ଅଣ୍ଟା ସଳଖୁଛି ଦେଶର ଅର୍ଥନୀତି : ଏପ୍ରିଲ, ଜୁନ୍ କ୍ୱାଟରରେ ଅର୍ଥନୀତିର ରେକର୍ଡ ଅଭିବୃଦ୍ଧି

୨୦.୧ ପ୍ରତିଶତ ବୃଦ୍ଧି ପାଇଲା ମୋଟ ଘରୋଇ ଉତ୍ପାଦ; ୧.୬ ପ୍ରତିଶତ ସହ ଗତ ତ୍ରୈମାସିକ ରିପୋର୍ଟ ଥିଲା ନୈରାଶଜନକ

108

କନକ ବ୍ୟୁରୋ : କରୋନା ମାଡ଼ ଯୋଗୁଁ ତଳକୁ ଖସି ପଡିଥିବା ଅର୍ଥନୀତି ପୁଣି ଥରେ ଅଣ୍ଟା ସଳଖି ଛିଡ଼ା ହେବା ପାଇଁ ଉଦ୍ୟମ କରୁଛି । ଏଭଳି ସୂଚନା ମିଳିଛି ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକ ଅଭିବୃଦ୍ଧିରୁ । ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସିଆ ରିପୋର୍ଟରେ ଦେଶର ଜିଡିପିରେ ରେକର୍ଡ ଅଭିବୃଦ୍ଧି ଘଟିଛି । ଏପ୍ରିଲରୁ ଜୁନ ମଧ୍ୟରେ ଭାରତର ଜିଡିପି ୨୦ ଦଶମିକ ୧ ପ୍ରତିଶତ ବଢ଼ିଛି । ଦ୍ୱିତୀୟ ଲହର ଚାଲିଥିବା ବେଳେ ଦେଶର ଅର୍ଥନୀତିରେ ଏଭଳି ସଂକେତ, ଅର୍ଥଶାସ୍ତ୍ରୀଙ୍କୁ ଆଶ୍ୱସ୍ତି କରିଛି ।

କରୋନା ମହାମାରୀ ଓ ଏହାର ମୁକାବିଲା ପାଇଁ ଲକଡାଇନ ଓ ସଟଡାଉନ ଭଳି କଟକଣା ଯୋଗୁଁ ଲୋକଙ୍କ ଜୀବନ ସହ ଜୀବିକା ଉପରେ ଗଭୀର ପ୍ରଭାବ ପକାଇଆସିଛି । ଧୀରେ ଧୀରେ ଦେଶ ଖୋଲୁଥିବା ବେଳେ ଅର୍ଥନୀତିରେ ମଧ୍ୟ ଏହାର ସକରାତ୍ମକ ପ୍ରଭାବ ଦେଖିବାକୁ ମିଳିଛି । ଗତ ତ୍ରୟମାସିକରେ ମୋଟ ଘରୋଇ ଉତ୍ପାଦର ବିକାଶ ହାର ଏକ ଦଶମିକ ଛଅ ପ୍ରତିଶତ ରହିଥିଲା । ଗତବର୍ଷ ପ୍ରଥମ ଲହରରେ ଦେଶର ଅର୍ଥନୀତିରେ ବଡ଼ ପ୍ରଭାବ ପଡିଥିଲା । ନକରାତ୍ମକ ବିକାଶ ଦେଖିଥିଲା ଭାରତ । ତେବେ ଜୁନ୍ ତ୍ରୟମାସିକରେ ଦେଶର ବିକାଶ ହାର ଭଲ ରହିବ ବୋଲି ପୂର୍ବରୁ ଆକଳନ କରିଥିଲା ଆରବିଆଇ । ଏହି ସମୟରେ ଜିଡିପି ୧୮ ଦଶମିକ ୫ ପ୍ରତିଶତ ବଢ଼ିବ ବୋଲି ରିଜର୍ଭ ବ୍ୟାଙ୍କ ଆକଳନ କରିଥିଲା ।