ଆର୍ଥିକ ସଂକଟ ଆଡ଼କୁ ମୁହାଉଁଛି ଭାରତ । ଦେଶର ଆର୍ଥିକ ମାନ୍ଦାବସ୍ଥା ସ୍ୱୀକାର କଲେ କେନ୍ଦ୍ରମନ୍ତ୍ରୀ । ସେପଟେ ମାନ୍ଦାବାସ୍ଥା ମାଡ଼ରେ କମିଲା କାର ଓ ବାଇକ ବିକ୍ରି

781

କନକ ବ୍ୟୁରୋ: ଆର୍ଥିକ ମାନ୍ଦାବସ୍ଥାକୁ ସ୍ୱୀକାର କଲେ କେନ୍ଦ୍ରମନ୍ତ୍ରୀ । ବେଳେ ବେଳେ ଏମିତି ମାନ୍ଦାବସ୍ଥା ଆସିଥାଏ । ସମଗ୍ର ବିଶ୍ୱରେ ବର୍ତ୍ତମାନ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି । କିନ୍ତୁ ଭାରତରେ ଏହାର ପ୍ରଭାବ ସବୁଠାରୁ କମ୍ ପଡିଛି । ସରକାର ମାନ୍ଦାବସ୍ଥାକୁ ଦୂର କରିବାକୁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଘରୋଇ ଉତ୍ପାଦ ପ୍ରଥମ ତିନି ମାସରେ କମିଛି କିନ୍ତୁ ବର୍ଷ ଶେଷ ବେଳକୁ ଆଶା କରୁଛୁ ଏହା ବଢିବ ବୋଲି କହିଛନ୍ତି କେନ୍ଦ୍ର ମନସୁଖ ମାଣ୍ଡଭିୟା ।

ଅନ୍ୟପଟେ ଅର୍ଥନୈତିକ ମାନ୍ଦାବସ୍ଥା ଯୋଗୁଁ ଗଭୀର ଭାବେ ପ୍ରଭାବିତ ହୋଇଛି ଅଟୋମୋବାଇଲ୍ ଶିଳ୍ପ । ଅଗଷ୍ଟ ମାସରେ କମୁଛି ଗାଡି ବିକ୍ରି । ଇଣ୍ଡିଆନ ଅଟୋମୋବାଇଲ୍ ନିର୍ମାତା ସଂଘର ତଥ୍ୟ ଅନୁଯାୟୀ ଅଗଷ୍ଟ ମାସରେ ପୂର୍ବ ବର୍ଷ ତୁଳନାରେ ୪୧ ପ୍ରତିଶତ ପାସେଞ୍ଜର କାର ବିକ୍ରି ହ୍ରାସ ପାଇଛି । ପୂର୍ବବର୍ଷ ଅଗଷ୍ଟ ମାସରେ ୧ଲକ୍ଷ ୧୫ହଜାର ୟୁନିଟ୍ କାର ବିକ୍ରି ହୋଇଥିଲା । ସେହିପରି ଅନ୍ୟ ବାଣିଜ୍ୟକ ଗାଡି ବିକ୍ରି ଗତ ବର୍ଷ ତୁଳନାରେ ୩୮ ଦଶମିକ ୭ପ୍ରତିଶତ ହ୍ରାସ ପାଇଛି ।

ସେହିପରି ଯାତ୍ରୀ ବାହି ଗାଡି ବ୍ୟବସାୟ ମଧ୍ୟ ୩୧ ଦଶମିକ୍ ୬ପ୍ରତିଶତ କମିଛି । କେବଳ କାର, ବସ୍ ବା ଅନ୍ୟାନ୍ୟ ଗାଡି ବିକ୍ରି ହ୍ରାସ ପାଇ ନାହିଁ ଏହି ସମୟରେ ବାଇକ୍ ବିକ୍ରି ମଧ୍ୟ ହ୍ରାସ ପାଇଛି । ଗତବର୍ଷର ଅଗଷ୍ଟ ମାସ ତୁଳନାରେ ପ୍ରାୟ ୨୨ ପ୍ରତିଶତ ବାଇକ୍ ସେଲ୍ କମି ଯାଇଛି ।ଗତ ବର୍ଷ ଅଗଷ୍ଟ ମାସରେ ୧୫ ଲକ୍ଷ ୟୁନିଟ୍ ବାଇକ୍ ବିକ୍ରି ହୋଇଥିଲା । ଶେଷ ତିନିମାସରେ ଦେଶର ଜିଡିପି ଅଭିବୃଦ୍ଧି ହାର ୫ପ୍ରତିଶତକୁ ଖସି ଆସିଥିଲା ।