ଦିଲ୍ଲୀ ଆସିବେ ଗେହଲଟ! କିଏ ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ?

117

କନକ ବ୍ୟୁରୋ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ଦଳର ଅଧ୍ୟକ୍ଷ ଆସନରେ ରହିପାରିବେ ବୋଲି ବୟାନ ଦେବାର ଦିନକ ପରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଗୁରୁବାର ଏହା କହିଛନ୍ତି । ଗୋଟିଏ ବ୍ୟକ୍ତି, ଗୋଟିଏ ପଦ ନୀତି ଲାଗୁ ହେବ ବୋଲି ସେ କହିଛନ୍ତି । ଯାହା ନିକଟରେ ରାଜସ୍ଥାନ ଉଦୟପୁର ରାଲିରେ କଂଗ୍ରେସ ବୈଠକରେ ନିଷ୍ପତି ହୋଇଥିଲା । କଂଗ୍ରେସ ସଭାପତି କୌଣସି ଦଳର ପଦ ନୁହଁ ବରଂ ଏହା ଏକ ବିଚାରଧାରାର ପଦ ବୋଲି ରାହୁଲ କହିଛନ୍ତି ।

ତେଣୁ ଏବେ ଅଶୋକ ଗେହଲଟ ଅଧ୍ୟକ୍ଷ ନିର୍ବାଚନ ଲଢିବେ ଆଉ ମୁଖ୍ୟମନ୍ତ୍ରୀ ଆସନ ଛାଡିବେ ବୋଲି କୁହାଯାଉଛି । ସେହିପରି ଦଳର ଅନ୍ୟତମ ନେତା ତଥା ସାଂସଦ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶଶୀ ଥରୁର ମଧ୍ୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବେ ବୋଲି ଜଣାପଡିଛି । ଉଭୟ ନେତା ୨୪ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଜଣାପଡିଛି । ଅନ୍ୟପଟେ ଦିଗବିଜୟ ସିଂହଙ୍କ ଭଳି ପୁରୁଣା ନେତା ମଧ୍ୟ ନିର୍ବାଚନ ଲଢିବାକୁ ଆଶା ରଖିଛନ୍ତି ।

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନର ମୂଳ କେନ୍ଦ୍ର ରାଜସ୍ଥାନର କଂଗ୍ରେସ ଶିବିର ଉପରେ କେନ୍ଦ୍ରୀଭୂତ ହୋଇଛି । କାରଣ ଗେହଲଟ ଦିଲ୍ଲୀ ଆସିଲେ ତାଙ୍କ ଆସନରେ କିଏ ବସିବେ ସେ ନେଇ ଆରମ୍ଭ ହୋଇଛି ଛକାପଞ୍ଝା । ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଏଥର ସୁଯୋଗ ହାତଛଡା କରିବାକୁ ଚାହୁଁନଥିବା କୁହାଯାଉଛି । ସେପଟେ ରାଜସ୍ଥାନ ବାଚସ୍ପତି ସିପି ଜୋଶୀଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେବାକୁ ଗେହଲଟ ସୋନିଆ ଗାନ୍ଧୀଙ୍କ ନିକଟରେ ସୁପାରିଶ କରିଥିବା ଜଣାପଡିଛି ।