ନବୀନ ନିବାସରେ ଗୀତା ଦରବାର ! ବଡ ଭଉଣୀଙ୍କ ସହ ମିଶି ଦଳୀୟ ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

34

କନକ ବ୍ୟୁରୋ : ବିଜେଡିରେ ତୀବ୍ର ବିବାଦ ଆରମ୍ଭ ହେବା ପରେ ଭୁବନେଶ୍ୱରରେ ପହଂଚିଛନ୍ତି ନବୀନଙ୍କ ସଙ୍କଟ ମୋଚକ ତାଙ୍କ ବଡ ଭଉଣୀ ଗୀତା ମେହେଟ୍ଟା । ଆଜି ନବୀନ ନିବାସରେ ବସିଥିଲା ଗୀତା ଦରବାର । କିଛି ବରିଷ୍ଠ ପ୍ରଶାସକ ମଧ୍ୟ ପହଂଚିଥିଲେ ନବୀନ ନିବାସରେ । ମୁଖପାତ୍ର ପ୍ରତାପ ଦେବଙ୍କୁ ବି ଡକରା ପଡିଥିଲା । କୁହାଯାଉଛି, ଦଳରେ ସୃଷ୍ଟି ହୋଇଥିବା ଏହି ବିବାଦ ଉପରେ ପରାମର୍ଶ କରିଥିଲେ ଗୀତା । କିନ୍ତୁ ଏସବୁ ଘଟଣାବଳୀକୁ ଗଣମାଧ୍ୟମଠାରୁ ଦୂରେଇ ରଖାଯାଇଥିଲା ।

ଚାରି ଚାରି ଥରର ସାଂସଦ ବୈଜୟନ୍ତ ପଣ୍ଡା ଦଳରେ ବୋମା ପକାଇବା ପରେ ବିଜେଡି ରାଜନୀତିରେ ଭୂକମ୍ପ ସୃଷ୍ଟି ହୋଇଛି । କାରଣ ଏଥର ଉଠିଛି ଦଳ ଭାଙ୍ଗି ଯିବାର ଆଶଙ୍କା । ଦଳର ବରିଷ୍ଠ ନେତା ତଥା ସାଂସଦ ତଥାଗତ ଶତପଥୀ ଟୁଇଟ୍ କରି ବିଜେଡି ଭାଙ୍ଗିଯିବ ବୋଲି ଆଶଙ୍କା ପ୍ରକାଶ କରିବା ସହ ବୈଜୟନ୍ତ ଏଥିରେ ସହାୟତା କରୁଛନ୍ତି ବୋଲି ଇସାରା କରିବା ପରେ ବିଜେଡିରେ ଛନକା ପଶିଛି । ଆଉ ସଙ୍କଟ ମୋଚକ ଭାବେ ନବୀନ୍ ନିବାସରେ ଦରବାର ମେଲିଛନ୍ତି ଗୀତା ।

ଦଳର ମୁଖପାତ୍ର ପ୍ରତାପ ଦେବ ମଧ୍ୟ ପହଂଚିଥିଲେ ନବୀନ୍ ନିବାସରେ । କିଛି ସମୟ ରହିବା ପରେ ଫେରିଯାଇଥିଲେ ପ୍ରତାପ । କିନ୍ତୁ କେହି କିଛି ପାଟି ଖୋଲିବାକୁ ରାଜି ନଥିଲେ ।