଚଂଳ ପାଖରେ ବିମାନଟି ଦୁର୍ଘଟଣାର ଶିକାର ହୋଇଥିଲା ।

ରାୱତ ୱେଲିଙ୍ଗଟନ୍‌ର ଡିଫେନ୍ସ ଷ୍ଟାଫ୍‌ କଲେଜରେ ଏକ ସମାରୋହରେ ଯୋଗ ଦେବାକୁ ଯାଉଥିଲେ ଏବଂ ମାତ୍ର କିଛି ମିନିଟ୍‌ ପରେ ସେ ଗନ୍ତବ୍ୟସ୍ଥଳରେ ପହଞ୍ଚିଥାନ୍ତେ । ପ୍ରଥମେ ରାୱତ ଏବଂ ତାଙ୍କ ପତ୍ନୀ ଗତକାଲି ସକାଳୁ ଦିଲ୍ଲୀରୁ ତାମିଲନାଡ଼ୁର ସୁଲୁରକୁ ଯାତ୍ରା କରିଥିଲେ । ବିମାନଟି ଅପରାହ୍ନ ପ୍ରାୟ ୧୨:୨୨ରେ ନିଖୋଜ ହୋଇଯାଇଥିଲା । କନୁରଠାରୁ ୭ କିମି ଦୂର କାଟେରି ନିକଟସ୍ଥ ଏକ ଚା’ ଇଷ୍ଟେଟ୍‌ ନିକଟରେ ଥିବା ଜଙ୍ଗଲ ପରିବେଷ୍ଟିତ ଖାଇ ନିକଟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଥିଲା । ଖରାପ ପାଗ ଯୋଗୁଁ ଏଭଳି ଦୁର୍ଘଟଣା ହୋଇଥାଇପାରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ହେଲିକପ୍ଟରରେ ଜେନେରାଲ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ବ୍ରିଗେଡିୟର ଏଲଏସ ଲିଡର, ଲେପ୍ଟନାଣ୍ଟ କର୍ନେଲ ହରଜିନ୍ଦର ସିଂହ, ନାଏକ ଗୁରସେୱକ ସିଂହ, ଜିତେନ୍ଦ୍ର କୁମାର, ବିବେକ କୁମାର, ବି ସାଇ ତେଜ, ହାବିଲଦାର ସତ୍‌ପାଲ ଏବଂ ପାଇଲଟ୍‌ମାନେ ଯାତ୍ରା କରୁଥିଲେ। ଆସନ୍ତାକାଲି ରାୱତଙ୍କ ମରଶରୀର ଦିଲ୍ଲୀରେ ପହଞ୍ଚିବ ଏବଂ ସେଠାରେ ଶେଷକୃତ୍ୟ ସଂପନ୍ନ ହେବ।

ହେଲିକପ୍‌ଟର ଦୁର୍ଘଟଣାରେ ଆଜି ପ୍ରାଣ ହରାଇଥିବା ସିଡିଏସ୍‌ (ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌) ଜେନେରାଲ ବିପିନ ରାୱତ ୬ ବର୍ଷ ପୂ‌ର୍ବେ ଏକ ବଡ଼ ହେଲିକପ୍‌ଟର ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। ୨୦୧୫ ଫେବ୍ରୁଆରି ୩ ତାରିଖରେ ନାଗାଲାଣ୍ଡର ଦିମାପୁରରେ ରାୱତଙ୍କ ହେଲିକପ୍‌ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରିପୋର୍ଟ ଅନୁଯାୟୀ ଜେନେରାଲ ରାୱତ ଏବଂ ଅନ୍ୟ ୩ ଜଣ ସେନା ସଦସ୍ୟ ଏକ ଚିତା ହେଲିକପ୍ଟରରେ ଉଡ଼ାଣ ସମୟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ନାଗାଲାଣ୍ଡ ଦିମାପୁରର ରାବଗପାହାର ହେଲିପ୍ୟାଡ୍‌ରୁ ଉଡ଼ାଣ ଆରମ୍ଭ କରିବାର ମାତ୍ର କିଛି ସେକେଣ୍ଡ ପରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଥିଲା। କିନ୍ତୁ ରାୱତଙ୍କର ଏଥିରେ ବିଶେଷ କିଛି କ୍ଷତି ହୋଇନଥିଲା। ସେ ସାମାନ୍ୟ ଆହତ ହୋଇଥିଲେ। ସେ ସମୟରେ ରାୱତ ଲେପ୍ଟନାଣ୍ଟ ଜେନେରାଲ ଥିଲେ ।