କଂଗ୍ରେସ ସଭାପତି ନିର୍ବାଚନ ରେସରୁ ହଟିପାରନ୍ତି ଗେହଲଟ । ବିବାଦ ବଢୁଥିବାରୁ ଆଉ କାହାକୁ ପ୍ରାର୍ଥୀ କରିବାକୁ ଯୋଜନା

134

କନକ ବ୍ୟୁରୋ: ଅଶୋକ ଗେହଲଟ ଯଦି କଂଗ୍ରେସ ସଭାପତି ହୁଏନ୍ତି ତେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ରାଜସ୍ଥାନରେ ଦେଖାଦେଇଥିବା ରାଜନୈତିକ ଅସ୍ଥିତାର ସମାଧାନ ନେଇ ଚିନ୍ତାରେ ପଡିଯାଇଛି କଂଗ୍ରେସ । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ମଲିକାର୍ଜୁନ ଖଡଗେ ଏବଂ ଅଜୟ ମାକନଙ୍କ ସହ ଆଲୋଚନା କରିବାକୁ ଗେହଲଟଙ୍କ ଗୋଷ୍ଠୀର ୯୦ ଅଧିକ ବିଧାୟନ ମନା କରିଦେଇଛନ୍ତି । ଏହି ଦୁଇ ନେତା ଦିଲ୍ଲୀ ଯାଇ ବିଧାୟକମାନେ ରଖିଥିବା ଦାବି ନେଇ ସୋନିଆ ଗାନ୍ଧୀଙ୍କୁ ରିପୋର୍ଟ ଦେଇଛନ୍ତିି ।

ତେବେ ବିବାଦର ସମାଧାନ ପାଇଁ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କୁ ଦିଲ୍ଲୀ ଡକାଯାଇଛି । ସେ ସୋମବାର ଦିଲ୍ଲୀ ଯାଇ ସୋନିଆ ଗାନ୍ଧିଙ୍କୁ ଭେଟିବା ପରେ ରାଜସ୍ଥାନ ଯିବେ ବୋଲି ସୂଚନା ମିଳିଛି । ତେବେ ବିବାଦ ବଢିବା ପରେ ଅଶୋକ ଗେହଲଟଙ୍କୁ ସଭାପତି ପାଇଁ ନିର୍ବାଚନ ନଲଢିବାକୁ କହିଛି କଂଗ୍ରେସ କାର୍ଯ୍ୟକାରିଣୀ କମିଟି । ତାଙ୍କ ସ୍ଥାନରେ ଅନ୍ୟ କାହାକୁ ସଭାପତି ନିର୍ବାଚନ ଲଢିବାକୁ ପରାମର୍ଶ ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ।

ଏପଟେ କଂଗ୍ରେସ ଭିତରେ ଏଭଳି ବିବାଦକୁ ନେଇ ସମାଲୋଚନା କରିଛନ୍ତି ବିରୋଧୀ । ବିଜେପି କହିଛି କଂଗ୍ରେସ ସଭାପତି ଅପେକ୍ଷା କଂଗ୍ରେସ ନେତା ମୁଖ୍ୟମନ୍ତ୍ରୀ ହେବାକୁ ଅଧିକ ପସନ୍ଦ କରୁଛନ୍ତି । ସେହିପରି ଆପ୍ କଟାକ୍ଷ କରି କହିଛି କଂଗ୍ରେସ ଭାରତ ଯୋଡ ଯାତ୍ରା ପରିବର୍ତ୍ତେ ପ୍ରଥମେ କଂଗ୍ରେସ ଯୋଡ ଯାତ୍ରା କରୁ ।