କରୋନା କଲା ଲୋକଙ୍କ ପକେଟ ଖାଲି । ଆଶଙ୍କାଠାରୁ ଅଧିକ ଖସିଲା ଦେଶର ଜିଡିପି : ଏପ୍ରିଲରୁ ଜୁନ୍ ୩ ମାସରେ ବିକାଶ ହାର ମାଇନସ୍ ୨୩.୯୦ ପ୍ରତିଶତ

201

କନକ ବ୍ୟୁରୋ : ସାରା ବିଶ୍ୱର ଗତିକୁ ବ୍ରେକ୍ ଦେଇଥିବା ମହାମାରୀ କରୋନା ଯୋଗୁଁ ବିଗିଡି ଯାଇଛି ଅର୍ଥନୀତି । ଖାଲି ହୋଇଯାଇଛି ଲୋକଙ୍କ ପକେଟ୍ । ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ରେ ପ୍ରଥମ ୩ ମାସରେ ଅର୍ଥାତ୍ ଏପ୍ରିଲ ୨୦୨୦ରୁ ଜୁନ ୨୦୨୦ ମଧ୍ୟରେ ଆଶଙ୍କାଠାରୁ ଆହୁରି ତଳକୁ ଖସିଛି ଜିଡିପି । ଆଉ ଯେମିତି ଆଶଙ୍କା କରାଯାଉଥିଲା, ସଂଖ୍ୟା ତାଠାରୁ ଆହୁରି ନୈରାଶ୍ୟଜନକ ହୋଇଛି । ପ୍ରଥମ ତିନିମାସର ଜିଡିପି ମାଇନସ ୨୩.୯୦ ପ୍ରତିଶତ ଅଛି ।

ଅର୍ଥାତ ଶୁନରୁ ତଳକୁ ଖସିଛି ଦେଶର ଜିଡିପି । ମାଇନସ ୨୩ ଦଶମିକ ୯ ପ୍ରତିଶତ, ଆମ ଅର୍ଥ ବ୍ୟବସ୍ଥାର ସଙ୍କୁଚିତ ସ୍ତରକୁ ସାମ୍ନାକୁ ଆଣିଛି । ଏହି ତିନିମାସରେ ଅର୍ଥାତ୍ ୨୦୨୦ର ଏପ୍ରିଲରୁ ଜୁନ ଭିତରେ ଜିଡିପି ୨୬ ଲକ୍ଷ ୮୯ ହଜାର କୋଟିକୁ ଖସି ଆସିଛି । ଯାହା ଦର୍ଶାଉଛି କ୍ଷତିର ପରିମାଣ ୮ ଲକ୍ଷ କୋଟି । ଗତ ୪୦ ବର୍ଷରେ ପ୍ରଥମ ଥର ପାଇଁ କୌଣସି ବି ମାପଦଣ୍ଡରେ ଦେଶର ଜିଡିପି ମାଇନସ ବା ଶୁନ ତଳକୁ ଖସିଛି ।

ଗତ ବର୍ଷ ତୁଳନାରେ ଏହି ଆର୍ଥିକ ବର୍ଷରେ ଜିଡିପି ଆଗକୁ ବଢିବା ଦୂରରେ ଥାଉ, ଉଦ୍ୟୋଗ ବ୍ୟବସ୍ଥା ଠପ ହୋଇଯିବା କାରଣରୁ ଗତବର୍ଷ ତୁଳନାରେ ଉତ୍ପାଦ ୨୩.୯ ପ୍ରତିଶତ କମିଯାଇଛି । ଆଉ ଏଥିପାଇଁ ଜିଡିପିର ସଂଖ୍ୟା ମାଇନସରେ ରହିଛି । ନଜର ପକାନ୍ତୁ କେଉଁ ସେକ୍ଟରରେ କେତେ ପ୍ରତିଶତ ଖସିଛି ।

– ମ୍ୟାନୁଫ୍ୟାକଚରିଂ ସେକ୍ଟରରେ ବିକାଶ ମାଇନସ ୩୯.୩%
– ମାଇନିଂ ସେକ୍ଟରରେ ବିକାଶ ମାଇନସ ୪୧.୩%
– ରିଅଲ ଇଷ୍ଟେଟରେ ଗ୍ରୋଥ ରେଟ ମାଇନସ ୫୦%

ମହାମାରୀ କରୋନା ଯୋଗୁଁ କୋଟି କୋଟି ଲୋକ ଚାକିରୀ ହରାଇଛନ୍ତି । ଏବଂ ଲୋକଙ୍କ ପକେଟ ଖାଲି ହୋଇଯାଇଛି । ଯାହାଦ୍ୱାରା ସେମାନଙ୍କ କ୍ରୟ ଶକ୍ତି କମିବା ଫଳରେ ଚାହିଦା କମିଛି । ଆଉ ଏହାର ପ୍ରଭାବ ସିଧାସଳଖ ଦେଶର ଅର୍ଥନୀତି ଉପରେ ପଡିଛି ।

– ଏପ୍ରିଲ ଜୁଲାଇ ଭିତରେ ୧ କୋଟି ୮୯ ଲକ୍ଷ ଲୋକଙ୍କ ଚାକିରୀ ଯାଇଛି
– ୭୦ ଲକ୍ଷ ଖଟିଖିଆ, ଫୁଟପାଥ୍ ବ୍ୟବସାୟୀ, ହକର ଏବଂ ନିର୍ମାଣ ଶ୍ରମିକ ରୋଜଗାର ହରାଇଛନ୍ତି
– ୧କୋଟି ୨୦ ଲକ୍ଷ ଲୋକ ଗରିବ ସୀମା ରେଖା ତଳକୁ ଚାଲିଯିବାର ଆଶଙ୍କା ରହିଛି