ବିଶ୍ୱରେ ସବୁଠୁ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ଭାରତ : ବିମୁଦ୍ରାକରଣ ସମୟରେ ବି ୭ପ୍ରତିଶତ ଅଭିବୃଦ୍ଧି

28

କନକ ବ୍ୟୁରୋ : ବିଶ୍ୱରେ ସବୁଠୁ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ଭାରତ । ବିମୁଦ୍ରାକରଣ ସତ୍ୱେ ଦେଶର ମୋଟ ଘରୋଇ ଉତ୍ପାଦ( ଜିଡିପି) ଅଭିବୃଦ୍ଧି ୭ପ୍ରତିଶତ ହୋଇଛି । ଭାରତ ବିଶ୍ୱର ସବୁଠାରୁ ଅଭିବୃଦ୍ଧିଶୀଳ ରାଷ୍ଟ୍ରର ମାନ୍ୟତା ବଜାୟ ରଖିଛି । ଭାରତର ଅଭିବୃଦ୍ଧି ହାର ଚୀନଠାରୁ ଅଧିକ ରହିଛି ।

୨୦୧୬ର ଶେଷ ତିନି ମାସରେ ଚୀନର ଅଭିବୃଦ୍ଧି ହାର ୬.୮ପ୍ରତିଶତ ରହିଥିବାବେଳେ ଭାରତ ୭ପ୍ରତିଶତ ହାରରେ ଆଗକୁ ବଢ଼ିଛି । ଗତବର୍ଷର ଶେଷ ଦୁଇ ମାସରେ ବିମୁଦ୍ରାକରଣ ଯୋଗୁଁ ଅର୍ଥନୈତିକ କାର୍ଯ୍ୟକଳାପ ପ୍ରଭାବିତ ହୋଇଥିଲା । ଏହା ସତ୍ୱେ  ଦେଶର ଜିଡିପି ହାର ୭ପ୍ରତିଶତ ବଢ଼ିଛି ।

ସେହିପରି ଏହାର ପୂର୍ବ ୩ମାସରେ ଜିଡିପି ଅଭିବୃଦ୍ଧି ହାର ୭.୪ପ୍ରତିଶତ ଥିଲା । ତେବେ ମାର୍ଚ୍ଚ ୩୧ରେ ଶେଷ ହେବାକୁ ଯାଉଥିବା ୨୦୧୬-୧୭ ଅର୍ଥିକ ବର୍ଷରେ ଜିଡିପି ହାର ୭.୧ ପ୍ରତିଶତ ରହିବ ବୋଲି କେନ୍ଦ୍ରୀୟ ପରିସଂଖ୍ୟାନ ସଂସ୍ଥା ଆକଳନ କରିଛି । ଏହାକୁ ସମର୍ଥନ କରିଛି ପ୍ୟାରିସଠାରେ ଥିବା ଅର୍ଥନୈତିକ ସହଯୋଗ ଓ ବିକାଶ ସଂଗଠନ ବା ଓଇସିଡି ।