ରାଜଧାନୀର ଗ୍ୟାଲେରିଆ ମଲକୁ ମିଳିଲା ଅଗ୍ନି ନିରାପତା ପ୍ରମାଣ ପତ୍ର । ବେସମେଂଟ ସହ ସବୁ ମହଲାକୁ ଅଗ୍ନିଶମ ବିଭାଗ ପ୍ରଦାନ କଲା ପ୍ରମାଣ ପତ୍ର

201

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଭୁବନେଶ୍ୱରର ଗାଲେରିଆ ମଲକୁ ଶେଷରେ ମିଳିଲା ଅଗ୍ନି ନିରାପତା ପ୍ରମାଣ ପତ୍ର । ତିନି ବର୍ଷ ପାଇଁ ଗାଲେରିଆ ମଲକୁ ଅଗ୍ନି ନିରାପତା ପ୍ରମାଣପତ୍ର ପ୍ରଦାନ କରିଛି ଅଗ୍ନିଶମ ବିଭାଗ । ବେସମେଂଟ ସହ ଗ୍ରାଉଣ୍ଡ ଫ୍ଲୋର ଓ ସମସ୍ତ ତିନି ମହଲା ପାଇଁ ଅଗ୍ନି ନିରାପତା ପ୍ରମାଣପତ୍ର ଦିଆଯାଇଛି । ଏ ସମ୍ପର୍କୀତ କଗଜପତ୍ର ଆମର ହସ୍ତଗତ ହୋଇଛି । ଗାଲେରିଆ ମଲ ପୂର୍ବରୁ ଆବଶ୍ୟକୀୟ ସର୍ତ ପୁରଣ କରିଥିଲେ ବି ଅଗ୍ନିଶମ ବିଭାଗ ଅଗ୍ନି ନିରାପତା ପ୍ରମାଣପତ୍ର ଦେଉ ନଥିବାର ଅଭିଯୋଗ ହୋଇଥିଲା । ସ୍ଥିତି ଏମିତି ହୋଇଥିଲା କି ଏଥିପାଇଁ ବରିଷ୍ଠ ଆଇପିଏସ ବିଜୟ କୁମାର ଶର୍ମାଙ୍କୁ ଡିଜିପି ଓ ଅଗ୍ନିଶମ ଡିଜିପି ପଦ ହରାଇଥିବା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା ।

ସବୁ ସର୍ତକୁ ପୁରଣ କରିବା ପରେ ବି ଗାଲେରିଆ ମଲକୁ ଅଗ୍ନି ନିରାପତା ପ୍ରମାଣ ପତ୍ର ମିଳୁନଥିଲା ବୋଲି ଅଭିଯୋଗ ଆସିଥିଲା । ଏପରିକି ସ୍ଥାନୀୟ ଅଗ୍ନିଶମ କର୍ମଚାରୀଙ୍କ ସୁପାରିଶ ପରେ ବି ଫାଇଲ ତତ୍କାଳୀନ ଅଗ୍ନିଶମ ଡିଜି ତଥା ପୁଲିସ ମୁଖିଆ ରହିଥିବା ବିକେ ଶର୍ମାଙ୍କ ପାଖରେ ଅଟକି ରହିଥିବା ନେଇ ବି ଚର୍ଚ୍ଚା ହୋଇଥିଲା । ଏମିତିକି ଏହି ଘଟଣାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ବିକେ ଶର୍ମାଙ୍କୁ ଡିଜିପି ଓ ଅଗ୍ନିଶମ ଡିଜି ଦାୟିତ୍ୱରୁ ହଟାଇ ଦେବା ସହ ଅଗ୍ନି ନିରାପତା ପ୍ରମାଣ ପତ୍ରଦେବା ମାମଲାରେ ଦୁର୍ନୀତି ପାଇଁ ତଦନ୍ତ ପରିସରଭୁକ୍ତ ବି କରାଯାଇଛି ।